ବଢିଲା ବିଗବସ୍‌ ଅଡୁଆ, ମହିଳାଙ୍କ ସୁରକ୍ଷା ପାଇଁ କର୍ଣ୍ଣାଟକ ମହିଳା ଆୟୋଗ ପଠାଇଲା ନୋଟିସ

ବିବାଦରେ ବିଗବସ୍‌ । ହେଲେ ଏଥର ବିଗବସ୍‌ ୧୮ ନୁହେଁ ବରଂ ବିଗବସ୍‌ କନ୍ନଡ ୧୧ । ପୁଣିଥରେ କାଠଗଡାକୁ ଯାଇଛି ବିଗବସ୍‌ । ବିଗବସ୍‌ କନ୍ନଡ ବିରୋଧରେ କର୍ଣ୍ଣାଟକ ରାଜ୍ୟ ମହିଳା ଆୟୋଗ ଏବଂ କର୍ଣ୍ଣାଟକ ପୋଲିସ ଗୋପନୀୟତା ଭଙ୍ଗ କରିବା ନେଇ ମେକର୍ସ ବିପକ୍ଷରେ ନୋଟିସ ଜାରି କରିଛି ।

ବିଗବସ୍ କନ୍ନଡରେ ୧୧ ତମ ସିଜିନରେ ‘ସ୍ୱର୍ଗ ଏବଂ ର୍ନକ’ ନାମକ ଏକ ସପ୍ତାହିକ ପରଫରମାନ୍ସ କରାଯାଇଥିଲା । ଏଥିରେ ପ୍ରତିଯୋଗୀମାନଙ୍କୁ ଅଲଗା ଅଲଗା ବିଭକ୍ତ କରାଯାଇଥିଲା । ଯେଉଁଥିରେ କିଛିଙ୍କୁ ଜେଲ ଭଳି ସେଟିଂରେ ରଖାଯାଇଥିଲା । ମହିଳା ଆୟୋଗ କରିଥିବା ଅଭିଯୋଗରେ କୁହାଯାଇଛି ଯେ, ଏହି କାର୍ଯ୍ୟରେ ମହିଳା ପ୍ରତିଯୋଗୀଙ୍କ ଗୋପନୀୟତା ଉଲ୍ଲଘଂନ କରାଯାଇଛି ।

ଏଠାରେ ମହିଳା ପ୍ରତିଯୋଗୀଙ୍କୁ ପୁରୁଷ ପ୍ରତିଯୋଗୀଙ୍କ ବାଥରୁମ୍ ସେୟାର କରିବା ପାଇଁ ପଡିବ । କାରଣ ଯେଭଳି ନର୍କରେ ଦଣ୍ଡ ସହିବାକୁ ପଡେ, ସେମିତି ଏଠାରେ ମହିଳାମାନେ କାମ କରିବେ ବୋଲି ଟାସ୍କରେ ରହିଥିଲା । ଯେତେବେଳେ ମହିଳାମାନେ ଶୌଚାଳୟରୁ ବାହାରକୁ ଆସିବା ମାତ୍ରେ, ପୁରୁଷମାନେ ସେମାନଙ୍କୁ ପୁଣି ଆଉଥରେ ଧରି ଚାଲିଯାଉଥିଲେ । ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ, ପ୍ରତିଯୋଗୀଙ୍କ ସଠିକ ପୋଷଣ ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଇନାହିଁ ।

ତେବେ ଏହା ବିଷୟରେ ଚିନ୍ତା କରି କର୍ଣ୍ଣାଟକ ରାଜ୍ୟ ମହିଳା କମିସନ ଏବଂ କର୍ଣ୍ଣାଟକ ପୋଲିସ୍ ବିଗବସ୍ କନ୍ନଡ ବିରୋଧରେ ନୋଟିସ୍ ଜାରି କରିଛନ୍ତି । ଶୋ’ର ନିର୍ମାତାମାନଙ୍କୁ କୁମ୍ବାଲଗୋଡୁ ପୋଲିସ ଡକାଇ ପଚାରାଉଚାରା କରିବା ସହ ଏହି ଏପିସୋଡର ଅଡିଓ ମାଗିଛି ।

ପୋଲିସ ୫ଜଣ ମହିଳା ପ୍ରତିଯୋଗୀଙ୍କ ବୟାନ ମଧ୍ୟ ନେଇଛି । ଯେଉଁମାନେ ନର୍କ ସେଟିଂରେ ଥିଲେ ସେମାନଙ୍କ ଠାରୁ ବୟାନ ନିଆଯାଇଛି । ତେବେ ଘରେ ବନ୍ଦ ଥିବା ମହିଳା ପ୍ରତିଯୋଗୀଙ୍କୁ କୌଣସି ପ୍ରକାରର ମାନବାଧିକାର ଉଲ୍ଲଙ୍ଘନ ହୋଇଥିବାକୁ ଖଣ୍ଡନ କରିଛନ୍ତି । ସେମାନଙ୍କ ସହମତି ବିନା କିଛି ବି ତାଙ୍କ ଉପରେ ଚାପ ପକାଯାଇନାହିଁ ବୋଲି ସେମାନେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ପ୍ରସାରିତ ହୋଇଥିବା ବିଗବସ୍ ର ହିନ୍ଦୀ ସିଜିନ୍ ୧୮କୁ ମଧ୍ୟ ଆଇନଗତ ନୋଟିସ ପଠାଯାଇଥିଲା । ଆନିମାଲ ୱେଲଫେୟାର ପାଇଁ କାର୍ଯ୍ୟ କରୁଥିବା PETA, ନ୍ୟାସନାଲ ଟିଭିରେ ମନୋରଞ୍ଜନ ପାଇଁ ଶୋ’ରେ ପ୍ରତିଯୋଗୀ ଭାବରେ ଉପସ୍ଥିତ ଥିବା ଏକ ଗଧର ବ୍ୟବହାରକୁ ବିରୋଧ କରିଥିଲା । ନୋଟିସ୍ ପରେ ନିର୍ମାତାମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗଧକୁ ୧୯ତମ ପ୍ରତିଯୋଗୀ ଭାବରେ ରିଲିଜ୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like