ଭୋଜପୁରୀ ଅଭିନେତା ରବି କିଶନଙ୍କ ବଡ଼ଭାଇ ରାମ କିଶନଙ୍କ ନିଧନ; ବର୍ଷେ ଭିତରେ ଚାଲିଗଲେ ଦୁଇ ଦୁଇଜଣ ଭାଇ

ପ୍ରସିଦ୍ଧ ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କ ବଡ଼ ଭାଇ ରାମ କିଶନ ଶୁଳ୍କାଙ୍କର ହୃଦଘାତରେ ନିଧନ ହୋଇଛି। ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ଥିଲେ। ରାମ କିଶନଙ୍କ ନିଧନରେ ରବି କିଶନଙ୍କ ଘରେ ଦୁଃଖର ପାହାଡ଼ ଛିଣ୍ଡିପଡ଼ିଛି। ଭାଇଙ୍କ ନିଧନର ଖବର ନିଜେ ରବି କିଶନ ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି।

ସେ ଇନ୍‌ଷ୍ଟାଗ୍ରାମରେ ବଡ଼ଭାଇଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ‘ଦୁଃଖଦ, ମୋ ବଡ଼ଭାଇ ଶ୍ରୀରାମ କିଶନ ଶୁଳ୍କା ଜୀଙ୍କର ହଠାତ୍‌ ହାର୍ଟ ଆଟାକ୍‌ ଯୋଗୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ମଧ୍ୟାହ୍ନ ୧୨ଟାରେ ନିଧନ ହୋଇଯାଇଛି। ମହାଦେବଙ୍କୁ ପ୍ରାର୍ଥନା କି, ସେ ନିଜ ଶ୍ରୀଚରଣରେ ତାଙ୍କୁ ସ୍ଥାନ ଦିଅନ୍ତୁ। ଓଁ ଶାନ୍ତି’।

 

View this post on Instagram

 

A post shared by Ravi Kishan (@ravikishann)

କହି ରଖୁଛୁ, ଗତବର୍ଷ ମାର୍ଚ୍ଚରେ ରବି କିଶନଙ୍କର ଆଉ ଜଣେ ବଡ଼ଭାଇ ରମେଶ ଶୁଳ୍କା ଦୁନିଆକୁ ଅଲ୍‌ବିଦା କହିଥିଲେ। ରମେଶ ଦୀର୍ଘ ଦିନରୁ କ୍ୟାନସରରେ ପୀଡ଼ିତ ଥିଲେ। ତାଙ୍କର ଚିକିତ୍ସା ଦିଲ୍ଲୀର ଏମ୍ସରେ ଚାଲୁଥିଲା। ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରି ନ ଥିଲା। ଏବେ ବର୍ଷେ ପୂରି ନ ଥିବା ବେଳେ ରାମ କିଶନ ବି ଦୁନିଆକୁ ଅଲ୍‌ବିଦା କହି ଦେଇଛନ୍ତି। ବର୍ଷେ ଭିତରେ ଦୁଇ ଦୁଇଜଣ ଭାଇଙ୍କର ନିଧନରେ ରବି କିଶନ ଓ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।