କଙ୍ଗନା ରାଣାୱତଙ୍କ ବଡିଗାର୍ଡ ବିରୋଧରେ ମୁମ୍ବାଇ ପୋଲିସ ରୁଜୁ କଲା ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବଡିଗାର୍ଡ ନାଁରେ ଆସିଛି ସାଂଘାତିକ ଅଭିଯୋଗ। କଙ୍ଗନାଙ୍କ ବଡିଗାର୍ଡ କୁମାର ହେଗଡେଙ୍କ ବିରୋଧରେ ମୁମ୍ବାଇର ମେକଅପ ଆର୍ଟିଷ୍ଟ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିଥିବା ନେଇ ଅଭିଯୋଗ ଆସିଛି। ଅଭିଯୁକ୍ତ ବିରୋଧରେ ମୁମ୍ବାଇ ପୋଲିସ ଆଇପିସି ଧାରା ୩୭୬, ୩୭୭ ଓ ୪୨୦ ରେ ମାମଲା ରୁଜୁ କରିଛି।

ପୀଡ଼ିତାଙ୍କ ମେଡିକାଲ ଟେଷ୍ଟ ଓ ବୟାନ ଆଧାରରେ ବୁଧବାର ରାତି ଡିଏନ ନଗର ଥାନାରେ ହେଗଡେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ସେ ୨୦୧୩ ମସିହାରେ ହେଗଡେଙ୍କୁ ଭେଟିଥିଲେ ଓ ଗତ ବର୍ଷ ଜୁନରେ ସେ ତାଙ୍କୁ ପ୍ରପୋଜ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ବାରମ୍ବାର ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା। ଅଭିଯୁକ୍ତ ଅନେକ ଥର ତାଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ବି ରଖିଛନ୍ତି। ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଏପ୍ରିଲ ୨୭ରେ ଅଭିଯୁକ୍ତ ତାଙ୍କଠାରୁ ୫୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ କଙ୍ଗନାଙ୍କ ହେୟାର ଷ୍ଟାଇଲିଷ୍ଟ ବ୍ରେଣ୍ଡନ ଏଲିଷ୍ଟର ଡି ଜିଙ୍କ ବିରୋଧରେ ୨୦୨୦ ରେ ଜଣେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। POCSO ଆକ୍ଟ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.