’ଫ୍ୟାମିଲି ମ୍ୟାନ ୩’ର ଅଭିନେତାଙ୍କ ମୃତ୍ୟୁ, ପରିବାର ଆଣିଲେ ହତ୍ୟା ଅଭିଯୋଗ

ଏଣ୍ଟରଟେନମେଣ୍ଟ ଜଗତରୁ ଆସିଲା ଆଉ ଏକ ଦୁଃଖଦ ଖବର । ଆଗାମୀ ୱେବ୍ ସିରିଜ’ଫ୍ୟାମିଲି ମ୍ୟାନ ୩’ର ଅଭିନେତା ରୋହିତ ବସଫୋରଙ୍କର ଅଚାନକ ଦେହାନ୍ତ ହୋଇଛି । ରବିବାର ଗୌହ୍ବାଟିରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି । ତାଙ୍କ ମୃତ୍ୟୁକୁ ନେଇ ଘରେ ଶୋକର ବାତାବରଣ ଖେଳିଯାଇଛି । ଏହା ବ୍ୟତୀତ ତାଙ୍କ ମୃତ୍ୟୁ ପାଇଁ ଫ୍ୟାନ୍ସମାନେ ଦୁଃଖରେ ଭାଙ୍ଗିପଡିଛନ୍ତି ।
ରିପୋର୍ଟ ଅନୁଯାୟୀ ରୋହିତ ତାଙ୍କର ୯ଜଣ ସାଙ୍ଗମାନଙ୍କ ସହିତ ପିକନିକ୍ ପାଇଁ ଯାଇଥିଲେ । ସେହି ସମୟରେ ଝରଣାରେ ପଡି ମୃତ୍ୟୁ ହୋଇଥିବା ଜଣାପଡୁଛି । ଏହି ଅଘଟଣ ପ୍ରାୟ ଦ୍ବିପହର ୨ଟା ସମୟରେ ହୋଇଥିବା ସୂଚନା ମିଳୁଛି । ପୋଲିସ ଅଧିକାରୀ କହିଛନ୍ତି ଯେ, ପ୍ରାୟ ୪ଟାରୁ ୪.୩୦ମଧ୍ୟରେ ତାଙ୍କୁ ରୋହିତଙ୍କ ମୃତ୍ୟୁକୁ ନେଇ ଖବର ପାଇଥିଲେ । ପରେ ଏସଡିଆରଏଫ୍ ଟିମଙ୍କର ଦୀର୍ଘ ଦୁଇରୁ ଅଢେଇଘଣ୍ଟା ପରିଶ୍ରମ ପରେ ଅର୍ଥାତ ୬.୩୦ଟା ସମୟରେ ତାଙ୍କୁ ଝରଣାରୁ ଉଦ୍ଧାର କରାଯାଇଥିଲା ।
ଅନ୍ୟପଟେ ତାଙ୍କର ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ମନରେ ସନ୍ଦେହ ଉଙ୍କି ମାରୁଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ଘଟଣାରୁ ସ୍ପଷ୍ଟ ହୋଇନାହିଁ । ପରିବାର ଲୋକ ଆହୁରି ମଧ୍ୟ କହିଛନ୍ତି ଯେ, ୧୨ ଟାରୁ ତାଙ୍କ ଫୋନ ବନ୍ଦ ରହିଥିଲା । ତାଙ୍କୁ ପହଁରା ଆସୁନଥିବାର ଜାଣି ତାଙ୍କୁ ଜାଣିଶୁଣି ବିପଦପୂର୍ଣ୍ଣ ସ୍ଥାନକୁ ନିଆଯାଇଥିଲା । ରୋହିତଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସତ୍ୟସତ୍ୟତା ଜାଣିବା ପାଇଁ ପୋଲିସ ତା’ର ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି । ଏହା ବ୍ୟତୀତ ବର୍ତ୍ତମାନ ରୋହିତଙ୍କ ମୃତ ଦେହକୁ ମଧ୍ୟ ପୋଷ୍ଟମଟମ ପାଇଁ ପଠାଯାଇଛି । ଯାହାଦ୍ୱାର ମୃତ୍ୟୁର ରହସ୍ୟ ଜଣାପଡ଼ିପାରିବ ।
ସେପଟେ ନଭେମ୍ବର ୨୦୨୫ରେ ତାଙ୍କର ୱେବସିରିଜ ’ଫ୍ୟାମିଲି ମ୍ୟାନ ୩’ରିଲିଜ ହେବାକୁ ଯାଉଛି । କିନ୍ତୁ ରିଲିଜ ପୁର୍ବରୁ ଦୁନିଆରୁ ବିଦାୟ ନେଇଛନ୍ତି ରୋହିତ । ଯାହାକୁ ନେଇ ପରିବାରଠାରୁ ଆରମ୍ଭ କରି ଫ୍ୟାନ୍ସମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ନୀରବ ଲୁହ ବହିବାରେ ଲାଗିଛି ।
Also Read : ପରଲୋକରେ ଲିଜେଣ୍ଡାରୀ ମାଲାୟାଲମ ଫିଲ୍ମ ମେକର ସାଜି ଏନ କରୁଣ