ନିର୍ମାଣ ହେବ କଶ୍ମୀରର ଶେଷ ହିନ୍ଦୁରାଣୀଙ୍କ ବାୟୋପିକ୍, ଏମିତି କରିବେ ଶତ୍ରୁଙ୍କ ମୁକାବିଲା

ଧାରା ୩୭ଠ ଉଚ୍ଛେଦ ହେବାପରେ କଶ୍ମୀର ଚର୍ଚ୍ଚାରେ ରହିଥିବା ବେଳେ ଏବେ କଶ୍ମୀରର ଶେଷ ହିନ୍ଦୁରାଣୀଙ୍କ ବାୟୋପିକ୍ ନିର୍ମାଣ ହେବା ନେଇ ଘୋଷଣା ହୋଇଛି। କଶ୍ମୀରରେ ମୋଗଲ ଆକ୍ରମଣ ବେଳେ ମାତୃଭୂମିକୁ ରକ୍ଷା କରିବାକୁ ଯାଇ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼ିଥିବା କୋଟାର ରାଣୀଙ୍କ ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଏଥିରେ ରାଣୀଙ୍କ ସୌନ୍ଦର୍ଯ୍ୟ ସମେତ ତାଙ୍କ ପରାକ୍ରମ ଗାଥା ବର୍ଣ୍ଣନା କରାଯିବ।
କଶ୍ମୀରର ଶେଷ ହିନ୍ଦୁ ରାଣୀ ଭାବେ ପରିଚିତ କୋଟାର ରାଣୀଙ୍କ ଜୀବନ ବହୁ ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକଭରା ଥିଲା। ଜମ୍ମୁ-କଶ୍ମୀରର ଲୋକକଥା ଓ ଲୋକଗୀତରେ କୋଟା ରାଣୀଙ୍କ ସମ୍ବନ୍ଧରେ ଶୁଣିବାକୁ ମିଳେ। ୧୩ଶହ ଶତାବ୍ଦୀରେ କୋଟା ରାଣୀଙ୍କ ଶାସନ କାଳରେ ଶାହ ମୀର ଆକ୍ରମଣ କରିଥିଲେ। ଯୁଦ୍ଧରେ ସେ କୋଟା ରାଣୀଙ୍କୁ ହରାଇ କଶ୍ମୀର ଉପରେ କବ୍ଜା କରିଥିଲେ। ଭାରତୀୟ ଦର୍ଶନଶାସ୍ତ୍ର ଏବଂ ଶୈବ ଧର୍ମ ଅନୁଯାୟୀ, କୋଟା ରାଣୀ ନିଜ ସୌନ୍ଦର୍ଯ୍ୟ, ଦକ୍ଷ କୂଟନୀତି ଏବଂ ସୈନ୍ୟବାହିନୀର ରଣନୀତି ବଳରେ ରାଜ୍ୟ ଶାସନ କରୁଥିଲେ।
ଲୋକଗୀତର କଥାନୁଯାୟୀ, କୋଟାର ରାଣୀ ଶତ୍ରୁପକ୍ଷଙ୍କ ଆକ୍ରମଣରୁ ରାଜ୍ୟକୁ ବଞ୍ଚାଇବା ପାଇଁ କେବଳ ନିଜ ସୁନ୍ଦରତା ନୁହେଁ, ଶକ୍ତି ସାମର୍ଥ୍ୟ ତଥା ସାହସକୁ ମଧ୍ୟ ବ୍ୟବହାର କରୁଥିଲେ। ଶତ୍ରୁମାନେ ରାଣୀଙ୍କ ଅଦମ୍ୟ ପରାକ୍ରମକୁ ଭୟ କରୁଥିବା ସେଠାକାର ପାରମ୍ପରିକ ଗୀତରେ ଶୁଣିବାକୁ ମିଳେ। ତେବେ ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟ ଏବଂ ଫେଣ୍ଟମ୍ ଫିଲ୍ମସ୍ ମିଳିତ ଭାବେ କୋଟାର ରାଣୀଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ସୋମବାର ଘୋଷଣା କରିଛନ୍ତି।
ଏନେଇ ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟ ଗ୍ରୁପର ସିଇଓ ଶିବାଶିଷ ସରକାର କହିଛନ୍ତି ଯେ, କୋଟା ରାଣୀଙ୍କ ଉପରେ ଫିଲ୍ମ ନିର୍ମାଣ କରିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ତାଙ୍କ ଶୌର୍ଯ୍ୟଗାଥା ତଥା ଶତ୍ରୁଙ୍କ ମୁକାବିଲା କରିବା ପାଇଁ ତାଙ୍କ ରଣନୀତିକୁ ଲୋକଲୋଚନକୁ ଆଣିବା। ଜଣେ ଆଦର୍ଶ ଭାବେ ନାରୀ ସମାଜରେ ତାଙ୍କ ସୁକୀର୍ତ୍ତି ଦର୍ଶାଇବା ଏହି ଫିଲ୍ମ ନିର୍ମାଣ କରିବାର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ସେହିପରି ଫିଲ୍ମର ସହ-ନିର୍ମାତା ମଧୁ ମଣ୍ଟେନା ଏନେଇ କହିଛନ୍ତି ଯେ, କୋଟାର ରାଣୀଙ୍କ କାହାଣୀ କ୍ଲିୟୋପେଟ୍ରାଙ୍କ କାହାଣୀଠାରୁ କୌଣସି ଗୁଣରେ କମ୍ ନୁହେଁ। କାଶ୍ମୀରର ବର୍ତ୍ତମାନ ସ୍ଥିତି ସହ କୋଟା ରାଣୀଙ୍କ ଶାସନ କାଳର ସାମଞ୍ଜସ୍ୟ ରହିଛି। ଭାରତବର୍ଷର ଚର୍ଚ୍ଚିତ ବୀରାଙ୍ଗନାମାନଙ୍କ ମଧ୍ୟରେ ସେ ଜଣେ ବୋଲି ମଣ୍ଟେନା କହିଛନ୍ତି। ତେବେ କୋଟାର ରାଣୀଙ୍କ ଭୂମିକାରେ କିଏ ଅଭିନୟ କରିବ ସେ ନେଇ କୌଣସି ସୂଚନା ମିଳିପାରିନାହିଁ।