ଚଳିତ ବର୍ଷ କରୋନା ମହାମାରୀ ଦେଶର ଚଳଚ୍ଚିତ୍ର ଜଗତକୁ ଗଭୀର ପ୍ରଭାବିତ କରିଛି। ଏନେଇ ଦୀର୍ଘ ଦିନ ଧରି ସମସ୍ଯାର ସାମ୍ନା କରୁଥିବା ଫିଲ୍ମ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ସରକାର ନୂତନ ପଦକ୍ଷେପ ଆରମ୍ଭ କରିବା ପାଇଁ ନିଷ୍ପତ୍ତି କରିଛନ୍ତି। ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଜାରି ହୋଇଥିବା ଲକ୍ଡାଉନ୍ କାରଣରୁ ଏବେ ଦେଶରେ ଚଳଚ୍ଚିତ୍ରର ସୁଟିଂ, ପ୍ରଯୋଜନା ଏବଂ ରିଲିଜ୍ ମଧ୍ୟ ବନ୍ଦ ରହିଛି। ଫଳରେ ବଲିଉଡ୍ ଜଗତ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଲକ୍ଷାଧିକ ବ୍ୟକ୍ତିଙ୍କ ଜୀବନ ଓ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି।
ଏହାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର ଜଗତ ସହ ସଂପୃକ୍ତ ସମସ୍ତ କାର୍ଯ୍ୟକୁ ଆଉଥରେ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ଏସ୍ଓପି ଜାରି କରିବେ ବୋଲି କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି।
ମହାମାରୀକୁ ଦୃଷ୍ଟିରେ ରଖି ସରକାର ଚଳଚ୍ଚିତ୍ର ସୁଟିଂ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସ୍ଓପି) ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତରେ, କୋଭିଡ୍-୧୯ କାରଣରୁ ଅଟକି ରହିଥିବା ଚଳଚ୍ଚିତ୍ର ସୁଟିଂର ପୁନଃ ଆରମ୍ଭ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଥିରେ ମାର୍ଗଦର୍ଶନ ଜାରି କରାଯିବ। ଚଳଚ୍ଚିତ୍ର ସୁଟିଂ ସହ ଟିଭି ସିରିଏଲ ଓ ବିଜ୍ଞାପନ ଚଳଚ୍ଚିତ୍ରର ସୁଟିଂ ପାଇଁ ଏଥିରେ ଅ୍ରନୁମତି ମିଳିବ।