ବିଗିଡ଼ିଲା ପ୍ରସିଦ୍ଧ ବଲିଉଡ୍ ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ସ୍ୱାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି
ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ସୁଭାଷ ଘାଇ ଅସୁସ୍ଥତା ହେତୁ ବାନ୍ଦ୍ରା ସ୍ଥିତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ପୋକ୍ ପର୍ସନ ଶନିବାର ଅର୍ଥାତ ଗତକାଲି ବିଳମ୍ବିତ ରାତିରେ କହିଛନ୍ତି ଯେ ନିର୍ଦ୍ଦେଶକଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛି । ସୂଚନା ମୁତାବକ ନିୟମିତ ଚେକଅପ୍ ପାଇଁ ନିର୍ଦ୍ଦେଶକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିର୍ଦ୍ଦେଶକଙ୍କ ଟିମ୍ କହିଛନ୍ତି ଯେ, ଏବେ ସୁଭାଷ ଘାଇ ସମ୍ପୂର୍ଣ୍ଣ ଭଲ ଅଛନ୍ତି । ତାଙ୍କୁ ନିୟମିତ ଚେକଅପ୍ ପାଇଁ ଆଡମିଶନ କରାଯାଇଛି ଏବଂ ତାଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଛି ।
ଫ୍ୟାନ୍ସମାନଙ୍କର ଏଭଳି ଭଲ ପାଇବା ଏବଂ ଚିନ୍ତା ପାଇଁ ନିର୍ଦ୍ଦେଶକଙ୍କ ଟିମ୍ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଏହାପୂର୍ବରୁ ହସ୍ପିଟାଲ ଏକ ବୟାନରେ କହିଥିଲା ଯେ- ସୁଭାଷ ଘାଇ ପୂର୍ବରୁ ଇସକେମିକ୍ ହୃଦ୍ ରୋଗରେ ପୀଡିତ ଥିଲେ ଏବଂ ନିକଟରେ ହାଇପୋଥାଇରଏଡିଜିମ୍ ରୋଗରେ ଆକ୍ରାନ୍ତ ହୋଇଥିଲେ । ଡକ୍ଟରଙ୍କ ତତ୍ତ୍ୱାବଧାନରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି ।
ସୂଚନାଯୋଗ୍ୟ, ସୁଭାଷ ଘାଇ ବଲିଉଡରେ ଜଣେ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ‘ତକଦିର୍’ ଏବଂ ‘ଆରାଧନା’ ଭଳି ଚଳଚ୍ଚିତ୍ରରେ ଛୋଟ ଛୋଟ ଭୂମିକା ଗ୍ରହଣ କରିଥିଲେ । ଏହା ପରେ ସେ ‘ଉମଙ୍ଗ’ ଏବଂ ‘ଗୁମରାହ’ ଭଳି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଜଣେ ଅଭିନେତା ଭାବରେ ତାଙ୍କର କ୍ୟାରିଅର୍ ଅଧିକ ସଫଳ ହୋଇନଥିଲା ଯାହା ପରେ ସେ ଫିଲ୍ମ ନିର୍ଦ୍ଦେଶନା ଆଡକୁ ମନ ବଳାଇଥିଲେ ।
ସେ ‘କାଲିଚରନ୍’, ‘ବିଶ୍ୱନାଥ’, ‘କର୍ଜ’, ‘ହିରୋ’, ‘ବିଧାତା’, ‘ମେରୀ ଜଙ୍ଗ’, ‘କର୍ମା’, ‘ରାମ ଲଖନ’, ‘ସୌଦାଗର’, ‘ଖଲନାୟକ’, ‘ପରଦେଶ’ ଏବଂ’ ତାଲ୍’ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା । ୨୦୦୬ ରେ, ସେ ସାମାଜିକ ସମସ୍ୟାକୁ ନେଇ ପ୍ରସ୍ତୁତ କରିଥିବା ଶ୍ରେଷ୍ଠ ଚଳଚ୍ଚିତ୍ର ‘ଇକବାଲ୍’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲେ । ସେହି ବର୍ଷ ସେ ମୁମ୍ବାଇରେ Whistling Woods International Film and Media ପ୍ରତିଷ୍ଠା କରିଥିଲେ । ଏହା ପରେ ସେ କେବେ ପଛକୁ ଫେରିନାହାନ୍ତି ଏବଂ ଆଜି ସେ ବଲିଉଡର ଜଣେ ଜଣାଶୁଣା ନିର୍ଦ୍ଦେଶକ ଭାବେ ବେଶ ଲୋକପ୍ରିୟ ।