୨୦ମାସ ପରେ ଟ୍ୱିଟରକୁ ଫେରିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍, କହିଲେ କିଛି ଏମିତି

ବିବାଦୀୟ ବୟାନ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ୍ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର୍‌ର ନିର୍ଦ୍ଦେଶାବଳୀକୁ ଉଲଂଘନ କରି ଟ୍ୱିଟ୍ ପୋଷ୍ଟ କରିବା ପରେ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ଅଚଳ ରଖାଯାଇଥିଲା। ହେଲେ ଆସନ୍ତା ୨୦ମାସ ପରେ ଟ୍ବିଟରକୁ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍।

ଗତ ମେ’ ୨୦୨୧ରେ ତାଙ୍କର ଟ୍ବିଟର ଆକାଉଣ୍ଟକୁ ଅଚଳ କରିଦିଆଯାଇଥିବା ବେଳେ ଗତ ୨୪ ତାରିଖରେ ଏହାକୁ ପୁଣି ଥରେ ସକ୍ରିୟ କରାଯାଇଛି। ଆକାଉଣ୍ଟ ସକ୍ରିୟ ହେବା ପରେ ତୁରନ୍ତ କଙ୍ଗନା ଏକ ଟ୍ବିଟ କରିଛନ୍ତି। ନିଜର ଆଗାମୀ ଫିଲ୍ମ ‘ଏମର‌ଜେନ୍ସି’ର ସୁଟିଂ ଶେଷ ହେବା ଖବର ଦେଇ ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି କଙ୍ଗନା। ଅଭିନେତ୍ରୀ କରିଥିବା ଟ୍ବିଟରେ ଲେଖାଯାଇଛି ଯେ “ଏବଂ ଏହା ଶେଷ ହୋଇଛି !!! ‘ଏମର‌ଜେନ୍ସି’ର ସୁଟିଂ ସଫଳତାର ସହିତ ସମାପ୍ତ ହୋଇଛି। ୨୦ ଅକ୍ଟୋବର ୨୦୨୩ରେ ଆପଣଙ୍କ ସହ ପ୍ରେକ୍ଷାଳୟରେ ଦେଖା ହେବ। ଏହି କ୍ୟାପସନ ସହ ଫିଲ୍ମ ନିର୍ମାଣ ସମୟର କିଛି ଭିଡିଓ ରହିଛି।

ଅଭିନେତ୍ରୀ କଙ୍କନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏକାଧିକ ଟ୍ବିଟ୍‌ କରିବା ପରେ ଟ୍ବିଟର୍‌ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତେବେ ଟ୍ବିଟର୍‌ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପ ରଂଗଭେଦ ମାନସିକତାର ପରିଚୟ ବୋଲି କଙ୍ଗନା କହିଥିଲେ। ପଶ୍ଚିମବଙ୍ଗ ଏବେ ଦ୍ବିତୀୟ କାଶ୍ମୀର ପାଲଟିବାକୁ ଯାଉଛି ବୋଲି ମଧ୍ୟ କଙ୍ଗନା ଟ୍ବିଟ୍‌ କରିଥିଲେ।

ତେବେ ୨୦ମାସ ପରେ ଟ୍ବିଟରକୁ ଫେରିବାପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଙ୍କ ତୁରନ୍ତ ଟ୍ବିଟ ପରେ ତାଙ୍କ ଫ୍ଯାନ୍ସମାନେ ଖୁବ୍ ଖୁସି ହେବା ସହିତ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ତାଙ୍କର ଆଗାମୀ ଫିଲ୍ମ ‘ଏମର‌ଜେନ୍ସି’ର ଭଲ ରେସପଣ୍ଡ ପାଇବା ନେଇ ଆଶା ରଖିଛନ୍ତି କଙ୍ଗନା।

ସୂଚନା ଥାକି, ୨୦୨୧ ରେ କଙ୍ଗନା ଏହି ଚଳଚ୍ଚିତ୍ର ଘୋଷଣା କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ରୀତେଶ ଶାହା ଲେଖିଛନ୍ତି। ଏଥି ସହ କଙ୍ଗନା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଆପଣଙ୍କୁ କହିରଖୁଛୁ ଯେ କଙ୍ଗନାଙ୍କ ବ୍ୟତୀତ ଅନୁପମ ଖେର, ମିଲିନ୍ଦ ସୁମନ, ମହିମା ଚୌଧୁରୀ, ସତୀଶ କୌଶିକ ଏବଂ ଶ୍ରେୟଶ ତାଲପଡେ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ କଙ୍ଗନା ଅନ୍ୟାନ୍ୟ ମୁଭି ପାଇଁ ମଧ୍ୟ କାମ କରୁଛନ୍ତି। ଏହି ବର୍ଷ ‘ଏମର‌ଜେନ୍ସି’ ବ୍ୟତୀତ କଙ୍ଗନା ସୀତା, ଇମଲି ଏବଂ ତେଜସ୍ ଭଳି ଚଳଚ୍ଚିତ୍ରରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.