ଖ୍ୟାତିସଂପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ

ଖ୍ୟାତିସଂପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ। ମୁମ୍ବାଇର ୱକହର୍ଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୯୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଗତ କିଛି ମାସ ଧରି ସେ ଗୁରୁତର କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଶ୍ୟାମ ବେନେଗଲଙ୍କ ପରଲୋକ ନେଇ ତାଙ୍କ ଝିଅ ପିଆ ବେନେଗଲ ସ୍ପଷ୍ଟ କରିଛନ୍ତି। ସମାନ୍ତରାଳ ସିନେମାକୁ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ କରାଇବାରେ ସିନେ ଜଗତକୁ ତାଙ୍କର ବଳିଷ୍ଠ ଅବଦାନ ରହିଛି।

୧୯୭୪ରେ ଅଙ୍କୁର ସିନେମା ମାଧ୍ୟମରୁ ଶ୍ୟାମ ବେନେଗଲଙ୍କ ବଳିଷ୍ଠ ନିର୍ଦ୍ଦେଶନାର ଝଲକ ମିଳିଥିଲା। ଏହା ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଥିଲା। ପରେ ନିଶାନ୍ତ, ମନ୍ଥନ, ଭୂମିକା, ଭଳି ବଳିଷ୍ଠ କଳାତ୍ମକ ସିନେମା ନିର୍ମାଣ କରିଥିଲେ। ଏହା ସହ ସୁରଜ କା ସାତୱା ଘୋଡ଼ା, ସରଦାରୀ ବେଗମ, ଜୁବେଦା, ୱେଲ ଡନ ଆବ୍ବା ଭଳି ଲୋକପ୍ରିୟ ସିନେମା ନିର୍ମାଣ କରିଥିଲେ। ସେହିପରି ଭାରତ ଏକ ଖୋଜ ଭଳି ଯୁଗାନ୍ତକାରୀ ଟେଲିଭିଜନ ଧାରାବାହିକ ନିର୍ଦ୍ଦେଶନା ଦେଇ ଶ୍ୟାନ ବେନେଗଲ ଭାରତର ଇତିହାସକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସିନେ ଜଗତକୁ ବଳିଷ୍ଠ ଅବଦାନ ପାଇଁ ୨୦୦୫ରେ ଦାଦା ସାହେବ ଫାଲକେ ଆୱାର୍ଡ ଲାଭ କରିଥିଲେ ଶ୍ୟାମ ବେନେଗଲ। ଭାରତ ସରକାର ୧୯୭୬ରେ ପଦ୍ମଶ୍ରୀ ଓ ୧୯୯୧ରେ ପଦ୍ମଭୂଷଣରେ ସମ୍ମାନିତ କରିଥିଲେ। ତାଙ୍କ ପରଲୋକରେ ଭାରତୀୟ ସିନେମା ଜଗତରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ସ୍ତବଧ ହୋଇଛି ପୁରା ସିନେ ଜଗତ।