ଆସାମ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବଲିଉଡ୍‌ ସେଲିବ୍ରିଟି, ଅମୀର ଖାନ୍‌ଙ୍କ ଠାରୁ କରନ୍‌ ଜୋହରଙ୍କ ପର୍ଯ୍ୟନ୍ତ ଦେଲେ ଏତେ ଟଙ୍କା

ବନ୍ୟା ଯୋଗୁ ଆସାମରେ ଏବେ ସ୍ଥିତି ସାଂଘାତିକ। ଆସାମର ୨୬ ଜିଲ୍ଲାରେ ଏବେ ବନ୍ୟା ଯୋଗୁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଯୁଆଡ଼େ ଦେଖିବ ପାଣି, ପାଣି ଆଉ ପାଣି। ଏହି ୨୬ଟି ଜିଲ୍ଲାର ୧୬୦୦ ଗାଁ ବି ଏବେ ଜଳାର୍ଣ୍ଣବ ରହିଛି। ବନ୍ୟା ପାଣିରେ ସବୁ ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ରାଜ୍ୟର ସ୍ଥିତି ଦେଖି ଲୋକମାନେ ଏବେ ସେଠାକାର ପୀଡ଼ିତଙ୍କୁ ଯଥାସାଧ୍ୟ ସାହାଯ୍ୟ କରୁଥିବା ଦେଖାଯାଇଛି।

ଅନେକ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଏବେ ଆଗକୁ ଆସି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏହି ଧାରାରେ ଏବେ ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ୍‌ ଜୋହର ଏବେ ଆସାମ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଆସାମକୁ ସାହାଯ୍ୟ କରିବା ପାଇଁ କରନ୍‌ ଜୋହର ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି। କରନ୍‌ ଜୋହର ଆସାମର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଏହି ଅର୍ଥ ଦାନ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ସିମନ୍ତ ବିସ୍ୱା ସରମା ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ଵିଟ୍‌ କରି କରନ୍‌ ଜୋହରଙ୍କୁ ଆର୍ଥିକ ସହାୟତା ପାଇଁ ଧନ୍ୟବାଦ ଦେଇଛନ୍ତି। ସେ ଟ୍ଵିଟ୍‌ କରି ଲେଖିଛନ୍ତି- ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧୧ ଲକ୍ଷ ଟଙ୍କାର ସହଯୋଗ କରିଥିବାରୁ ଫିଲ୍ମ ନିର୍ମାତା କରନ୍‌ ଜୋହର ଓ ଧର୍ମା ପ୍ରଡକ୍ସନ୍‌ ନିକଟରେ ଆମେ କୃତଜ୍ଞ।

ତେବେ କେବଳ କରନ୍‌ ଜୋହର ନୁହେଁ, ଅମୀର ଖାନ୍‌, ରୋହିତ ସେଟ୍ଟୀ, ଅର୍ଜୁନ୍‌ କପୁର ମଧ୍ୟ ଆସାମକୁ ସହାୟତାର ହାତ ବଢ଼ାଇଛନ୍ତି। ଅମୀର ଖାନ୍‌ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେହିପରି ରୋହିତ ସେଟ୍ଟୀ ଓ ଅର୍ଜୁନ୍‌ କପୁର ୫ ଲକ୍ଷ ଟଙ୍କା ଲେଖାଏଁ ସାହାଯ୍ୟ କରିଛନ୍ତି।


ଏହା ପୂର୍ବରୁ ଫିଲ୍ମ ଓ ସଙ୍ଗୀତ ନିର୍ମାତା ତଥା ଟି-ସିରିଜ୍‌ର ମାଲିକ ଭୂଷଣ କୁମାର ମଧ୍ୟ ୧୧ ଲକ୍ଷ ଟଙ୍କା ଦାନ କରିଥିଲେ। ସେହିପରି କଣ୍ଠଶିଳ୍ପୀ ସୋନୁ ନିଗମ ମଧ୍ୟ ବନ୍ୟା ପ୍ରପୀଡ଼ିତଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

Also Read: ଆସନ୍ତାକାଲି ଦ୍ୱିତୀୟ ଥର ବିବାହ କରୁଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌, ଡ.ଗୁରୁପ୍ରୀତ୍‌ଙ୍କର ଧରିବେ ହାତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.