ଦିପିକାଙ୍କ ବିଲଡିଂରେ ଲାଗିଲା ନିଆଁ

ମୁମ୍ବାଇ : ଆଜି ସକାଳ ସମୟରେ ମୁମ୍ବାଇର ପ୍ରଭାଦେବୀ ଅଞ୍ଚଳରେ ଅବସ୍ଥିତ ବ୍ଯୁମଣ୍ଡେ ଟାୱାରରେ ଭୟଙ୍କର ନିଆଁ ଲାଗିଥିଲା। ଏହି ଟାୱାରର ୨୯ ତମ ଫ୍ଲୋରରେ ବଲିଉଡ୍ ଅଭିନେତ୍ରୀ ଦିପିକା ପାଦୁକୋଣଙ୍କ ଆପାର୍ଟମେଣ୍ଟ ରହିଥିବା ବେଳେ ନିଆଁ ବିଲଡିଂର ୩୩ତମ ଫ୍ଲୋରରେ ଲାଗିଥିଲା । ତେବେ ଏଥିରେ କେହି ମଧ୍ୟ ଆହତ ହୋଇ ନଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ବିଲଡିଂରେ ସମୁଦାୟ ୯୫ଟି ଘର ରହିଥିବା ବେଳେ ସଠିକ୍ ସମୟରେ ଅଗ୍ନିଶମ ବିଭାଗ ପହଞ୍ଚିଥିବାରୁ କୌଣସି ପ୍ରକାରର ଅଘଟଣ ଘଟିନଥିଲା। ଦିପିକାଙ୍କ ଆପାର୍ଟମେଣ୍ଟ ୨୯ତମ ଫ୍ଲୋରରେ ରହିଥିବା ବେଳେ ଏହା ପିତା ପ୍ରକାଶ ପାଦୁକୋଣ ଏବଂ ଦିପିକାଙ୍କ ନାମରେ ରହିଛି। ଏହାକୁ ୨୦୧୦ ମସିହାରେ ନିଜର ସ୍ବପ୍ନର ଘର କରିବା ପାଇଁ ଦିପିକା ୧୬ କୋଟି ଖର୍ଚ୍ଚରେ କିଣିଥିବା ଜଣାପଡ଼ିଛି । ନିଆଁ ଲାଗିବା ସମୟରେ ଦିପିକା ସୁଟିଂ କାମରେ ବାହାରେ ରହିଥିବା ଜଣା ପଡ଼ିଛି। ତେବେ ନିଆଁରେ ଅଧିକ କିଛି କ୍ଷତି ହୋଇନଥିବା ମୁମ୍ବାଇ ଅଗ୍ନିଶମ ବିଭାଗ ସୂଚନା ଦେଇଛି।