ୱେବ୍ ସିରିଜରେ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବାର ଜଟିଳ ଚିତ୍ର, “ଝୋଲାଛାପ୍” ନାମରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କଲେ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ
କୋଭିଡ ଏ ମଣିଷ ସମାଜକୁ ଅନେକ ଶିକ୍ଷା ଦେଇଛି । “ସ୍ୱାସ୍ଥ୍ୟ ହିଁ ସମ୍ପଦ” ଉକ୍ତି ଟିକୁ ଯେମିତି ଶତ ପ୍ରତିଶତ ସତ ବୋଲି ପ୍ରମାଣ କରିଛି ଦୁଇ ବର୍ଷ ହେବ କାୟା ମେଳାଇଥିବା କରୋନା ମହାମାରୀ । ଦେହ ପା ନେଇ ସଜାଗ ରହିବା ଓ ଅସୁସ୍ଥ ସମୟରେ ଉପଯୁକ୍ତ ଚିକିତ୍ସା ଜଣଙ୍କର ଅମୁଲ୍ୟ ଜୀବନ ବଞ୍ଚାଇପାରେ ତାହା କୋଭିଡ ସ୍ଥିତିରୁ ସମସ୍ତେ ଅଳ୍ପ ବହୁତେ ଅଙ୍ଗେ ନିଭେଇ ସାରିଥିବେ । ଆଉ ଏମିତି ଏକ ସମୟରେ ସବୁଠାରୁ ଆଗ ଯିଏ ଖୋଜା ପଡନ୍ତି ସେ ହେଉଛନ୍ତି ଡାକ୍ତର । ତାଙ୍କରି ଉପଯୁକ୍ତ ଚିକିତ୍ସାରେ ରୋଗୀ ଟିଏ ନୂଆ ଜୀବନ ପାଇପାରେ । ସେମାନେ ରୋଗୀଙ୍କ ପାଇଁ ସାଜନ୍ତି ଭଗବାନ । କିନ୍ତୁ ଏହି ଭଗବାନ ରୁପି ଡାକ୍ତର ମାନେ ଯଦି ନିଜ କର୍ତ୍ତବ୍ୟରୁ ବିମୁଖ ହୁଅନ୍ତି, ରୋଗୀଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି କିମ୍ବା ଅତ୍ୟାଧୁନିକ ମୋହରେ ଅନ୍ଧ ହୋଇ ଗ୍ରାମାଞ୍ଚଳ ଡ୍ୟୁଟିକୁ ନ ଯାଆନ୍ତି । ତେବେ ପରିସ୍ଥିତି କଣ ହେବ ଭାବିଲେ ।
ଗାଁ ଗହଳିର ସେହି ଗରିବ ଗୁରୁବା ରୋଗୀ ଆଉ ଡାକ୍ତରଙ୍କ ଉପରେ ବିଶ୍ୱାସ ନକରି ଅନ୍ୟ ବିକଳ୍ପକୁ ବାଛିବେ । ସାଧାରଣତଃ ଏପରି ସ୍ଥିତିରେ ଗାଁ ଲୋକ ମାନେ ଗାଁ ବୈଦ୍ୟଙ୍କ ଉପରେ ହିଁ ଅଧିକ ବିଶ୍ୱାସ ଭରସା କରିବସନ୍ତି । ଯାହାର ଫାଇଦା ସେମାନେ ବେଶ ଭଲରୂପେ ଉଠାନ୍ତି । ଆଉ ସେମିତି ଏକ ବାସ୍ତବ କଥାକୁ ଅନସ୍କ୍ରିନରେ ଜୀବନ୍ତ କରି ଗଢି ତୋଳିଛନ୍ତି ଓଡ଼ିଆ ପୁଅ ତଥା ଜଣେ ଖ୍ୟାତନାମା ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ । ନିଜ ନିଖୁଣ ନିର୍ଦ୍ଦେଶନା ପାଇଁ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ପାଇସାରିଛନ୍ତି ଜ୍ୟୋତି ପ୍ରକାଶ । ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ସ୍ଥିତି, ଡାକ୍ତରଙ୍କ ଅବହେଳା, ସେଠାରେ ଥିବା ବୈଦ୍ୟ ମାନଙ୍କର ପ୍ରାଦୁର୍ଭାବ ସେନେଇ ଏହି ଚିତ୍ରରେ ଦର୍ଶାଇଛନ୍ତି । ଏହି କାରଣରୁ ସରକାରୀ ଡାକ୍ତରଖାନା ଉପରୁ ଧୀରେ ଧୀରେ ଲୋକଙ୍କର ଆସ୍ଥା କମି କମି ଯାଉଛି । କିନ୍ତୁ ଜଣେ ଯଦି ଚାହିଁବେ ଗାଁ ଡାକ୍ତରଖାନାର ଏପରି ସ୍ଥିତିକୁ ନିଶ୍ଚିନ୍ତ ରୂପେ ବଦଳେଇ ଦେଇପାରିବେ ।
ସରକାରୀ ଡ଼ାକ୍ତରଖାନା ଉପରେ ଫେରିଆସିବ ଲୋକଙ୍କ ଆସ୍ଥା । ଆଉ ନିଜର ଏହି ଚିତ୍ରର ନାଁ ରଖିଛନ୍ତି “ଝୋଲାଛାପ” । ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶଙ୍କ ଅନୁଯାୟୀ ଝୋଲାଛାପର ପ୍ରକୃତ ଅର୍ଥ ହେଉଛି କ୍ଵାକ ବା ବୈଦ୍ୟ । ସରକାରୀ ଡାକ୍ତରଙ୍କ ଉପରୁ ବିଶ୍ୱାସ ହଟିଲେ ଲୋକେ ଏମାନଙ୍କ ଉପରେ ହିଁ ବେଶୀ ଭରସା କରିଥାନ୍ତି | ଯାହାର ସୁଯୋଗ ସେମାନେ ଉଠାନ୍ତି । ଏହି ୱେବ ସିରିଜରେ ବଲିଉଡର ସୁପରିଚିତ କଳାକାର ଚିତ୍ତରଞ୍ଜନ ତ୍ରିପାଠୀ, ମେହେକ ମନବନି, ମୁସ୍ତାକ ଖାଁ ପ୍ରମୁଖ ଅଭିନୟ କରିଛନ୍ତି । ନିଜ ପିଲା ଦିନର କିଛି ସତ୍ୟ ଘଟଣାକୁ ନେଇ ହିଁ ସେ ଏହାକୁ ପ୍ରସ୍ତୁତ କରିଥିବା କହନ୍ତି ଜ୍ୟୋତି ପ୍ରକାଶ । ନିଜ ଗାଁ ବଲାଙ୍ଗୀରର ବାଦୀମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଆଣିଥିବା ପରିବର୍ତ୍ତନ ବି ତାଙ୍କୁ ଏନେଇ ପ୍ରେରଣା ଯୋଗାଇଥିବା କହନ୍ତି ଜ୍ୟୋତିପ୍ରକାଶ ।