ଭାରତୀୟ ମୂଳର ଚନ୍ଦ୍ରିକା ଟଣ୍ଡନ୍ ଜିତିଲେ ପ୍ରତିଷ୍ଠିତ ‘ଗ୍ରାମୀ ଆୱାର୍ଡ ୨୦୨୫’, ଆଲବମ୍ ‘ତ୍ରିବେଣୀ’କୁ ମିଳିଲା ପୁରସ୍କାର

୬୭ତମ ‘ଗ୍ରାମୀ ଆୱାର୍ଡସ୍’ରୁ ଭାରତୀୟଙ୍କ ପାଇଁ ଖୁସି ଖବର । ଭାରତୀୟ ମୂଳର ଆମେରିକୀୟ ବିଜନେସ୍ ୱିମେନ୍ ତଥା ସଂଗୀତଜ୍ଞ ଚନ୍ଦ୍ରିକା ଟଣ୍ଡନ୍ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି । ଚନ୍ଦ୍ରିକା ଟଣ୍ଡନଙ୍କ ଆଲବମ୍ ‘ତ୍ରିବେଣୀ’କୁ ମିଳିଛି ୬୭ତମ ଗ୍ରାମୀ ପୁରସ୍କାର । ଏହି ଆଲବମରେ ପ୍ରାଚୀନ ମନ୍ତ୍ରଗୁଡ଼ିକୁ ବିଶ୍ୱ ସଙ୍ଗୀତ ସହିତ ମିଶ୍ରଣ କରାଯାଇଛି ।
୭୧ ବର୍ଷୀୟା ଚନ୍ଦ୍ରିକା ‘ବେଷ୍ଟ୍ ନ୍ୟୁ ଏଜ୍, ଆମ୍ବିଏଣ୍ଟ୍ ଏବଂ ଚାଣ୍ଟ୍ ଆଲବମ୍’ ବର୍ଗରେ ଟ୍ରଫି ଜିତିଛନ୍ତି । ଏହି ଆଲବମରେ ସାତୋଟି ମ୍ୟୁଜିକାଲ୍ ଟ୍ରାକ୍ ରହିଛି, ଯାହା ଆପଣଙ୍କୁ ମେଡିଟେସନ ଯାତ୍ରାକୁ ନେଇଯାଏ । ଚନ୍ଦ୍ରିକା ଏହାକୁ ‘ଆନ୍ତରିକ ଉପଚାର’ ବୋଲି କହିଛନ୍ତି ।
ତିନୋଟି ନଦୀର ସଙ୍ଗମ ନାମରେ ନାମିତ ଏହି ଆଲବମରେ ଶହ ଶହ ବର୍ଷ ପୁରୁଣା ବୈଦିକ ମନ୍ତ୍ରଗୁଡ଼ିକର ପ୍ରସ୍ତୁତି ରହିଛି । ଏଥିପାଇଁ ଚନ୍ଦ୍ରିକା ଦକ୍ଷିଣ ଆଫ୍ରିକାର ବାଂଶୀ ବାଦକ ୱାଉଟର କେଲରମ୍ୟାନ୍ ଏବଂ ଜାପାନର ସେଲିଷ୍ଟ ଇରୁ ମାତ୍ସୁମୋତୋଙ୍କ ସହ ମିଶି କାମ କରିଛନ୍ତି । ରବିବାର ଲସ୍ ଏଞ୍ଜେଲସରେ ଏହି ପ୍ରତିଷ୍ଠିତ ପୁରସ୍କାର ପାଇବା ପରେ ଚନ୍ଦ୍ରିକା କହିଛନ୍ତି, ‘ସଙ୍ଗୀତ ହେଉଛି ପ୍ରେମ, ସଙ୍ଗୀତ ଆମ ସମସ୍ତଙ୍କ ଭିତରେ ଆଲୋକ ଜାଗ୍ରତ କରେ । ଆମର ସବୁଠାରୁ ଖରାପ ଦିନରେ ମଧ୍ୟ ସଙ୍ଗୀତ ଖୁସି ଏବଂ ଆନନ୍ଦ ବିସ୍ତାର କରେ’ ।
ଚନ୍ଦ୍ରିକା ଟଣ୍ଡନ ଚେନ୍ନାଇର ଏକ ପାରମ୍ପରିକ ତଥା ରକ୍ଷଣଶୀଳ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଅନ୍ୟ ଏକ ପରିଚୟ ହେଉଛି, ସେ ଜଣେ ଗ୍ଲୋବାଲ୍ ବିଜନେସ୍ ଲିଡର ଏବଂ ‘ପେପ୍ସିକୋ’ର ପୂର୍ବତନ ଚେୟାରମ୍ୟାନ୍ ଇନ୍ଦ୍ରା ନୁଇଙ୍କ ବଡ଼ ଭଉଣୀ । ସେ ମାଡ୍ରାସ୍ ଖ୍ରୀଷ୍ଟିଆନ କଲେଜରୁ ଅଧ୍ୟୟନ କରିଥିଲେ । ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଚନ୍ଦ୍ରିକା କୃଷ୍ଣମୂର୍ତ୍ତି ଟଣ୍ଡନ୍ ।
ଏହା ମଧ୍ୟ ପଢ଼ନ୍ତୁ: ଦିବଂଗତ ଲୋକଗାୟିକା ଶାରଦା ସିହ୍ନାଙ୍କୁ ପଦ୍ମ ବିଭୂଷଣ, ପଙ୍କଜ ଉଧାସଙ୍କୁ ପଦ୍ମ ଭୂଷଣ, ଅରିଜିତ୍ ସିଂଙ୍କୁ ପଦ୍ମଶ୍ରୀ ପୁରସ୍କାର