ନୋ ପାର୍କିଂ ଜୋନରେ କାର୍‌ ରଖିବା କାର୍ତ୍ତିକଙ୍କୁ ପଡିଲା ମହଙ୍ଗା, କଟିଲା ଚାଲାଣ

ଗଣପତି ବାବାଙ୍କୁ ଆଶୀର୍ବାଦ ପାଇଁ ଯାଇଥିଲେ କାର୍ତ୍ତିକ ଆର୍ଯ୍ୟନ । ହେଲେ ଘରକୁ ଫେରିବା ପରେ ମିଳିଲା ଝଟକା । ସିଦ୍ଧି ବିନାୟକଙ୍କୁ ଦର୍ଶନ କରିବାକୁ ଯିବା ସମୟରେ ନୋ ପାର୍କିଂ ଜୋନରେ କାର ରଖିଥିଲେ କାର୍ତ୍ତିକ। ପୋଲିସ କାଟିଲା ଚାଲାଣ ।

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫିଲ୍ମ ‘ଶେହଜାଦା’କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମକୁ ଜୋରସୋରରେ ପ୍ରମୋସନ କରିବାରେ ସେ ଲାଗିପଡିଛନ୍ତି। ଆଉ ଫିଲ୍ମ ପ୍ରମୋସନ କରିବା ଚକ୍କରରେ ସବୁକିଛି ଭୁଲି ଯାଇଛନ୍ତି। ଫିଲ୍ମର ସଫଳତା ପାଇଁ କାର୍ତ୍ତିକ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରକୁ ଯାଇଥିଲେ । ଆଉ ଗଣପତିଙ୍କ ସାମ୍ନାରେ ନିଜର ଗୁହାରି କହିଥିଲେ । ହେଲେ ଗଣପତିକୁ ଗୁହାରି କରି ଘରେ ପହଞ୍ଚିବା ପରେ ତାଙ୍କୁ ବଡ ଝଟକା ମିଳିଥିଲା । ସେ ସିଦ୍ଧିବିନାୟକ ମନ୍ଦିର ଯାଇଥିବା ବେଳେ ନିଜ କାରକୁ ନୋ ପାର୍କିଂ ଜୋନରେ ରଖିଦେଇଥିଲେ । ନିୟମ ଉଲ୍ଲଙ୍ଘନ କରିଥିବାରୁ ପୋଲିସ ତାଙ୍କ ନାଁରେ ଚାଲାଣ କାଟିଛି।

ଖବର ମୁତାବକ, ଶେହଜାଦା ଫିଲ୍ମ ରିଲିଜ ପରେ କାର୍ତ୍ତିକ ଫେବ୍ରୁଆରୀ ୧୭ ତାରିଖରେ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଗଣପତି ବାପ୍ପାଙ୍କ ଆଗରେ ପ୍ରାର୍ଥନା କରିଥିଲେ। ତେବେ ତାଙ୍କୁ ଏହି ପ୍ରାର୍ଥନା କରିବା ମହଙ୍ଗା ପଡିଥିଲା। ନୋ ପାର୍କିଂ ଜୋନରେ କାର ରଖି ଯାଇଥିବାରୁ ତାଙ୍କ ନାମରେ ଚାଲାଣ କଟିଛି । କାର୍ତ୍ତିକଙ୍କ ଲଗ୍ଜୁରୀ କାରକୁ ଡ୍ରାଇଭର ନୋ ପାର୍କିଂ ଜୋନରେ ରଖିଥିଲେ। ତେବେ କେତେ ଟଙ୍କାର ଫାଇନ୍ କଟାଯାଇଥିଲା ସେ ନେଇ କିଛି ସୂଚନା ମିଳିନାହିଁ। କାର୍ତ୍ତିକ ଜରିମାନା ଦେବା ପରେ ସେଠାରୁ ଚାଲି ଯାଇଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

କାର୍ତ୍ତିକ ନିଜ ବାପା ମା’ଙ୍କୁ ସାଙ୍ଗରେ ନେଇ ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ । ଏହି ସମୟରେ ସେ ଧଳା ରଙ୍ଗର କୁର୍ତ୍ତା ପାଇଜାମା ପିନ୍ଧିଥିଲେ। ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଟୋ ପାଇଁ ପୋଜ ମଧ୍ୟ ଦେଇଥିଲେ। ଏଥିସହ ନିଜ ଫିଲ୍ମକୁ ନେଇ ସେ ବେଶ୍ ଉତ୍ସାହିତ ଥିବା ନଜର ଆସିଥିଲେ।

କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଶେହଜାଦା ସାଉଥ ଷ୍ଟାର୍ ଆଲୁ ଅର୍ଜୁନଙ୍କ ହିଟ୍ ତେଲୁଗୁ ଫିଲ୍ମ ‘ଆଲା ବୈକୁଣ୍ଡମପୁରଲୁ’ର ହିନ୍ଦୀ ରିମେକ। ଏଥିରେ କାର୍ତ୍ତିକଙ୍କ ସହିତ କ୍ରିତି ସାନନ ସ୍କ୍ରିନ ସେୟାର କରିଛନ୍ତି । ଫିଲ୍ମଟି ୧୭ ତାରିଖରେ ରିଲିଜ ହୋଇଛି। ହେଲେ ଏପର୍ଯ୍ୟନ୍ତ କିଛି ଖାସ୍‌ କମାଲ କରିପାରିନାହିଁ ।

You might also like