ସଂଗୀତକାର ବାପି ଲାହିରିଙ୍କର ଆଭୂଷଣ ପ୍ରତି ଥିଲା ଅହେତୁକ ଦୁର୍ବଳତା, ଜାଣନ୍ତୁ ତାଙ୍କ ପାଖେ ଥିଲା କେତେ ସୁନା ଗହଣା

୨୦୨୨କୁ ବୋଧେ କାହା ନଜର ଲାଗି ଯାଇଛି। ଏଇ ମାତ୍ର ହାତ ଗଣତି ଦିନ କେଇଟା ଭିତରେ ସଂଗୀତ ଜଗତକୁ ଲାଗିଛି ଗୋଟିଏ ପରେ ଗୋଟେ ଝଟ୍‌କା। ପ୍ରଥମେ କୋକିଳ କଣ୍ଠୀ ଲତା ମଙ୍ଗେସକର ସାରା ଦେଶକୁ ଲୁହର ସାଗରରେ ଭସାଇ ଚାଲି ଯାଇଥିବା ବେଳେ ଆଜି ପୁଣି ଏକ ଦୁଃଖଦ ଖବର ସିନେ ଜଗତକୁ ଦୋହଲାଇ ଦେଇଛି। ଚାଲି ଯାଇଛନ୍ତି ବାପି ଲାହିରି। ସୁନାକୁ ଭଲ ପାଉଥିବା ଜଣେ ସୁନା। ୮୦ ଓ ୯୦ ଦଶକରେ ଭାରତରେ ଡିସ୍କୋ ସଂଗୀତକୁ ଲୋକପ୍ରିୟ କରିଥିବା ସଂଗୀତକାର ତଥା ଗାୟକ ବାପି ଲାହିରି ଆଜି ଦୁନିଆକୁ କହିଛନ୍ତି ଅଲ୍‌ବିଦା। ୬୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଆଜି ସକାଳେ ତାଙ୍କ ପରଲୋକ ଘଟିଛି। ଏ ନେଇ ନିର୍ଦ୍ଦେଶକ ଡା.ଦୀପକ ନାମଜୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଲାହିରି ଦୀର୍ଘ ମାସେ ହେଲାଣି ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ସୋମବାର ଦିନ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। କିନ୍ତୁ ମଙ୍ଗଳବାର ହଠାତ୍‌ ପୁଣିଥରେ ତାଙ୍କ ଶରୀରର ଅବସ୍ଥା ବିଗିଡ଼ିବାକୁ ଲାଗିଥିଲା। ଏଣୁ ପରିବାର ଲୋକେ ଘରକୁ ଜଣେ ଡାକ୍ତରଙ୍କୁ ଡାକିଥିଲେ। କିନ୍ତୁ ଘରେ ଚିକିତ୍ସା ସମ୍ଭବ ହେଲାଣି। ଏଣୁ ପୁଣିଥରେ ତାଙ୍କୁ କାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଥିଲା। ଡାକ୍ତର ବି ଚେଷ୍ଟାରେ କୌଣସି ଖିଲାପ କରିନଥିଲେ। କିନ୍ତୁ ବିଧିର ବିଧାନ ବୋଧେ ଥିଲା କିଛି ଅଲଗା। ଅଧ ରାତିରେ ଓଏସ୍‌ଏ ବା ଅବ୍‌ଷ୍ଟ୍ରକ୍ଟଟିଭ୍‌ ସ୍ଲିପ୍‌ ଏପନିୟା ଯୋଗୁ ତାଙ୍କ ମୃତ୍ୟୁ ଘଟିଛି। ସକାଳୁ ସକାଳୁ ଏହି ଖବର ସାମ୍ନାକୁ ଆସିବା ପରେ ଦୋହଲି ଯାଇଛନ୍ତି ସଂଗୀତ ପ୍ରେମୀ।

 

View this post on Instagram

 

A post shared by Bappi Lahiri (@bappilahiri_official_)

ବାପି ଲାହିରିଙ୍କ ଜନ୍ମ ୧୯୫୨ ମସିହା ନଭେମ୍ବର ୨୭ ତାରିଖରେ କୋଲକାତାରେ ହୋଇଥିଲା। ସଙ୍ଗୀତ ଜଗତର ହୋଇନଥିଲେ ବି ନିଜ ଭିନ୍ନ ଅନ୍ଦାଜ ଯୋଗୁ ସେ ଖୁବ୍‌ କମ୍‌ ଦିନ ମଧ୍ୟରେ ନିଜର ଏକ ଖାସ୍‌ ପରିଚୟ ସୃଷ୍ଟି କରିପାରିଥିଲେ। ନିଜ ଗେଟ୍‌ଅପ୍‌କୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କାରଣ ବାପି ସବୁବେଳେ ସୁନାର ଆଭୂଷଣ ପିନ୍ଧିବାକୁ ଭଲ ପାଉଥିଲେ। ଏମିତି କୌଣସି ଶୋ’ ନାହିଁ ଯେଉଁଠାକୁ ବାପି ଲାହିରି ବିନା ସୁନା ଗହଣା ପିନ୍ଧି ଯାଇଥିବେ। ବେକରେ ମୋଟା ମୋଟା ସୁନା ହାରମାଳ, ହାତରେ ମୁଦି, ସବୁବେଳେ ନିଜକୁ ଏକ ଭିନ୍ନ ଲୁକ୍‌ରେ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପିତ କରୁଥିଲେ ଏହି ସଙ୍ଗୀତକାର। ୨୦୧୪ ମସିହାରେ ନିର୍ବାଚନ ବେଳେ ନିଜ ସମ୍ପତ୍ତି ତାଲିକା ଦେବା ଅବସରରେ ବାପି କହିଥିଲେ ଯେ ତାଙ୍କ ନିକଟରେ ୭୫୨ ଗ୍ରାମ୍‌ ସୁନା ଓ ୪.୬୨ କେଜି ଚାନ୍ଦି ରହିଛି। ଏଇଥିରୁ ଅନୁମାନ କରନ୍ତୁ ସେ ସୁନାର କେତେ ସୌଖିନ ଥିଲେ।

ବାପି ଲାହିରି ନିଜ ଜୀବନକାଳ ମଧ୍ୟରେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ୧୯୮୦ ଓ ୯୦ ଦଶକରେ ସେ ଚଲତେ ଚଲ୍‌ତେ, ଡିସ୍କୋ ଡ୍ୟାନ୍ସର, ନମକ ହଲାଲ, ଶରାବୀ, ଡାନ୍ସ ଡ୍ୟାନ୍ସ, କମାଣ୍ଡୋ, ସାହେବ, ଗ୍ୟାଙ୍ଗ ଲିଡର, ସେଲାବ୍‌ ଭଳି ଗୀତ ଦର୍ଶକଙ୍କୁ ଭେଟି ଦେଇଛନ୍ତି। କେବଳ ହିନ୍ଦୀ ନୁହେଁ ବଙ୍ଗାଳୀରେ ବି ସେ ଅମର ସଂଗୀତ, ଆଶା ଓ ଭୋଲୋବାଶ, ଆମର ତୁମୀ, ଅମର ପ୍ରେମ, ମନ୍ଦିରା, ବଦନାମ, ରକ୍ତଲେଖା, ପ୍ରିୟା ଭଳି ଅନେକ ହିଟ୍‌ ଗୀତ ଦେଇଛନ୍ତି।

 

View this post on Instagram

 

A post shared by Bappi Lahiri (@bappilahiri_official_)

ଗତ ୪୮ ବର୍ଷ ମଧ୍ୟରେ ୫୦୦ରୁ ଅଧିକ ଫିଲ୍ମରେ ୫୦୦୦ରୁ ଅଧିକ ଗୀତ କମ୍ପୋଜ୍‌ କରିଛନ୍ତି ବାପି। ହିନ୍ଦୀ, ବଙ୍ଗାଳୀ, ତାମିଲ, ତେଲୁଗୁ, ମାଲାୟାଲମ୍‌, କନ୍ନଡ଼, ଗୁଜରାଟୀ, ମରାଠୀ, ପଞ୍ଜାବୀ, ଓଡ଼ିଆ, ଭୋଜପୁରୀ, ଆସାମୀ ଭାଷା ସମେତ ବାଂଲାଦେଶୀ ଫିଲ୍ମ ଓ ଇଂରାଜୀରେ ବି ସେ ଗୀତ କମ୍ପୋଜ କରିଛନ୍ତି। ତେବେ ବାପି ଲାହିରିଙ୍କ ଅମର ଆତ୍ମାକୁ ଭଗବାନ ସଦ୍‌ଗତି ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.