ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌, ଟୁଇଟ୍ ମାଧ୍ୟମରେ ଦେଲେ ସୂଚନା

ବଲିଉଡର ଜଣାଶୁଣା ଗୀତିକାର ଅର୍ଥାତ ଲେଖକ ଜାଭେଦ ଅଖତର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁନ୍ତି । ତେବେ ବର୍ତ୍ତମାନ ପ୍ରଶଂସକମାନେ ଜାଭେଦଙ୍କ ଏକ୍ସରେ ସେୟାର ହୋଇଥିବା ପୋଷ୍ଟକୁ ନେଇ ଅନେକ ପ୍ରକାରର କଥାବାର୍ତ୍ତା ଜାରି ରଖିଛନ୍ତି ଏବଂ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିଛନ୍ତି । କିନ୍ତୁ ଏବେ ଖବର ଆସିଛି ଯେ ତାଙ୍କର ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି । ଜାଭେଦ୍ ଅଖତର ନିଜେ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସେ ଏକ ଟୁଇଟ୍ କରି କହିଛନ୍ତି ଯେ ତାଙ୍କ ଆକାଉଣ୍ଟରେ ହ୍ୟାକ୍‌ କରାଯାଇଛି । ସେ ସ୍ପଷ୍ଟ କରିଛନ୍ତି ଯେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତୀୟ ଟିମ୍‌କୁ ସମର୍ଥନ କରୁଥିବା ଟୁଇଟ୍ ତାଙ୍କର ନୁହେଁ ।

ଜାଭେଦ ଅଖତର କହିଛନ୍ତି ଯେ ସେ ଏକ୍ସ ଏବଂ ସଂପୃକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, “ମୋର ଏକ୍ସ ଆଇଡି ହ୍ୟାକ୍ ହୋଇଛି । ଅଲିମ୍ପିକ୍ସ ପାଇଁ ଆମ ଭାରତୀୟ ଟିମ୍‌ ବିଷୟରେ ମୋ ଆକାଉଣ୍ଟରୁ ଏକ ମ୍ୟାସେଜ୍‌ କରାଯାଇଛି । ତେବେ ଏହି ମ୍ୟାସେଜ୍‌ରେ କିଛି ଭୁଲ୍ ଲେଖା ନାହିଁ, କିନ୍ତୁ ମୁଁ ଏହାକୁ ପୋଷ୍ଟ କରି ନାହିଁ ।

ଜାଭେଦ ଅଖତର ପୂର୍ବରୁ ତାଙ୍କ ଏକ୍ସ ଆକାଉଣ୍ଟରେ ଭାରତୀୟ ଅଲିମ୍ପିକ୍ ଟିମ୍‌ ବିଷୟରେ ଟ୍ୱିଟ୍ କରିଥିବା ଟ୍ୱିଟ୍ ଆଉ ତାଙ୍କ ଆକାଉଣ୍ଟରେ ଦେଖିବାକୁ ମିଳୁନାହିଁ । ସେ ଏହାକୁ ଡିଲିଟ କରିଦେଇଛନ୍ତି । ବାସ୍ତବରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ଦିନ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅନେକ ସେଲିବ୍ରିଟି ମନୁ ଭାକରଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ମନୁ ଭାକର ପ୍ରଥମ ଭାରତୀୟ ମହିଳା ହୋଇ ଅଲିମ୍ପିକ ସୁଟିଂରେ ପଦକ ଜିତିଛନ୍ତି । ମନୁଙ୍କ ଏହି ବିଜୟ ଉପରେ କରୀନା କପୁର ଖାନ, ଆଲିଆ ଭଟ୍ଟ, ଅନୁଷ୍କା ଶର୍ମା ଏବଂ ଅନିଲ କପୁରଙ୍କ ଭଳି ବଲିଉଡ ଷ୍ଟାରମାନଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଓ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା । ସେହିପରି ଅଭିନବ ବିନ୍ଦ୍ର, ରାଜୀବର୍ଦ୍ଧନ ସିଂ ରାଠୋର, ବିଜୟ କୁମାର ଏବଂ ଗଗନ ନାରଙ୍ଗଙ୍କ ପରେ ସୁଟିଂରେ ଅଲିମ୍ପିକ୍ ପଦକ ଜିତିଥିବା ମନୁ ଭକର ପଞ୍ଚମ ସୁଟର ହୋଇଛନ୍ତି ।

You might also like