BMC କୁ ନୋଟିସ୍‌ ପଠାଇଲେ କଙ୍ଗନା ରାଣାଓ୍ଵତ୍‌, ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ଦାବି

କଙ୍ଗନା ରାଣାଓ୍ଵତଙ୍କ ଅଫିସ ଭାଙ୍ଗିବା ମାମଲା ଏବେ ଆହୁରି ବିବାଦୀୟ ହୋଇଛି। ନିକଟରେ କଙ୍ଗନାଙ୍କ ଅଫିସ ଉପରେ ବିଏମ୍‌ସି ବୁଲଡୋଜର ଲଗାଇ ଭାଙ୍ଗିଦେଇଥିଲେ। ମାମଲା କୋର୍ଟରେ ପହଞ୍ଚିବା ପରେ ବିଏମ୍‌ସିର ଏହି କାର୍ଯ୍ୟକୁ କୋର୍ଟ ବେନିୟମ କହି ଏହା ଉପରେ ରୋକ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିବା ମଧ୍ୟରେ କଙ୍ଗନାଙ୍କର ଅନେକ କ୍ଷତି ହୋଇସାରିଥିଲା। ତେବେ ବର୍ତ୍ତମାନ କଙ୍ଗନା ନିଜ କ୍ଷତିର ଭରଣା ପାଇଁ ୨ କୋଟି ଟଙ୍କା ଦାବି କରିଛନ୍ତି।

ବିଏମ୍‌ସିକୁ କଙ୍ଗନା ଏକ ନୋଟିସ୍‌ ପଠାଇଛନ୍ତି। ଏହି ନୋଟିସ୍‌ରେ ତାଙ୍କ ଅଫିସ ଭାଙ୍ଗିଥିବାରୁ ସେ କ୍ଷତିପୂରଣ ଦାବି କରିଛନ୍ତି। କଙ୍ଗନା ନିଜ ନୋଟିସ୍‌ରେ କ୍ଷତିପୂରଣ ବାବଦକୁ ୨ କୋଟି ଟଙ୍କା ମାଗିଛନ୍ତି। ସୂଚନାଯୋଗ୍ୟ ଯେ ଅଫିସ ଭଙ୍ଗାଯିବା ଘଟଣାକୁ ନେଇ କଙ୍ଗନା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିଥିଲେ। ଏହା ପୂର୍ବରୁ ସେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଟାବଳୀଙ୍କୁ ଭେଟି କ୍ଷତିପୂରଣ ବିଷୟରେ କଥା ହୋଇଥିଲେ।

ପ୍ରକାଶ ଯେ କଙ୍ଗନା ରାଣାଓ୍ଵତ ୨୦୧୭ରେ ଏହି ବଙ୍ଗଳା କିଣିଥିଲେ ଓ ୨୦୨୦ ଜାନୁଆରୀରେ ଏହାକୁ ସଜାସଜି କରି ଅଫିସ କରିଥିଲେ। ବିଏମ୍‌ସି ୧୯୭୯ ର ପ୍ଲାନ୍‌ ମୁତାବକ ଏହି ବଙ୍ଗଳା ଆବାସୀୟ ସମ୍ପତ୍ତି ତାଲିକାଭୁକ୍ତ। ଏଣୁ ଏଠାରେ ଅଫିସ କରାଯାଇପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.