ସୋନମଙ୍କ ଘରୁ ଚୋରି କେସ, ଧରା ପଡ଼ିଲେ ଚୋର, ସୁନା ବ୍ୟବସାୟୀଙ୍କ ଜାମିନ ଆବେଦନ ଖାରଜ

ଗତ କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ସୋନମ କାପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ଦିଲ୍ଲୀ ସ୍ଥିତ ଘରୁ କୋଟି କୋଟି ଟଙ୍କାର ଗହଣା ସମେତ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଖବର ପ୍ରକାଶିତ ହୋଇଥିଲା । ପୋଲିସ ଯାଞ୍ଚରୁ ଜାଣି ପାରିଛନ୍ତିଯେ ସୋନମଙ୍କ ଘରୁ ଗହଣା ଜଣେ ନର୍ସ ହିଁ ଚୋରି କରିଥିଲେ । ଏହି ନର୍ସ ଜଣଙ୍କ ଯେଉଁ ସୁନା ଦୋକାନୀଙ୍କୁ ଏହି ଗହଣା ସବୁକୁ ବିକ୍ରି କରିଥିଲେ ତାଙ୍କୁ ବି ପୋଲିସ ଗିରଫ କରିନେଇଛି । ଖାଲି ଗିରଫ କରିନି ତାଙ୍କୁ ଜେଲକୁ ବି ପଠାଇ ଦିଆଯାଇଛି । ଆଉ ଏବେ ଦିଲ୍ଲୀ ର ଏକ କୋର୍ଟ ସେହି ସୁନାରୀ ଜଣଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି ।

ସୁନାରୀ ଜଣଙ୍କ ଜାମିନ ଆବେଦନ ଖାରଜ କରି ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ପଙ୍କଜ ଶର୍ମା କହିଛନ୍ତିକି ଏବେ ଯାଏଁ ଦାମୀ ଗହଣା ଗୁଡିକୁ ସମ୍ପୂର୍ଣ୍ଣ ରୂପେ ଠାବ କରାଯାଇ ପାରିନାହିଁ । ଆଉ ଏହି କାରଣରୁ ତାଙ୍କୁ ଜାମିନ ଦେଇହେବନି । ଦିଲ୍ଲୀ ପୋଲିସଙ୍କ କହିବା ଅନୁଯାୟୀ ଏବେ ଯାଏଁ ଗୋଟେ କୋଟି ଟଙ୍କାର ଗହଣା ସବୁ ଜବତ କରାଯାଇଛି ଯେଉଁଥିରେ ୧୦୦
ଟି ହୀରା, ୬ଟି ସୁନା ହାର, ହୀରା ଖଚିତ ବାହୁଟି, ହୀରାର ବ୍ରେସଲେଟ, ୨ ଟି ଟପ୍ସ ସମେତ ଗୋଟିଏ ବ୍ରାସ କଏନ ବି ରହିଛି । ଏହି ସବୁ ଗହଣା ସେହି ଗହଣା ବ୍ୟବସାୟୀଙ୍କ ଠାରୁ ଜବତ କରାଯାଇଛି ।

ଅନ୍ୟପକ୍ଷରେ ବର୍ମାଙ୍କ ଓକିଲ କୋର୍ଟ ସାମ୍ନାରେ କହିଛନ୍ତିକି ତାଙ୍କ ପରିବାରର ଭଲ ସୁନା ବ୍ୟବସାୟୀ ଭାବେ ଖୁବ ନାଁ ରହିଛି । ଗତ ୩୦ ବର୍ଷ ହେବ ସେ ଏହି କାମ କରି ଆସୁଛନ୍ତି । ଆଉ ଜବତ ହୋଇଥିବା ଗହଣା ଗୁଡିକୁ ଚୋରି ସହିତ କେବେବି ଯୋଡ଼ାଯାଇ ପାରିବନାହିଁ । ସୋନମଙ୍କ ଘରୁ ପାଖାପାଖି ୨ .୪ କୋଟି ଟଙ୍କାର ଗହଣା ସମେତ କ୍ୟାସ ଚୋରି ହୋଇଥିଲା । ଯାହାକୁ ନେଇ ପୋଲିସ ନର୍ସ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲେ । ଦିଲ୍ଲୀ ପୋଲିସ ନିକଟରେ ଫେବୃଆରୀ ୨୩ ତାରିଖରେ ଦିଲ୍ଲୀର ଅମୃତା ସେହଗାଲ ମାର୍ଗରେ ରହୁଥିବା ହରିଶ ଆହୁଜା ଚୋରି ନେଇ ରିପୋର୍ଟ ଦର୍ଜ କରିଥିଲେ । ହରିଶ ହେଉଛନ୍ତି ସୋନମଙ୍କ ଶ୍ୱଶୁର । ଫେବୃଆରୀ ୧୧ ତାରିଖରେ ତାଙ୍କ ଘରେ ଚୋରି ହୋଇଥିବା ନେଇ ଜଣା ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.