୨୦୦ କୋଟି ମନି ଲଣ୍ଡ୍ରିଂ ମାମଲା, ପୁଣି ଜ୍ୟାକଲିନଙ୍କୁ ପଚରାଉଚରା କରିବ ଇଡି

ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ସମନ ଜାରି କରିଛି । ପୂର୍ବରୁ ଇଡି ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନଙ୍କୁ ପଚରାଉଚରା କରାଯାଇଥିଲା । ତେବେ ଜ୍ୟାକଲିନଙ୍କୁ ଆଜି ସକାଳ ୧୧ ଟାରେ ଇଡି ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଯେଉଁଠାରେ ଇଡି ଅଧିକାରୀମାନେ ତାଙ୍କୁ ପଚରାଉଚରା କରିପାରିବେ । ଏହା ସହ ଗତକାଲି ଅର୍ଥାତ ମଙ୍ଗଳବାର ଦିନ ସୁକେଶ ଜ୍ୟାକଲିନଙ୍କୁ ଏକ ଲେଟର ପଠାଇଥିଲେ ।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପୂର୍ବରୁ ଜ୍ୟାକଲିନଙ୍କୁ ଅନେକ ଥର ପଚରାଉଚରା ପାଇଁ ଡକାଯାଇଛି । ତେବେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସୁକେଶ ଚନ୍ଦ୍ରଶେଖର ଏବଂ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ଏହା ସହ ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନ ଜାମିନରେ ବାହାରେ ଅଛନ୍ତି ।

ଚାର୍ଜସିଟ ଅନୁଯାୟୀ, ସୁକେଶ ଚନ୍ଦ୍ରଶେଖର ପ୍ରକାଶ କରିଛନ୍ତି ଯେ ସେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ବନ୍ଧୁ ହେବା ପରେ ଜ୍ୟାକଲିନଙ୍କୁ କୋଟି ଟଙ୍କାର ମହଙ୍ଗା ଉପହାର ଦେଇଛନ୍ତି । ଏଥିରେ ଗୁଚି ବ୍ୟାଗ, ଅଳଙ୍କାର, ମହଙ୍ଗା ଡ୍ରେସ୍‌, ୧୫ଟି କାନଫୁଲ, ୫ଟି ବିରକିନ୍ ବ୍ୟାଗ, ଚାନେଲ ଏବଂ YSL ବ୍ୟାଗ, ମହଙ୍ଗା ଜୋତା, ବ୍ରାଣ୍ଡ ବ୍ରେସଲେଟ୍, ରୋଲକ୍ସ ପରି ମହଙ୍ଗା ଘଣ୍ଟା ମଧ୍ୟ ଦେଇଛନ୍ତି ।

ସୂଚନା ମୁତାବକ, ମଙ୍ଗଳବାର ଦିନ ସୁକେଶ ଚନ୍ଦ୍ରଶେଖର ମଧ୍ୟ ଜେଲରୁ ଜ୍ୟାକଲିନଙ୍କ ନାମରେ ଏକ ଲେଟର ପଠାଇଥିଲେ । ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ୩ ପେଜ୍‌ର ଲେଟର ଲେଖି ଅଭିନେତ୍ରୀଙ୍କ ଜନ୍ମଦିନ ପାଇଁ ୩୦ ଅଛି ବୋଲି କହିଛନ୍ତି । ତେବେ ଏହି ସବୁ କାରଣରୁ ଇଡି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମନ ଜାରି କରିଛି ଏବଂ ପୁଣି ପଚରାଉଚରା କରିବା ପାଇଁ ଡାକିଛି ।

You might also like