କମେଡିଆନ୍‌ କପିଲ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ, ଟଙ୍କା ନେଇ କଣ୍ଟ୍ରାକ୍ଟ ପୂରା କରିନଥିବା ଅଭିଯୋଗ

କମେଡିଆନ୍‌ କପିଲ ଶର୍ମା ମଜାଳିଆ ଅନ୍ଦାଜରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍‌ କରିଥାନ୍ତି। ଏବେ କପିଲ ଶର୍ମାଙ୍କ ଶୋ’ ଟିଭିରେ ପ୍ରସାରଣ ହେଉ ନଥିଲେ ମଧ୍ୟ ତାଙ୍କ ଫ୍ୟାନ୍‌ ଫଲୋୟର୍ସଙ୍କ ସଂଖ୍ୟା ଜମା ବି କମିନି। କିନ୍ତୁ ଏବେ ପୁଣିଥରେ ବିବାଦ ଘେରକୁ ଟାଣି ହୋଇଛନ୍ତି କପିଲ। ଏବେ ସେ ବିଦେଶ ଗସ୍ତ ଯୋଗୁ ଚର୍ଚ୍ଚାରେ ଅଛନ୍ତି।

ରିପୋର୍ଟ ମୁତାବକ, କପିଲ ଶର୍ମା ଓ ତାଙ୍କ ପୂରା ଟିମ୍‌ ଏବେ କାନାଡ଼ାରେ ଲାଇଭ୍‌ ଶୋ’ କରୁଛନ୍ତି। କିଛି ଦିନ ତଳେ କପିଲ ନିଜେ ଏକ ପୋଷ୍ଟ ସେୟାର କରି ଏ ନେଇ ସୂଚନା ଦେଇଥିଲେ। କିନ୍ତୁ ଏହି ବିଦେଶ ଯାତ୍ରା ଏବେ ତାଙ୍କୁ ମହଙ୍ଗା ପଡ଼ିଛି। କାରଣ କପିଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କପିଲ ଶର୍ମାଙ୍କ ଉପରେ କଣ୍ଟ୍ରାକ୍ଟକୁ ପୂରା କରିନଥିବା ନେଇ ଅଭିଯୋଗ ଆସିଛି।

ସୂଚନା ଅନୁସାରେ, ଏହି ଅଭିଯୋଗ ଆମେରିକାରେ ଚୁକ୍ତିକୁ ଉଲ୍ଲଂଘନ କରିବା ନେଇ ହୋଇଛି। ତେବେ ଏହି ଅଭିଯୋଗ ଏବେକାର ଗସ୍ତ ପାଇଁ ନୁହେଁ। ଏହି ମାମଲା ୭ ବର୍ଷ ପୂର୍ବ ୨୦୧୫ ମସିହାର। ୨୦୧୫ ମସିହାରେ କପିଲ ନର୍ଥ ଆମେରିକାରେ କିଛି ଶୋ’ ପାଇଁ କଣ୍ଟ୍ରାକ୍ଟ ସାଇନ୍‌ କରିଥିଲେ। କିନ୍ତୁ ଏବେ ଯାଏଁ ସେ ଏହି ଚୁକ୍ତିକୁ ପୂରଣ କରି ନାହାନ୍ତି। ଶୋ’ ପ୍ରମୋଟର ଅମିତ ଜେଟଲୀଙ୍କ କହିବାନୁସାରେ, କପିଲ ୬ଟି ଶୋ’ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏଥିପାଇଁ ତାଙ୍କୁ ପେମେଣ୍ଟ ବି କରାସରିଛି। କିନ୍ତୁ ଏବେ ଯାଏଁ ସେ ଗୋଟିଏ ବି ଶୋ’ କରି ନାହାନ୍ତି। ଅନ୍ୟପଟେ ଏହି ମାମଲାରେ କପିଲ ଶର୍ମାଙ୍କ ବୟାନ ଏବେ ଯାଏଁ ସାମ୍ନାକୁ ଆସି ନାହିଁ।

ପ୍ରକାଶ ଯେ କପିଲ ଓ ତାଙ୍କ ଟିମ୍‌ ନିକଟରେ ଭନ୍‌କୌଭର (Vancouver) ରେ ଶୋ’ କରିଥିଲେ। ସେଠାରେ ତାଙ୍କର ଟିକିଏ ଝଲକ୍‌ ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କ ସମାଗମ ହୋଇଥିଲା। ଏ ଅବସରରେ କପିଲ ଶର୍ମାଙ୍କ ସହ କମେଡିଆନ୍‌ କ୍ରିଷ୍ଣା ଅଭିଷେକ, ରାଜୀବ ଠାକୁର, ଚନ୍ଦନ, କିକୁ ଶାରଦା ଓ ସୁମୋନା ଚକ୍ରବର୍ତ୍ତୀ ମଧ୍ୟ ଉପସ୍ଥିତ ଥିଲେ।

Also Read: ଜୟ ଭାନୁଶାଲୀ ଓ ମାହୀ ବିଜ୍‌ଙ୍କ ରୋଷେୟାକୁ ଗିରଫ କଲା ପୋଲିସ, ଝିଅ ତାରାକୁ ହତ୍ୟା କରିବାକୁ ଦେଇଥିଲା ଧମକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.