ଲୋକପ୍ରିୟ ଟିଭି ଅଭିନେତ୍ରୀ ତଥା ଉପସ୍ଥାପିକା ଅପର୍ଣ୍ଣା ଭାସ୍ତାରେଙ୍କ ନିଧନ, ୫୭ ବର୍ଷରେ ତ୍ୟାଗ କଲେ ଶେଷ ନିଃଶ୍ୱାସ

କନ୍ନଡ଼ର ଲୋକପ୍ରିୟ ଟିଭି ଅଭିନେତ୍ରୀ ଅପର୍ଣ୍ଣା ଭାସ୍ତାରେଙ୍କ ନିଧନ ହୋଇଛି । ଅଭିନେତ୍ରୀଙ୍କ ନିଧନ ଖବର ଶୁଣି ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ଅଭିନେତ୍ରୀ ତଥା ଟିଭି ଉପସ୍ଥାପିକା ଅପର୍ଣ୍ଣା ଗୁରୁବାର ରାତିରେ ବେଙ୍ଗାଲୁରୁରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୫୭ ବର୍ଷ ବୟସରେ ସେ ଦୁନିଆକୁ ଅଲ୍‌ବିଦା କହିଛନ୍ତି । ଅଭିନେତ୍ରୀଙ୍କ ସ୍ୱାମୀ ନାଗରାଜ ଭାସ୍ତାରେଙ୍କ ସୂଚନା ଅନୁସାରେ, ଅଭିନେତ୍ରୀ ଗତ ୨ ବର୍ଷ ଧରି ଫୁସ୍‌ଫୁସ୍‌ କର୍କଟ ରୋଗରେ ପୀଡ଼ିତ ଥିଲେ ।

ସେପଟେ ଅପର୍ଣ୍ଣାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପ୍ରଶଂସକ ଏବଂ ସାଙ୍ଗମାନେ ତାଙ୍କୁ ସୋସିଆଲ ମିଡିଆରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଅପର୍ଣ୍ଣା ଭାସ୍ତାରେଙ୍କୁ ଡିଡି ଚନ୍ଦନାରେ ଉପସ୍ଥାପିକା ଏବଂ କେତେକ ସରକାରୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜଣାଯାଇଥାଏ । କନ୍ନଡ଼ରେ ସେ ଅନେକ ଟିଭି ଶୋ’ରେ କାମ କରିଛନ୍ତି । ବହୁତ କମ୍‌ ଲୋକ ଜାଣିଥିବେ ଯେ ୧୯୯୮ରେ ଦୀପାବଳି ସମାରୋହ ବେଳେ ଅପର୍ଣ୍ଣା ଲଗାତାର ୮ ଘଣ୍ଟା ଧରି କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଏକ ରେକର୍ଡ ସୃଷ୍ଟି କରିଥିଲେ ।

୧୯୮୪ ମସିହାରେ ପୁଟୁନ୍ନା କନାଗଲ୍‌ଙ୍କ ଶେଷ ଫିଲ୍ମ ‘ମସନଦା ହୁଭୁ’ରୁ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ସମବେଦନା ବ୍ୟକ୍ତି କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ସାଉଥ୍‌ର ଲୋକପ୍ରିୟ ଅଭିନେତା ରିଷଭ ସେଟ୍ଟି ମଧ୍ୟ ନିଜର ‘ଏକ୍ସ’ ହ୍ୟାଣ୍ଡେଲରେ ଅଭିନେତ୍ରୀଙ୍କ ଫଟୋ ପୋଷ୍ଟ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

କହି ରଖୁଛୁ, ଅପର୍ଣ୍ଣା ଭାସ୍ତାରେ କନ୍ନଡ଼ ରିୟାଲିଟି ଟିଭି ଶୋ’ ‘ବିଗ୍‌ବସ୍‌’ରେ ମଧ୍ୟ ନଜର ଆସିଥିଲେ । ଏହାସହ ସେ ଲୋକପ୍ରିୟ କମେଡି ଶୋ’ ‘ମାଜା ଟକିଜ୍‌’ରେ ‘ଭରଲକ୍ଷ୍ମୀ’ ରୂପେ ଅଭିନୟ କରିଥିଲେ । ଦର୍ଶକ ମଧ୍ୟ ତାଙ୍କର ଏହି ଅଭିନୟକୁ ବହୁତ ପ୍ରଶଂସା କରିଥିଲେ ।

You might also like