ଦିବ୍ୟା ଭାରତୀଙ୍କ ବାପା ଓମ୍‌ ପ୍ରକାଶ ଭାରତୀଙ୍କ ନିଧନ, ମା’ଙ୍କ ଦେଖାଶୁଣା କରିବେ ସାଜିଦ୍‌ ନାଡିୟାଡଓ୍ଵାଲା

ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ବାପା ଓମ୍‌ ପ୍ରକାଶ ଭାରତୀଙ୍କ ୩୦ ଅକ୍ଟୋବରରେ ନିଧନ ହୋଇଯାଇଛି। ତାଙ୍କ ଅନ୍ତିମ ସଂସ୍କାରରେ ଜ୍ୱାଇଁ ସାଜିଦ୍‌ ନାଡିୟାଡଓ୍ଵାଲା ଯୋଗ ଦେଇଥିଲେ। ସାଜିଦ୍‌ ସବୁବେଳେ ହିଁ ଦିବ୍ୟାଙ୍କ ବାପାଙ୍କୁ ନିଜ ବାପା ବୋଲି ଭାବୁଥିଲେ। ସାଜିଦ୍‌ଙ୍କ ଦ୍ୱିତୀୟ ପତ୍ନୀ ଓ୍ଵାର୍ଡା ଖାନ୍‌ ନାଡିୟାଡଓ୍ଵାଲା ହିଁ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ଦିବ୍ୟାଙ୍କ ବାପାଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ଦିବ୍ୟାଙ୍କ ବାପା ସାଜିଦ୍‌ଙ୍କ ସହିତ ନଜର ଆସୁଥିବା ବେଳେ ଅନ୍ୟ ଫଟୋରେ ଓ୍ଵାର୍ଡା ଖାନଙ୍କ ସହିତ ଅଛନ୍ତି। ଫଟୋଗୁଡ଼ିକୁ ସେୟାର କରି ଓ୍ଵାର୍ଡା କ୍ୟାପସନ ଲେଖିଛନ୍ତି କି, ‘ମୁଁ ଆପଣଙ୍କୁ ବହୁତ ମିସ୍‌ କରିବି ଡାଡ୍‌’।

ରିପୋର୍ଟ ଅନୁସାରେ, ସାଜିଦ୍‌ ନାଡିୟାଡଓ୍ଵାଲା ଦିବ୍ୟାଙ୍କ ବାପାଙ୍କୁ ସବୁବେଳେ ସାଥ୍‌ ଦେଇ ଆସିଥିଲେ। ସାଜିଦ୍‌ଙ୍କ ପାଇଁ ଓମ୍‌ ପ୍ରକାଶ ଭାରତୀ ନିଜ ବାପାଙ୍କ ଭଳି ହିଁ ଥିଲେ। ସେ ଦିବ୍ୟାଙ୍କ ବାପା, ମାଆଙ୍କୁ ‘ମମ୍‌, ଡାଡ୍‌’ କହି ଡାକୁଥିଲେ। ଯଦିଓ ଏବେ ଦିବ୍ୟାଙ୍କ ବାପା ଏହି ଦୁନିଆରେ ନାହାନ୍ତି, କିନ୍ତୁ ସାଜିଦ୍‌, ଦିବ୍ୟାଙ୍କ ମାଆଙ୍କର ଦେଖାଶୁଣା ସବୁବେଳେ କରିବେ ଏବଂ ଜଣେ ପୁଅ ହିସାବରେ ତାଙ୍କର ପୂରା ଧ୍ୟାନ ରଖିବେ।

୧୯ ବର୍ଷ ବୟସରେ ହୋଇ ଯାଇଥିଲା ଅଭିନେତ୍ରୀଙ୍କ ନିଧନ

ବଲିଉଡ୍‌ର ମହାନ୍‌ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କୁ କିଏ ବା ନ ଜାଣେ। ଅଭିନେତ୍ରୀ ନିଜର ଛୋଟ କ୍ୟାରିୟର ଭିତରେ ଏତେ ବଡ଼ ସଫଳତା ହାସଲ କରି ନେଇଥିଲେ ଯେ ଅନେକ ବଡ଼ ବଡ଼ ଅଭିନେତ୍ରୀ ତାଙ୍କଠୁ ଅସୁରକ୍ଷିତ ମନେ କରିବାକୁ ଲାଗିଥିଲେ। ଦିବ୍ୟା ପ୍ରସିଦ୍ଧ ଫିଲ୍ମ ପ୍ରଡ୍ୟୁସର ସାଜିଦ୍‌ ନାଡିୟାଡଓ୍ଵାଲାଙ୍କୁ ବିବାହ କରିଥିଲେ। କିନ୍ତୁ ଦୁଃଖଦ ବିଷୟ, ଦିବ୍ୟା ଭାରତୀଙ୍କ ୧୯୯୩ ମସିହାରେ ଅଚାନକ ମୃତ୍ୟୁ ଘଟିଥିଲା। ସେତେବେଳେ ସେ ମାତ୍ର ୧୯ ବର୍ଷର ଥିଲେ। ଅନ୍ଧେରୀରେ ଦିବ୍ୟା ଏକ ପ୍ଲାଟ୍‌ ନେଇ ରହୁଥିଲେ, ଯାହାକି ୫ମ ମହଲାରେ ଥିଲା। ତେବେ ଦିବ୍ୟା ନିଜ ଫ୍ଲାଟ୍‌ର ବାଲ୍‌କୋନୀରୁ ତଳକୁ ଖସି ପଡ଼ିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ତାଙ୍କର ଏଭଳି ହୃଦୟବିଦାରକ ମୃତ୍ୟୁରେ ପୂରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା। ବହୁତ କମ୍‌ ବୟସରେ ଏତେ ବଡ଼ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିବା ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଥିଲା। ଦିବ୍ୟାଙ୍କ ମୃତ୍ୟୁ ପରେ ସାଜିଦ୍‌ ନାଡିୟାଡଓ୍ଵାଲା ଓ୍ଵାର୍ଡା ଖାନଙ୍କୁ ୨୦୦୦ ମସିହାରେ ବିବାହ କରିଥିଲେ। ଓ୍ଵାର୍ଡା ପେସାରେ ଜଣେ ଜର୍ନାଲିଷ୍ଟ ଥିଲେ। ଏହି ଦମ୍ପତିଙ୍କର ବର୍ତ୍ତମାନ ଦୁଇଟି ପୁଅ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.