ବଲିଉଡ୍ ସିଙ୍ଗର ଶାନଙ୍କ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ବୃଦ୍ଧ ମହିଳା ଗୁରୁତର, ୧୦ ଦମକଳ ଗାଡ଼ି ଲିଭାଇଲେ ନିଆଁ

ବଲିଉଡର ଲୋକପ୍ରିୟ ସିଙ୍ଗର ଶାନଙ୍କ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର ବାନ୍ଦ୍ରା ପଶ୍ଚିମ ଅଞ୍ଚଳରେ ଥିବା ଏହି ବିଲ୍ଡିଂରେ ହଠାତ୍ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସର୍ଟ ସର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଛି । ବିଲ୍ଡିଂର ସପ୍ତମ ମହଲାରେ ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ୧୦ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ।

ଘଣ୍ଟା ଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ହେତୁ ଜଣେ ୮୦ ବର୍ଷୀୟା ବୃଦ୍ଧ ମହିଳା ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ତୁରନ୍ତ ବିଲ୍ଡିଂରୁ ଉଦ୍ଧାର କରାଯାଇ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବୃଦ୍ଧ ମହିଳା ବର୍ତ୍ତମାନ ଆଇସିୟୁରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।

ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇଥିବାର ଖବର ନାହିଁ ।

ବିଏମସି ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧୨ଟା ୪୫ରେ ଜରୁରୀକାଳୀନ ନମ୍ବରରେ ସେମାନଙ୍କୁ ଖବର ମିଳିଥିଲା । ଏହାପରେ ଅଗ୍ନିଶମ କର୍ମଚାରୀମାନେ ୧୦ ଦମକଳ ଗାଡ଼ି ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ବିଲ୍ଡିଂ ୧୧ତମ ମହଲାରେ ଗାୟକ ଶାନଙ୍କର ଏକ ଫ୍ଲାଟ ରହିଛି । ନିଆଁ ଲାଗିବା ସମୟରେ ଶାନ୍ ଏବଂ ତାଙ୍କ ପରିବାର ଫ୍ଲାଟରେ ଥିଲେ । ଅଗ୍ନିଶମ ବିଭାଗ ଅଧିକାରୀମାନେ କହିଛନ୍ତି ଯେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ । ପୋଲିସ ଘଟଣାର ବିସ୍ତୃତ ତଦନ୍ତ କରୁଛି ।

ତେବେ ନିଆଁ ଲିଭାଯାଉଥିବା ବେଳେ ବିଲ୍ଡିଂର ଲୋକମାନଙ୍କ ସହ ଶାନ ମଧ୍ୟ ତାଙ୍କ ପରିବାର ସହିତ ଆପାର୍ଟମେଣ୍ଟ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ସେପଟେ ପୋଲିସ କିଛି ଘଣ୍ଟା ମଧ୍ୟରେ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିବାରେ ସଫଳ ହୋଇଥିଲା ।