ଇଣ୍ଡଷ୍ଟ୍ରିରୁ ମିଳିଲାନି ସପୋର୍ଟ, ବାଧ୍ୟ ହୋଇ MAMI ବୋର୍ଡ଼ରୁ ଇସ୍ତଫା ଦେଲେ କରଣ ଜୋହର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟିଯିମ, ଲବିଙ୍ଗ ଏବଂ ପକ୍ଷପାତିତା ପ୍ରସଙ୍ଗ ପୁଣି ଥରେ ଆରମ୍ଭ ହୋଇଯାଇଛି । କରଣ ଜୋହର, ଆଦିତ୍ୟ ଚୋପ୍ରା ଏବଂ ମହେଶ ଭଟ୍ଟଙ୍କ ପରି ବଡ ଚଳଚ୍ଚିତ୍ର ନିର୍ମାତାମାନେ ସୋସିଆଲ ମିଡିଆରେ କ୍ରମାଗତ ଭାବେ ଟ୍ରୋଲ ହେଉଛନ୍ତି ଏବଂ ଅଧିକାଂଶ ଲୋକ କରଣ ଜୋହରଙ୍କ ଉପରେ ନିଜର ରାଗ ବାହାର କରୁଛନ୍ତି । ସୋସିଆଲ ମିଡିଆରେ ଉତ୍ତେଜନା ମଧ୍ୟରେ କରଣ ଜୋହର ଚୁପ୍ ରହିଛନ୍ତି । ଏହି ସମୟରେ କରଣ ଜୋହର ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ଖବର ଅନୁଯାୟୀ ସେ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ବୋର୍ଡ ଅର୍ଥାତ୍ ମମି ବୋର୍ଡରୁ ଇସ୍ତଫା ଦେଇଛନ୍ତି ।

ସୂଚନା ଅନୁଯାୟୀ କରଣ ଜୋହର ତାଙ୍କ ଇସ୍ତଫାକୁ ମୁମ୍ବାଇ ଚଳଚ୍ଚିତ୍ର ମହୋତ୍ସବ ବୋର୍ଡର ନିର୍ଦ୍ଦେଶକ ସ୍ମୃତି କିରଣଙ୍କ ନିକଟକୁ ଇ-ମେଲ କରିଛନ୍ତି । ଏଥି ସହିତ ରିପୋର୍ଟରେ ଦର୍ଶାଯାଇଛି ଯେ ନେପୋଟିଯିମ ପ୍ରସଙ୍ଗରେ ଲୋକଙ୍କୁ ଟ୍ରୋଲକୁ ସହ୍ୟ କରୁଥିବା କରଣ ଜୋହର ଇଣ୍ଡଷ୍ଟ୍ରିରେ ଥିବା ବନ୍ଧୁ ମାନଙ୍କ ସମର୍ଥନ ଅଭାବରୁ ମଧ୍ୟ ଦୁଃଖିତ। ଯଦିଓ ଦୀପିକା ପାଦୁକୋନ୍ କ୍ରମାଗତ ଭାବରେ କରଣ ଜୋହରଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି। ମାମି ପ୍ୟାନେଲରେ ବିକ୍ରମଦିତ୍ୟ ମୋଟୱାନେ, ସିଦ୍ଧାର୍ଥ ରୟ କାପୁର, ଜୋୟା ଅଖତର ଏବଂ କବୀର ଖାନ ପ୍ରମୁଖ ରହିଛନ୍ତି ।

ସୂଚନା ଅନୂଯାୟୀ କରଣ ଜୋହର କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ଆକାଉଣ୍ଟରୁ ତାଙ୍କର ସମସ୍ତ ବନ୍ଧୁଙ୍କୁ ଅନଫଲୋ କରିବା ସହିତ କମେଣ୍ଟ ନୋଟିଫିକେସନକୁ ବି ଅଫ କରିଦେଇଛନ୍ତି । ଏଠାରେ କହି ରଖିବୁ ଯେ ଜୁନ୍ 14 ରେ ସୁଶାନ୍ତ ସିଂ ରାଜପୁତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ମିଡ଼ିଆ ରିପୋର୍ଟରେ ଦାବି କରାଯାଉଛି ଯେ ବଲିଉଡରେ ହୋଇଥିବା ଭେଦଭାବରେ ସୁଶାନ୍ତ ଗଭୀର ଭାବେ ମର୍ମାହତ ହୋଇଥିଲେ। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ପ୍ରଶଂସକମାନେ କରଣ ଜୋହରଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.