ମାତ୍ର ୯୯ ଟଙ୍କାରେ ବୁକ୍ କରନ୍ତୁ ‘ଏମରଜେନ୍ସି’ ଟିକେଟ୍, କଙ୍ଗନା ରାଣାୱତ ଫ୍ୟାନ୍ସଙ୍କୁ ଦେଲେ ବଡ଼ ଉପହାର

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’କୁ ନେଇ ଜବରଦସ୍ତ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆପଣ କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମରଜେନ୍ସି’ର ଟିକେଟ୍ ମାତ୍ର ୯୯ ଟଙ୍କାରେ ବୁକ୍ କରିପାରିବେ ।

ମାତ୍ର ୯୯ ଟଙ୍କାରେ ଆପଣ ଏହି ଫିଲ୍ମକୁ ସିନେମାଘରେ ଉପଭୋଗ କରିପାରିବେ । ଯଦି ଆପଣ ବଡ଼ ପରଦାରେ ଏହି ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି, ତେବେ ୨୦୨୫ ଜାନୁୟାରୀ ୧୭ରେ ‘ସିନେମା ଲଭର୍ ଡେ’ ଅବସରରେ ଏହି ଧମାକାଦାର ଅଫରର ଲାଭ ଉଠାଇ ପାରିବେ ।

ଏହି ଦିନ ଦର୍ଶକମାନେ ଅନେକ ଚଳଚ୍ଚିତ୍ର ମାତ୍ର ୯୯ ଟଙ୍କାରେ ଦେଖିପାରିବେ । ‘ସିନେମା ଲଭର୍ ଡେ’ ଅବସରରେ ଭାରତର ଅଧିକାଂଶ ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସରେ ମାତ୍ର ୯୯ ଟଙ୍କାରେ ନୂଆ ଓ ପୁରୁଣା ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଉଛି । ୨୦୨୫ ବର୍ଷର ପ୍ରଥମ ‘ସିନେମା ଲଭର୍ ଡେ’ ଜାନୁୟାରୀ ୧୭ରେ ପାଳନ କରାଯିବ । ଏହି ଖାସ୍ ଅବସରରେ ଆପଣ କଙ୍ଗନାଙ୍କ ‘ଏମରଜେନ୍ସି’ର ପ୍ରଥମ ଦିନର ଟିକେଟ୍ ୯୯ ଟଙ୍କାରେ କିଣିପାରିବେ ।

ଫିଲ୍ମ ‘ଏମରଜେନ୍ସି’ର ନିର୍ଦ୍ଦେଶନା ଦେଇଛନ୍ତି କଙ୍ଗନା ରାଣାୱତ । ଏହି ଫିଲ୍ମ ଐତିହାସିକ ରାଜନୈତିକ ଡ୍ରାମା ଉପରେ ଆଧାରିତ । ଭାରତରେ ଲାଗିଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଏହା ପର୍ଯ୍ୟବସିତ । ଫିଲ୍ମରେ ଶ୍ରେୟସ୍ ତଲପଡେ, ଅଶୋକ ଛାବ୍ରା, ମହିମା ଚୌଧୁରୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

ନିକଟରେ ଅଭିନେତ୍ରୀ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ପାଇଁ ନାଗପୁରରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖିଥିଲେ । ଅଭିନେତ୍ରୀ ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଥିଏଟର ଭିତରେ ନୀତିନ ଗଡକରୀଙ୍କ ସହ କଙ୍ଗନା ବସିଥିବାର ନଜର ଆସିଥିଲେ ।