ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କୁ ଷ୍ଟେଜ୍ ଥ୍ରୀ କ୍ୟାନ୍ସର, ଇନଷ୍ଟାଗ୍ରାମରେ ଦେଲେ ସୂଚନା

ଟେଲିଭିଜନ୍ ଦୁନିଆର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ହିନା ଖାନ୍ ଅନ୍ୟତମ । ସେ ଅଭିନୟ କରିଥିବା ଏକ ଧାରାବାହିକର ଅକ୍ଷରା ଭୂମିକା ଯୋଗୁ ତାଙ୍କୁ ଦର୍ଶକଙ୍କ ଠାରୁ ଖୁବ୍‌ ଭଲ ପାଇବା ମିଳିଥିଲା । ଏହାପରେ ବିଗ୍ ବସ୍ ସୋ, ଅନେକ ଆଲବମ୍ ୱେବ୍ ସିରିଜ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ହେଲେ ଏହି ଚଲବୁଲି ସୁନ୍ଦରୀ ଅଭିନେତ୍ରୀ ହିନା ଖାନ ଏବେ କଠିନ ସମୟ ଦେଇ ଗତି କରୁଛନ୍ତି । ତେବେ ଯାହା ସୂଚନା ମିଳିଛି କି, ବର୍ତ୍ତମାନ ହିନାଙ୍କୁ ଷ୍ଟେଜ୍ -୩ କ୍ୟାନ୍ସର ।

ନିଜେ ହିନା ଖାନ ନିଶ୍ଚିତ କରିଛନ୍ତି ଯେ ତାଙ୍କୁ ସ୍ତନ କର୍କଟ ରୋଗ ହୋଇଛି । ଆଜି ଏହି ଅଭିନେତ୍ରୀ ଜଣକ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲକୁ ଏନେଇ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ସେ ପ୍ରଥମେ ଲେଖିଛନ୍ତି, ସମସ୍ତଙ୍କୁ ନମସ୍କାର । ସମସ୍ତଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ଖବର ବାଣ୍ଟିବାକୁ ଚାହେଁ । ଏହାପରେ ସେ ଲେଖିଛନ୍ତି ସେ ଷ୍ଟେଜ୍ -୩ ସ୍ତନ କର୍କଟରେ ପୀଡିତ । ଏହି ଖବର ମିଳିବା ପରେ ତାଙ୍କ ପ୍ରଶଂସକମାନେ ଖୁବ୍ ଦୁଃଖ ପ୍ରକାଶ କରିବା ସହିତ ହିନାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

ତେବେ ଏହାରି ଭିତରେ ହିନା ନିଜ ପୋଷ୍ଟରେ ଲେଖିଛନ୍ତି କି, ତାଙ୍କର ଚିକିତ୍ସା ଆରମ୍ଭ ହୋଇସାରିଛି ଏବଂ ସେ ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭଲ ଅଛନ୍ତି । ହିନା ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ରୋଗ ସହିତ ଲଢିବା ପାଇଁ ସେ ଶକ୍ତିଶାଳୀ ହେବା ସହିତ ପୁରା ଦୃଢ ସଂକଳ୍ପବଦ୍ଧ ଏବଂ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛନ୍ତି । ସେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି ।

ତେବେ ଏହି ପୋଷ୍ଟଟି ସେୟାର ହେବାର କିଛି ସମୟ ପରେ, ପ୍ରଶଂସକ ଏବଂ ତାଙ୍କ ବନ୍ଧୁମାନେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଅଭିନେତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ରଶ୍ମୀ ଦେଶାଇ ଲେଖିଛନ୍ତି, “ତୁମେ ସର୍ବଦା ବହୁତ ଶକ୍ତିଶାଳୀ । ମୁଁ ପ୍ରାର୍ଥନା କରୁଛି ଯଥାଶୀଘ୍ର ଆରୋଗ୍ୟ ହୁଅ, ତୁମକୁ ବହୁତ ସାରା ଭଲପାଇବା । ସେହିପରି ଅଙ୍କିତା ଲୋଖଣ୍ଡେ ମଧ୍ୟ ନିଜ ମନ୍ତବ୍ୟ ଦେଇଛନ୍ତି, ସେ ଲେଖିଛନ୍ତି “ଏହାଠାରୁ ହିନା ଆହୁରୀ ଅଧିକ ଶକ୍ତିଶାଳୀ । ଏହାକୁ ମଧ୍ୟ ସେ ପାସ୍ କରିବେ । ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ । ତେବେ ଆମେ ବି ପ୍ରାର୍ଥନା କରିବୁ ଖୁବ୍ ଶୀଘ୍ର ହିନା ସୁସ୍ଥ ହୋଇ ପୁଣି ନିଜର ଅଭିନୟରେ ସମସ୍ତଙ୍କର ମନ କିଣନ୍ତୁ ।