ବର୍ଷକ ଭିତରେ ଦୁଇ ଦୁଇଟି ଦୁଃଖ: ମିହିର ଦାସଙ୍କ ମୃତ୍ୟୁର ବର୍ଷେ ପରେ ଚାଲିଗଲେ ସାନ ପୁଅ

କଟକ: ଭଗବାନ କେତେବେଳେ ଯେ କଣ କାହା ସହ କରିବେ ତାହା କେହି କହିପାରିବେ ନାହିଁ। ଏଇ ଯେମିତି ଦିବଂଗତ ଓଲିଉଡ୍‌ ଅଭିନେତା ମିହିର ଦାସଙ୍କ ପରିବାର। ଦେଖୁ ଦେଖୁ ହସଖୁସିରେ ଚଳୁଥିଲା ପରିବାର ନିରବୀ ଯାଇଛି। ହଠାତ୍‌ ବର୍ଷକ ଭିତରେ ମାଡିଆସିଛି ଦୁଇ ଦୁଇଟି ଦୁଃଖ। ଯେଉଁ ଦୁଃଖ ଏତେ କଷ୍ଟଦାୟକ ଯେ ତାହାକୁ ଭରଣ କରିବା ଅସମ୍ଭବ।

ବାପାଙ୍କ ମୃତ୍ୟୁର ବର୍ଷେ ପରେ ଚାଲିଗଲେ ଦିବଂଗତ ଅଭିନେତା ମିହିର ଦାସଙ୍କ ସାନ ପୁଅ । ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଅକ୍ଳାନ୍ତ ଦାସ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା । ମାସେ ହେବ ଭୁବନେଶ୍ୱର ଏମ୍‌ସରେ ତାଙ୍କର ଚିକିତ୍ସା ଚାଲିଥିଲା । ଲିଭର ଜନିତ ସମସ୍ୟା ଯୋଗୁ ଚିକିତ୍ସାଧୀନ ଥିଲେ ଅକ୍ଳାନ୍ତ ଦାସ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବାପରେ ଗତକାଲି ରାତିରେ ତାଙ୍କୁ କଟକ ଅଣାଯାଇଥିଲା।

କଟକ ସତୀଚଉରାରେ ତାଙ୍କର ଶେଷକୃତ୍ୟ କରାଯାଇଛି । ମୁଖାଗ୍ନି ଦେଇଛନ୍ତି ବଡ଼ ଭାଇ ଅମ୍ଳାନ ଦାସ । ତେବେ ଗତବର୍ଷ ଜାନୁଆରୀ ୧୧ ତାରିଖରେ ପ୍ରାଣ ହରାଇଥିଲେ ମିହିର ଦାସ । ଏବେ ତାଙ୍କ ସାନ ପୁଅଙ୍କ ମୃତ୍ୟୁ ସମସ୍ତଙ୍କୁ ଶୋକାଭିଭୂତ କରିଛି । ବାପାଙ୍କ ମୃତ୍ୟୁର ଠିକ୍‌ ବର୍ଷକ ପରେ ପୁଅ ଅକ୍ଲାନ୍ତ ଦାସଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାନାହାନ୍ତି ।

aklanta das

ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଗତବର୍ଷ ଜାନୁଆରି ୧୧ ତାରିଖରେ ପରଲୋକ ହୋଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ମିହିର। ମୃତ୍ୟୁ ବେଳକୁ ତାଙ୍କୁ ବୟସ ମାତ୍ର ୬୩ ବର୍ଷ ହୋଇଥିଲା। କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପର ଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ହେଲେ ୨୦୨୨ ଜାନୁଆରି ୧୧ ତାରିଖରେ ତାଙ୍କର ପରଲୋକ ହୋଇଥିଲା।

ତେବେ ମିହିରଙ୍କ ପରିବାର ଥିଲା ଏକ କଳାକାର ପରିବାର। ଖ୍ୟାତନାମା ଗାୟକ ଚିତ୍ତ ଜେନାଙ୍କ ଝିଅ ଗାୟିକା ସଙ୍ଗୀତା ଜେନାଙ୍କୁ ସେ ବିବାହ କରିଥିଲେ। ତେବେ ବିବାହର କିଛି ବର୍ଷ ପରେ ସଙ୍ଗୀତାଙ୍କ ବିୟୋଗ ହୋଇଥିଲା । ତାପର ଠାରୁ ମିହିରଙ୍କ ସ୍ୱାସ୍ଥ୍ୟ ଖରାପ ରହୁଥିଲା। ତେବେ ଓଡ଼ିଆ ସିନେମାର ଜଣେ ଭର୍ସାଟାଇଲ ଅଭିନେତା ଭାବେ ମହିର ସୃଷ୍ଟି କରିଥିଲେ ନିଜର ଏକ ସ୍ବତନ୍ତ୍ର ପରିଚୟ।

ନିଜର ହସ, କାନ୍ଦ, କମେଡି ହେଉ ବା ଖଳନାୟକ ପ୍ରତି ଚରିତ୍ରକୁ ନିଖୁଣ ଭାବେ ଫୁଟାଇ ନିଜ ଅଭିନୟର ଏକ ଅଭୁଲନୀୟ ଛାପ ଛାଡ଼ିଯାଇଛନ୍ତି ସେ। କେବଳ ଓଡ଼ିଆ ସିନେମା ନୁହେଁ, ଧାରାବାହିକୀରେ ମଧ୍ୟ ପ୍ରଦର୍ଶନ କରିଥିଲେ ମିହିର। ବଳିଷ୍ଠ ଅଭିନୟ, ଗମ୍ଭୀର ସ୍ୱର, ଚରିତ୍ର ନିଖୁଣ ଭାବେ ପରଦାରେ ଉତାରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏପଟେ ମହିରଙ୍କ ବଡ ପୁଅ ଅମ୍ଲାନ ମଧ୍ୟ ଓଡ଼ିଆ ସିନେମାର ଜଣେ ଆଗ ଧାଡିର ଅଭିନେତା ଭାବେ ସକ୍ରିୟ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.