ତନ୍ତ୍ରମନ୍ତ୍ର କରି ମାରି ଦିଆଯାଇଛି ସୋନାଲିଙ୍କୁ…! ଘନିଷ୍ଠ ବନ୍ଧୁ କହିଲେ ଆଶ୍ଚର୍ଯ୍ୟଜନକ କଥା

ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ପୂର୍ବରୁ ସୋନାଲିଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତରୁ ଜଣାପଡ଼ିଥିଲା କି, ଅଭିନେତ୍ରୀଙ୍କ ମୃତ୍ୟୁ ହୃଦଘାତରେ ହୋଇନାହିଁ, ବରଂ ତାଙ୍କ ପିଏ ଏବଂ ଘନିଷ୍ଠ ସହଯୋଗୀଙ୍କର ଏହା ଥିଲା ସୁପରିକଳ୍ପିତ ଷଡ଼ଯନ୍ତ୍ର। ଏବେ ସୋନାଲିଙ୍କର ଜଣେ ଘନିଷ୍ଠ ବନ୍ଧୁ ଦାବି କରିଛନ୍ତି, ପିଏ ସୁଧୀର ସାଙ୍ଗଓ୍ଵାନ ସୋନାଲିଙ୍କ ଉପରେ ଗୁଣିଗାରେଡ଼ି କରୁଥିଲେ।

ସୋନାଲିଙ୍କ ବନ୍ଧୁ ଋଷଭ ବେନିଓ୍ଵାଲ କହିଛନ୍ତି, ସୁଧୀର, ସୋନାଲିଙ୍କୁ ବଶୀଭୂତ କରି ରଖିବା ପାଇଁ ତନ୍ତ୍ରବିଦ୍ୟା ଉପଯୋଗ କରୁଥିଲେ। ଏଥିପାଇଁ ସେ ବାରମ୍ବାର ସୋନାଲିଙ୍କ ଫାର୍ମ ହାଉସ୍‌କୁ ଜଣେ ତାନ୍ତ୍ରିକକୁ ଡକାଉଥିଲେ। ଏତିକି ନୁହେଁ, ସୋନାଲିଙ୍କ ଝିଅ ପ୍ରତି ମଧ୍ୟ ସୁଧୀରଙ୍କଠାରୁ ବିପଦ ରହିଛି ବୋଲି ଋଷଭ କହିଛନ୍ତି।

ତାଙ୍କ କହିବା ହେଲା, ସୁଧୀରଙ୍କର ସମସ୍ତ କଥାକୁ ସୋନାଲି ମାନି ନେଉଥିଲେ। ତାଙ୍କ ପାଖରେ ଏମିତି କିଛି ଶକ୍ତି ଥିଲା, ଯଦ୍ଦ୍ଵାରା କି, ସୋନାଲି ତାଙ୍କର ସମସ୍ତ କଥାକୁ ବିନା ଦ୍ୱିଧାରେ ମାନୁଥିଲେ। ସେ ତାଙ୍କ ସାମ୍ନାରେ ବି ଅନେକ ଥର ସୋନାଲିଙ୍କୁ ଖରାପ ବ୍ୟବହାର ଦେଖାଇଛନ୍ତି। ଏହାଛଡ଼ା ସୁଧୀର ଚାଷୀମାନଙ୍କ ସହିତ ମଧ୍ୟ କୋଟି କୋଟି ଟଙ୍କାର ଠକେଇ କରିଛନ୍ତି ଏବଂ ତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଛି।

ପୋଲିସ ତଦନ୍ତ ବେଳେ ରେଷ୍ଟୁରାଣ୍ଟର ଯେଉଁ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି, ସେଥିରେ ସୁଧୀର, ସୋନାଲିଙ୍କୁ ଜବରଦସ୍ତି ବୋତଲରେ କିଛି ପିଆଉଥିବା ଦେଖିବାକୁ ମିଳୁଛି, ଯାହାକୁ ପିଇବା କ୍ଷଣି ସୋନାଲି ଥୁକି ଦେଉଛନ୍ତି। ସେହିପରି ଅନ୍ୟ ଏକ ଭିଡିଓରେ ସୁଧୀର, ସୋନାଲିଙ୍କୁ କେଉଁଆଡ଼େ ନେଇଯାଉଥିବାର ଦେଖାଯାଉଛି।

କହି ରଖୁଛୁ, ସୋନାଲି ଫୋଗଟ ହତ୍ୟା ମାମଲାରେ ପିଏ ସୁଧୀର ସାଙ୍ଗଓ୍ଵାନ ଏବଂ ତାଙ୍କ ସାଙ୍ଗ ସୁଖବିନ୍ଦର ଓ୍ଵାସୀଙ୍କ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.