ଓଡିଶା ପାଇଁ ଗୌରବ ଆଣିଥିବା ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା, ସବ୍ୟସାଚୀ ମହାପାତ୍ର ଓ ଆଶୁତୋଷ ପଟ୍ଟନାୟକଙ୍କୁ ଡ. ଅଚ୍ୟୁତ ସାମନ୍ତ କଲେ ସମ୍ବର୍ଦ୍ଧିତ

କେନ୍ୟୁଜ୍(ବ୍ୟୁରୋ):ଓଡିଶାର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା, ସବ୍ୟସାଚୀ ମହାପାତ୍ର ଓ ଆଶୁତୋଷ ପଟ୍ଟନାୟକଙ୍କୁ କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ଏହି ତିନିଜଣ ସେମାନଙ୍କର ଚଳଚ୍ଚିତ୍ର ଶଲା ବୁଢାର ବଦଲା, କାଳିଆର ଅତୀତ ଏବଂ ଶ୍ରୀକ୍ଷେତ୍ରର ସାହିଯାତ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ନିକଟରେ ଅନୁଷ୍ଠିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଭାରତର ଉପରାଷ୍ଟ୍ରପତି ଏମ୍‍. ଭେଙ୍କେୟା ନାଇଡୁ ଶ୍ରୀ ପଣ୍ଡା, ଶ୍ରୀ ମହାପାତ୍ର ଓ ଶ୍ରୀ ପଟ୍ଟନାୟଙ୍କୁ ପୁରସ୍କୃତ କରିଥିଲେ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଆଞ୍ଚଳିକ ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଶଲା ବୁଢାର ବଦଲା, କାଳିଆର ଅତୀତ ଓ ଶ୍ରୀକ୍ଷେତ୍ରର ସାହିଯାତ ପୁ୍‍ରସ୍କୃତ ହୋଇଥିଲା। ଏହି ତିନିଜଣଙ୍କ ବ୍ୟତୀତ ଜୟଦେବ ପୁରସ୍କାର-୨୦୧୯ ପାଇଁ ମନୋନୀତ ହୋଇଥିବା ଘନଶ୍ୟାମ ମହାପାତ୍ରଙ୍କୁ ମଧ୍ୟ ଶ୍ରୀ ସାମନ୍ତ ସମ୍ବର୍ଦ୍ଦିତ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଏହି କୃତୀ ସନ୍ତାନମାନଙ୍କୁ ସମ୍ବର୍ଦ୍ଧିତ କରି ଶ୍ରୀ ସାମନ୍ତ କହିଥିଲେ, ଶ୍ରୀ ପଣ୍ଡା, ଶ୍ରୀ ମହାପାତ୍ର ଓ ଶ୍ରୀ ପଟ୍ଟନାୟକ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଓଡିଶାକୁ ଗୌରବ ଆଣିଦେଇଛନ୍ତି। ସେ କହିଥିଲେ ଯେ ଚଳଚ୍ଚିତ୍ର ହେଉଛି ଏକ କଳ୍ପନା। କିନ୍ତୁ ଯେତେବେଳେ ଚଳଚ୍ଚିତ୍ର ନିର୍ମାତା ଚଳଚ୍ଚିତ୍ର ନିର୍ମାଣ କରି ସେମାନଙ୍କ ସହ ଦର୍ଶକଙ୍କୁ କଳ୍ପନା କରିବାର ସୁଯୋଗ ସୃଷ୍ଟି କରନ୍ତି ସେତେବେଳେ ଚଳଚ୍ଚିତ୍ର କଳାରେ ପରଣିତ ହୋଇଥାଏ। କଳାର ଅନେକ ଆଲୋଚକ ରହିଛନ୍ତି।

dr achyuta samanta

ସେମାନେ କଳାର ମହତ୍ୱପୂର୍ଣ୍ଣ ମୂଲ୍ୟାୟନ କରିଥାନ୍ତି। ଫଳରେ ଚଳଚ୍ଚିତ୍ର ନିର୍ମାତା ଆଗକୁ ବଢ଼ିବା ପାଇଁ ଉପାଦେୟ ପରାମର୍ଶ ପାଇପାରନ୍ତି ବୋଲି ଶ୍ରୀ ସାମନ୍ତ କହିଥିଲେ। ଆମେ ସମସ୍ତେ ଏମାନଙ୍କୁ ପ୍ରଶଂସା କରିବା ଉଚିତ୍‍ ଏବଂ କଳା ମାଧ୍ୟମରେ ସମଗ୍ର ବିଶ୍ୱରେ ଓଡ଼ିଶାକୁ ପରିଚିତ କରାଇବାରେ ନିରବଛିନ୍ନ ପ୍ରୟାସ ପାଇଁ ସେମାନଙ୍କୁ ସାଧୁବାଦ ଜଣାଇବା ଉଚିତ ବୋଲି ସେ କହିଥିଲେ। କାରଣ ଓଡ଼ିଶା ପରି ରାଜ୍ୟରେ ରହି ସାହସର ସଂଗ୍ରାମ କରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ଗୌରବ ଆଣିଦେବା କିଛି କମ୍‍ କଥା ନୁହେଁ ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.