ଏବେ ବି ଖରାପ ଅଛି ଲତା ମଙ୍ଗେସକରଙ୍କ ଅବସ୍ଥା, କେବେ ହସ୍ପିଟାଲରୁ ଡିସ୍ଚାର୍ଜ ହେବେ କହିବା ମୁସ୍କିଲ୍

ଏବେ ବି ଆଇସିୟୁରେ ଅଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର। ଗତ ସପ୍ତାହେ ହେଲାଣି ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ବି ତାଙ୍କ ଚିକିତ୍ସା ଜାରି ରହିଛି। ତେବେ ଲତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ମୁତାବକ, ଲତା ଏବେ ବି ଆଇସିୟୁରେ ଅଛନ୍ତି ଓ ଏବେ ବି ତାଙ୍କ ଯତ୍ନ ନେବା ଜରୁରୀ। ଏହି କାରଣରୁ ତାଙ୍କୁ ଆଇସିୟୁରେ ଡାକ୍ତରଙ୍କ ଦେଖାରଖାରେ ରଖା ଯାଇଛି।
ଲତା ମଙ୍ଗେସକର କରୋନା ସହ ନିମୋନିଆରେ ବି ପୀଡ଼ିତ ଅଛନ୍ତି। ଏଣୁ ସେ ଡାକ୍ତରଙ୍କ ନଜରରେ ଆଉ କିଛି ଦିନ ରହିବେ। ତେବେ ଲତା ମଙ୍ଗେସକର ହସ୍ପିଟାଲରେ ଆଉ କେତେ ଦିନ ରହିବେ ଏବେ ତାହା କହିବା ସମ୍ଭବପର ନୁହେଁ ବୋଲି ଡାକ୍ତର ମତ ଦେଇଛନ୍ତି। ଡାକ୍ତର କହିଛନ୍ତି, ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବା ଜରୁରୀ। ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। କିନ୍ତୁ ଡାକ୍ତର ଏବେ ଲତାଙ୍କୁ ସୁସ୍ଥ କରିବାକୁ ପ୍ରାଣ ପଣେ ଚେଷ୍ଟା ଜାରି ରଖିଛନ୍ତି। ଏବେ କାହାକୁ ବି ତାଙ୍କ ସହ ସାକ୍ଷାତ କରିବାକୁ ଅନୁମତି ନାହିଁ ବୋଲି ଡାକ୍ତର କହିଛନ୍ତି।
ସୂଚନାଯୋଗ୍ୟ ଯେ ଲତା ମଙ୍ଗେସକରଙ୍କ ଘରେ ଜଣେ ଚାକର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲତା ବି ନିଜ ପରୀକ୍ଷା କରାଇଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ବି ପଜିଟିଭ୍ ଆସିଛି। ପୂର୍ବରୁ ନଭେମ୍ବର ୨୦୧୯ରେ ନିଃଶ୍ୱାସ ନେବାରେ ସମସ୍ୟା ଉପୁଜିବାରୁ ଏହି ସୁର ସାମ୍ରାଜ୍ଞୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।