କପିଲ ଶର୍ମା, ରାଜପାଲ ଯାଦବ, ରେମୋ ଡିସୁଜା ଓ ସୁଗନ୍ଧା ମିଶ୍ରାଙ୍କୁ ହତ୍ୟା ଧମକ, ପାକିସ୍ଥାନରୁ ଆସିଛି ମେଲ୍

କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ହତ୍ୟା ଧମକ । ହଁ ଆଜ୍ଞା, ବଲିଉଡର ପ୍ରଖ୍ୟାତ କମେଡିଆନ ତଥା ଅଭିନେତା କପିଲ ଶର୍ମାଙ୍କୁ ନେଇ ଆସୁଛି ଏକ ବଡ଼ ଖବର । କୌଣସି ଅଜଣା ବ୍ୟକ୍ତି ତାଙ୍କୁ ଏଭଳି ହତ୍ୟା ଧମକ ଦେଇଛନ୍ତି । ଆକ୍ରମଣକାରୀ କପିଲ ଶର୍ମାଙ୍କ ସହ ତାଙ୍କ ପରିବାର, ସମ୍ପର୍କୀୟ ଏବଂ ତାଙ୍କ ପଡ଼ୋଶୀଙ୍କୁ ବି ହତ୍ୟା କରିବାକୁ ଧମକ ଦେଇଛନ୍ତି । ତେବେ କେବଳ କପିଲ ଶର୍ମା ନୁହଁନ୍ତି ତାଙ୍କ ସହ ଅନ୍ୟ ୩ କଳାକାରଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଆସିଛି ଧମକ ।

ହାସ୍ୟାଭିନେତା ରାଜପାଲ ଯାଦବ, ସୁଗନ୍ଧା ଶର୍ମା ଓ କୋରିଓଗ୍ରାଫର-ଡିରେକ୍ଟର ରେମୋ ଡିସୁଜାଙ୍କୁ ମଧ୍ୟ ଏଭଳି ଧମକପୂର୍ଣ୍ଣ ମେଲ ଆସିଛି । ଏହାକୁ ନେଇ ରାଜପାଲ ଯାଦବ, ରେମୋ ଡିସୁଜା ଓ ସୁଗନ୍ଧା ମିଶ୍ରା ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ପରେ ଏନେଇ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ । କିନ୍ତୁ କପିଲ କିମ୍ବା ତାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ । କପିଲ ଯେଉଁ ଇମେଲରୁ ଧମକ ପାଇଥିଲେ ତାହାର IP ଠିକଣା ପାକିସ୍ତାନର ବୋଲି ମଧ୍ୟ ସୂଚନା ମିଳୁଛି ।

ଅନ୍ୟପଟେ ପୋଲିସ IP ଠିକଣା ଏବଂ ଅନ୍ୟାନ୍ୟ ବୈଷୟିକ ସୂଚନା ଆଧାରରେ ଧମକ ଦେଉଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି । ତେବେ ସବୁଠାରୁ ଭୟାନକ କଥା ହେଉଛି ଇମେଲରେ ଧମକ ଦେଉଥିବା ବ୍ୟକ୍ତି କହିଛନ୍ତି, “ଏହା ଆମେ ପବ୍ଲିସିଟି ଷ୍ଟଣ୍ଟ ପାଇଁ କରୁନାହୁଁ । ଏଭଳି ହତ୍ୟା ଧମକ ଦେବା ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ବଲିଉଡ୍ ଷ୍ଟାର । ଆଜିକାଲି କପିଲ ଶର୍ମା ନିଜର ନୂଆ ରିଲିଜ୍ ହୋଇଥିବା ମ୍ୟୁଜିକ୍ ଭିଡିଓ ‘ଗିଲଟ୍’କୁ ନେଇ ବେଶ ଚର୍ଚାରେ ଅଛନ୍ତି ।

ଏହି ଗୀତକୁ କପିଲ ଶର୍ମା ନିଜେ ଗାଇଛନ୍ତି । ଜାନୁଆରୀ ୨୨ ରେ ୟୁଟ୍ୟୁବରେ ରିଲିଜ ହୋଇଥିବା ଏହି ଗୀତଟି କିଛି ଘଣ୍ଟା ଭିତରେ ହିଁ ବହୁତ ଲୋକପ୍ରିୟ ହୋଇଛି । କହିରଖୁଛୁ, ଗତ ବର୍ଷ ସଲମାନ ଖାନ ଏବଂ ଏପି ଢିଲୋନ ମଧ୍ୟ ଏଭଳି ଧମକପୂର୍ଣ୍ଣ ଇମେଲ୍ ପାଇଥିଲେ । ସଲମାନ ଖାନଙ୍କ ଘର ବାହାରେ ଗୁଳିଚାଳନା ମଧ୍ୟ ହୋଇଥିଲା, ଯାହା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ କରିଥିବାର ଦାବି କରାଯାଉଛି । ଏଭଳି ପରିସ୍ଥିତି ପରେ ସଲମାନଙ୍କୁ ପୋଲିସ ସୁରକ୍ଷା ମିଳିଥିଲା ​​ଏବଂ ସେ ଏକ ବୁଲେଟପ୍ରୁଫ୍ କାର ମଧ୍ୟ କିଣିଥିଲେ ।

ଏହା ବ୍ୟତୀତ ଘରର ବାଲକୋନିରେ ବୁଲେଟପ୍ରୁଫ୍ କାଚ ମଧ୍ୟ ଲଗାଯାଇଥିଲା । ନିକଟରେ ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ତାଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା । ତେବେ କାହିଁକି ଏହି ଅଭିନେତାଙ୍କୁ ଏଭଳି ବାରମ୍ବାର ଟାର୍ଗେଟ କରାଯାଉଛି ତାହା ଏବେବି ବି ରହସ୍ୟ ଘେରରେ । ମୁମ୍ବାଇ ଏପରି ଏକ ଅଞ୍ଚଳ ଯେଉଁଠାରେ ସେଲିବ୍ରିଟିଙ୍କ ସଂଖ୍ୟା ସର୍ବାଧିକ । ତେଣୁ ଏଠାରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯିବା ଉଚିତ । ଯଦି ଏଭଳି ବଡ଼ ବଡ଼ ସେଲିବ୍ରିଟିମାନେ ମୁମ୍ବାଇରେ ସୁରକ୍ଷିତ ନୁହଁନ୍ତି, ତେବେ ଏଠାରେ ସୁରକ୍ଷିତ କିଏ?

You might also like