ଇଣ୍ଡିଆନ୍ ଆଇଡଲ୍ ୩ର ବିଜେତା ପ୍ରଶାନ୍ତ ତମାଙ୍ଗଙ୍କ ମୃତ୍ୟୁ, ପ୍ରୋଗ୍ରାମରୁ ଫେରିବା ପରେ ଆସିଲା ହାର୍ଟ ଆଟାକ୍

ନୂଆଦିଲ୍ଲୀ : ଇଣ୍ଡିଆନ୍ ଆଇଡଲ୍ ୩ର ବିଜେତା ପ୍ରଶାନ୍ତ ତମାଙ୍ଗଙ୍କ ନିଧନ । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ ମୃତ୍ୟୁ ପାଇଁ ପୁରା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ଦିଲ୍ଲୀର ଜନକପୁରୀ ସ୍ଥିତ ନିଜ ଘରେ ପ୍ରଶାନ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ହୃଦଘାତ ପରେ ତାଙ୍କୁ ଦ୍ୱାରକାର ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଅରୁଣାଚଳ ପ୍ରଦେଶରେ ଏକ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ । ମାତ୍ର ଘରକୁ ଫେରିବାର କିଛି ସମୟ ପରେ ତାଙ୍କର ହୃଦଘାତ ଆସିଥିଲା । ତେବେ ପୂର୍ବରୁ ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା ।

୨୦୦୭ ମସିହାରେ ପ୍ରଶାନ୍ତ ଇଣ୍ଡିଆନ୍ ଆଇଡଲ୍ ୩ ପାଇଁ ଅଡିସନ୍ ଦେଇଥିଲେ । ଏହି ଅଡିସନ୍ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା । ସେ ଶୋ’ ଜିତିଥିଲେ ଏବଂ ଘରେ ଘରେ ପରିଚିତ ହୋଇଯାଇଥିଲେ । ୨୦୧୦ର ନେପାଳୀ ହିଟ୍ ଫିଲ୍ମ ଗୋର୍ଖା ପଲଟନରେ ସେ ଡେବ୍ୟୁ କରିଥିଲେ। ସେ ଅଙ୍ଗାଲୋ ଯୋ ମାୟା କୋ, କିଣା ମାୟା ମା, ନିଶାନୀ, ପରଦେଶୀ ଭଳି ଫିଲ୍ମରେ ଅଭିନୟ କରିଥିଲେ । ସେ ପାତାଲ୍ ଲୋକ ୨ ରେ ମଧ୍ୟ ଅଭିନୟ କରିଥିଲେ ।

Also Read : ସାଉଥ୍ ଅଭିନେତା କନ୍ନନ ପଟ୍ଟାମ୍ବୀଙ୍କ ମୃତ୍ୟୁ, ଚଳଚ୍ଚିତ୍ର ଜଗତରେ ଶୋକର ଛାୟା