ମୃତ୍ୟୁର ୬ ଦିନ ପରେ ରିଲିଜ୍ ହେଲା କେକେଙ୍କ ଶେଷ ଗୀତ ‘ଧୁପ୍ ପାନୀ ବେହନେ ଦେ’, ଇମୋସନାଲ ହେଲେ ଫ୍ୟାନ୍
ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣାକୁମାର କୁନ୍ନଥ ଓରଫ୍ କେକେ ଆଉ ଏହି ଦୁନିଆରେ ନାହାନ୍ତି। ମେ’ ୩୧ରେ ହାର୍ଟ ଆଟାକ୍ ଯୋଗୁ ତାଙ୍କ ନିଧନ ହୋଇଛି। ଗତ ସପ୍ତାହରେ କୋଲକାତାରେ ଏକ କନସର୍ଟରେ ଗୀତ ଗାଇବା ବେଳେ କେକେଙ୍କ ମୃତ୍ୟୁ ଘଟିଛି। କେକେଙ୍କର ଏମିତି ଅଚାନକ ମୃତ୍ୟୁରେ ବଲିଉଡ୍ ତଥା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। କେକେ ବଲିଉଡ୍ ଫିଲ୍ମରେ ବହୁ ହିଟ୍ ଗୀତ ଗାଇଛନ୍ତି। ଏବେ ତାଙ୍କ ମୃତ୍ୟୁର ପାଖାପାଖି ୬ ଦିନ ପରେ ସେ ରେକର୍ଡ କରିଥିବା ଶେଷ ଗୀତ ଫ୍ୟାନ୍ଙ୍କ ପାଇଁ ଜାରି କରାଯାଇଛି।
କେକେଙ୍କ ଶେଷ ଗୀତ ଫ୍ୟାନ୍ଙ୍କ ସାମ୍ନାକୁ ଆସିବା ପରେ ସମସ୍ତେ ଭାବ ବିହ୍ଵଳ ହୋଇପଡ଼ିଛନ୍ତି। କେକେଙ୍କର ଏହି ଗୀତର ନାଁ ରହିଛି ‘ଧୁପ୍ ପାନୀ ବେହନେ ଦେ’। କେକେଙ୍କର ଏହି ଗୀତ ଫିଲ୍ମ ଶେରଦିଲର। ଏହି ଫିଲ୍ମରେ ବରିଷ୍ଠ ଅଭିନେତା ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କରି ଉପରେ ଏହି ଗୀତ ଆଧାରିତ ଅଛି। ତେବେ ଖାସ୍ କଥା ହେଉଛି ‘ଧୁପ୍ ପାନୀ ବେହନେ ଦେ’ ଗୀତକୁ ଗୁଲଜାର ଲେଖିଛନ୍ତି। ଏହି ଗୀତକୁ ଶାନ୍ତନୁ ମୋଇତ୍ରା କମ୍ପୋଜ୍ କରିଛନ୍ତି। କେକେଙ୍କର ଏହି ଶେଷ ଗୀତରେ ପଙ୍କଜ ତ୍ରିପାଠୀ, ନିରଜ କାବୀ ଓ ସୟାନୀ ଗୁପ୍ତା ଅଭିନୟ କରିଛନ୍ତି।
ଦେଖନ୍ତୁ କେକେଙ୍କ ଶେଷ ଗୀତ:
Video Credit: Youtube
ସୋସିଆଲ ମିଡିଆରେ ‘ଧୁପ୍ ପାନୀ ବେହନେ ଦେ’ ଗୀତ ଖୁବ୍ ଭାଇରାଲ ହେଉଛି। କେକେଙ୍କ ଫ୍ୟାନ୍ମାନେ ଏହି ଗୀତକୁ ବେଶ୍ ପସନ୍ଦ କରୁଛନ୍ତି। ଏଥିସହ ଇମୋସନାଲ କମେଣ୍ଟ ମଧ୍ୟ ଦେଉଛନ୍ତି।
ସୂଚନାଯୋଗ୍ୟ ଯେ ୫୩ ବର୍ଷ ବୟସରେ କେକେଙ୍କ ମୃତ୍ୟୁ ଘଟିଛି। କେକେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି। ତାଙ୍କ ସୁପରହିଟ ଗୀତ ମଧ୍ୟରେ ଦିଲ ଇବାଦତ, ଆଖୋ ମେ ତେରୀ, ତୁନେ ମାରି ଏଣ୍ଟ୍ରି, ଜରା ସି ଦିଲ ମେ, ଖୁଦା ଜାନେ କି ମେ ଫିଦା ଆଦି ରହିଛି। କେକେଙ୍କ ମୃତ୍ୟୁର କାରଣ ହାର୍ଟ ଆଟାକ୍ ବୋଲି କୁହାଯାଉଛି। କୋଲକାତାରେ ଏକ କନ୍ସର୍ଟରେ ପାଖାପାଖି ୧ ଘଣ୍ଟା ଯାଏଁ ଗୀତ ଗାଇବା ପରେ କେକେ ହୋଟେଲରେ ପହଞ୍ଚିବା ପରେ ତାଙ୍କ ଦେହ ଖରାପ ହୋଇଯାଇଥିଲା। ପରେ ତାଙ୍କୁ କୋଲକାତାର ସିଏମ୍ଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Also Read: ଆଥ୍ଲେଟ୍ଙ୍କ ପାଇଁ ସ୍କଲାରସିପ୍ ଘୋଷଣା କଲା Go Sports ଫାଉଣ୍ଡେସନ୍, କ୍ରୀଡ଼ାବିତ୍ ତୁରନ୍ତ କରନ୍ତୁ ଆବେଦନ