ବେଙ୍ଗାଲୁରୁ : କନ୍ନଡ଼ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଦର୍ଶନ ଥୁଗୁଦୀପା ଏବେ ଜେଲରେ । ରେଣୁକା ସ୍ୱାମୀ ହତ୍ୟା ଘଟଣାରେ ଦର୍ଶନ ବନ୍ଧା ହୋଇଛନ୍ତି । ତେବେ ବର୍ତ୍ତମାନ ଜେଲ୍ ଭିତର ଏକ ଫଟୋ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ବେଶ୍ ଭଲରେ ଅଛନ୍ତି ଏହି ସୁପରଷ୍ଟାର । ହାଇପ୍ରୋଫାଇଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ସତ୍ତ୍ୱେ ତାଙ୍କୁ ଜେଲରେ ଭିଭିଆଇପି ଭଳି ସୁବିଧା ମିଳୁଥିବା ଅଭିଯୋଗ ହୋଇଛି । ପୂରା ରାଜକୀୟ ଠାଣିରେ ରହିଛନ୍ତି ଏହି ହତ୍ୟା ଅଭିଯୁକ୍ତ । ଜେଲ୍ ଭିତରେ ଆରାମରେ ଚେୟାର ଟେବୁଲ ପକାଇ ବସିଛନ୍ତି ଦର୍ଶନ । ସାଙ୍ଗରେ କିଛି ସହଯୋଗୀ ବି ଅଛନ୍ତି । ହାତରେ ଚା କପ୍ ଆଉ ସିଗାରେଟ୍ । ମଜାରେ ବସି ଗପ କରୁଥିବା ଦେଖା ଯାଇଛି । ଏହାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ୍କୁ ଆସିଛନ୍ତି କର୍ଣ୍ଣାଟକ ସରକାର । ଏହି ମାମଲାରେ ୭ ଜେଲ୍ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି।
ଏବେ ଦର୍ଶନ ବେଙ୍ଗାଲୁରୁ ପରପ୍ପନା ଅଗ୍ରହାରା କେନ୍ଦ୍ରୀୟ ଜେଲରେ ଅଛନ୍ତି । ତାଙ୍କ ସହିତ ଅନ୍ୟ ତିନି ଜଣ ଜେଲ୍ ଅନ୍ତେବାସୀ ବସି ଗପ କରୁଥିବା ଫଟୋରେ ଦେଖା ଯାଉଛି । ଆଉ ସେହି ସାଥୀମାନେ ଜଣେ ଜଣେ ବଡ଼ ଅପରାଧୀ । ସେମାନଙ୍କ ନାଁରେ ସଂଗୀନ ଅପରାଧ ଅଭିଯୋଗ ସବୁ ରହିଛି । ଦର୍ଶନଙ୍କ ଡାହାଣକୁ ଗ୍ୟାଙ୍ଗଷ୍ଟର ଓ୍ଵିଲସନ୍ ଗାର୍ଡେନ୍ ନାଗା ଏବଂ ନାଗା ବସିଛନ୍ତି । ନାଗା ହେଉଛନ୍ତି ଦର୍ଶନଙ୍କ ମ୍ୟାନେଜର ଏବଂ ଅନ୍ୟତମ ଅଭିଯୁକ୍ତ । ଆଉ ଜଣେ ହେଉଛନ୍ତି କୁଲ୍ଲାସିନା । ଏମାନେ… ତେଣୁ ଏବେ ପ୍ରଶ୍ନ ଉଠିଛି କି ଜଣେ ହତ୍ୟା ଅଭିଯୁକ୍ତକୁ ଜେଲ୍ ଭିତରେ କିଭଳି ଏମିତି ସୁବିଧା ସବୁ ମିଳୁଛି ? କଣ ସେ ସୁପରଷ୍ଟାର ବୋଲି ? ଭାଇରାଲ ଫଟୋଟି ପଦାକୁ ଆସିବା ପରେ ବର୍ତ୍ତମାନ ଜେଲ୍ କର୍ତ୍ତୃପକ୍ଷ ତନାଘନା ଆରମ୍ଭ କରି ଦେଇଛନ୍ତି ।
ଦର୍ଶକ ବନ୍ଧୁ ଘଟଣାକୁ ଭୁଲି ନଥିବେ ନିଶ୍ଚୟ । କିଛ ଦିନ ତଳେ ନିଜର ପରକୀୟା ପ୍ରୀତି ପାଇଁ ଦର୍ଶନ ତାଙ୍କର ଜଣେ ବହୁତ ବଡ଼ ଫ୍ୟାନଙ୍କୁ ହତ୍ୟା କରିଥିଲେ । ତାଙ୍କରି ନିର୍ଦ୍ଦେଶରେ ରେଣୁକା ସ୍ୱାମୀ ନାମକ ଜଣେ ଅଟୋ ଚାଳକକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ବିବାହିତ ଦର୍ଶନଙ୍କର ଅଭିନେତ୍ରୀ ପବିତ୍ରା ଗୌଡ଼ାଙ୍କ ସହିତ ପରକୀୟା ସମ୍ପର୍କ ରହିଥିଲା । ଦର୍ଶନଙ୍କର ଜଣେ ବଡ଼ ପ୍ରଶଂସକ ଭାବରେ ରେଣୁକା ସ୍ୱାମୀଙ୍କର ଭାବପ୍ରବଣତା ଏତେ ବଢ଼ି ଯାଇଥିଲା ଯେ ସେ ସବୁ ବେଳେ ପବିତ୍ରାଙ୍କୁ ଦୋଷ ଦେଉଥିଲେ । ପବିତ୍ରା ଦର୍ଶନଙ୍କ ଘର ଭାଙ୍ଗୁଛନ୍ତି ବୋଲି ବାରମ୍ବାର ଅଭିଯୋଗ କରି ତାଙ୍କୁ ଗାଳିମନ୍ଦ ସହ ମେସେଜ୍ ବି କରୁଥିଲେ । ଏଥିରେ ଅତିଷ୍ଠ ହୋଇ ପବିତ୍ରା ଦର୍ଶନଙ୍କୁ ସବୁକଥା କହିଥିଲେ । ଏହି ଘଟଣା ଶେଷକୁ ତାଙ୍କ ଜୀବନ ନେଇଗଲା । ଦର୍ଶନ ସୁପାରି ଦେଇ ରେଣୁକାଙ୍କୁ ଅପହରଣ କରି ନେଇଥିଲେ ।
ବେଙ୍ଗାଲୁରର ପଟ୍ଟନଗେର ଗାଁରେ ଏକ ଜାଗାରେ ରଖି ଭୀଷଣ ନିର୍ଯାତନା ଦେଇଥିଲେ । ଏମିତିକି ନିଜେ ଉପସ୍ଥିତ ରହି ତାଙ୍କୁ ଖୁବ୍ ମାରପିଟ୍ କରିଥିଲେ । ରେଣୁକାକୁ ମାଡ଼ ମାରି ଦର୍ଶନ ସେଠାରୁ ଚାଲିଯିବା ପରେ ଅନ୍ୟମାନେ ରେଣୁକାଙ୍କୁ ପିଟି ପିଟି ମାରି ଦେଇଥିଲେ । ଏ କଥା ପବନ ନାମକ ଜଣେ ଅଭିଯୁକ୍ତ ହ୍ଵାଟସଆପରେ ଦର୍ଶନଙ୍କୁ ଜଣାଇ ଦେଲେ । ପରେ ସେମାନେ ରେଣୁକାର ମୃତଦେହକୁ ନେଇ କାମାକ୍ଷୀପାଲ୍ୟା ଯାଇଥିଲେ । ସେଠାରେ ଏକ ନାଳକୁ ଫିଙ୍ଗି ଦେଇଥିଲେ ।
ପରବର୍ତ୍ତୀ ସମୟରେ ସୁପାରି ୩୦ ଲକ୍ଷ ଟଙ୍କାକୁ ନେଇ ହତ୍ୟା ଅଭିଯୁକ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ସେମାନେ ଯାଇ ପୋଲିସ୍ ନିକଟରେ ଆତ୍ମସମର୍ପଣ କରି ଦେଇଥିଲେ । ତେବେ ପୋଲିସ୍ ଜାଣିବାକୁ ପାଇଲା ଯେ ୩୦ ଲକ୍ଷ ଭିତରୁ ସେମାନଙ୍କୁ ଆଡଭାନ୍ସ ଭାବେ ୫ ଲକ୍ଷ ଦିଆଯାଇଥିଲା । ସେହିମାନେ ହିଁ ସ୍ୱୀକାର କରିଥିଲେ ଯେ ରେଣୁକା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହେଉଛନ୍ତି ନିଜେ ଦର୍ଶନ । ଗତ ଜୁନ୍ ମାସ ୮ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା ।
ଏସବୁ ପ୍ରମାଣ ମିଳିବା ପରେ ଦର୍ଶନଙ୍କ ସମେତ ପବିତ୍ରା ଏବଂ ମୋଟ୍ ୫ ଜଣଙ୍କୁ ପୋଲିସ୍ ଗିରିଫ କରିଛି । ତେବେ ସୁପରଷ୍ଟାର ଥିବା ହେତୁ ଦର୍ଶନଙ୍କ ପକ୍ଷରେ ଅନେକ ଲୋକ ବାହାରିଥିଲେ । ତାଙ୍କୁ ଗିରଫ ନକରିବା ପାଇଁ ପୋଲିସ୍ ଉପରେ ଭୀଷଣ ଚାପ ପଡ଼ିଥିଲା । ଅବଶ୍ୟ ଶେଷରେ ସବୁ ଚାପକୁ ଏଡ଼ାଇ ଦର୍ଶନଙ୍କୁ ଗିରଫ କରାଯାଇଥିଲା । ଏପଟେ ଏହି ଭାଇରାଲ ଫଟୋ ଦେଖିବା ପରେ ପୁଣିଥରେ ନ୍ୟାୟ ମଗିଛନ୍ତି ରେଣୁକାଙ୍କ ବାପା ଶିବା ଗୌଡ଼ା ।
ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କି, ଯେତେବେଳେ ଦର୍ଶନ ଜେଲରେ ରହି ଘର ଖାଦ୍ୟ ଖାଇବା ପାଇଁ ଅନୁରୋଧ କରିଥିଲେ ସେତେବେଳେ ତାଙ୍କୁ ମନା କରାଯାଇଥିଲା । ଏବେ କେମିତି ଜେଲ୍ ଭିତରେ ତାଙ୍କୁ ଏଭଳି ସୁବିଧା ଦିଆଯାଉଛି । ଅବଶ୍ୟ ସେ ପୋଲିସ୍ ଓ ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିଛନ୍ତି । ତାଙ୍କୁ ପୁଅ ହତ୍ୟାର ନ୍ୟାୟ ମିଳିବ । ଆଉ ନ୍ୟାୟ ମିଳିଲେ ତାଙ୍କ ପୁଅର ଆତ୍ମାକୁ ଶାନ୍ତି ମିଳିବ ବୋଲି ସେ କହିଛନ୍ତି । ରେଣୁକାଙ୍କ ବାପା ଆହୁରି କହିଛନ୍ତି ଯେ, ଆମେ ପୁଅ ମୃତ୍ୟୁରେ ଏପଟେ ଦୁଃଖ ଯନ୍ତ୍ରଣାରେ ଅଛୁ ହେଲେ ତାକୁ ମାରିଥିବା ଲୋକ ଜେଲ୍ ଭିତରେ ଖୁସି ମନାଉଛନ୍ତି ।