ଦାରିଦ୍ର୍ୟ ଭିତରେ ମୃତ୍ୟୁ ନେଇଗଲା ତାଙ୍କୁ, ମହାଭାରତ ସିରିଏଲର ଭୀମଙ୍କ ଦେହାନ୍ତ ହେଲା ଏଭଳି ଅବସ୍ଥାରେ

ବଲିଉଡ୍‌ର ବଡ଼ ନିର୍ଦ୍ଦେଶକ ଓ ପ୍ରଯୋଜକ ହେଉଛନ୍ତି ବି.ଆର ଚୋପ୍ରା । ସିନେ ଦୁନିଆରେ ଯେମିତି ନାଁ କମେଇଥିଲେ ତାଠାରୁ ଅଧିକ ଖ୍ୟାତିଲାଭ କରିଛନ୍ତି ଟେଲିଭିଜନରେ ମହାଭାରତ ଧାରାବାହିକ ପାଇଁ । ଚୋପ୍ରା ସାହେବ ତ ଆଉ ନାହାନ୍ତି ହେଲେ ତାଙ୍କ ସିନେମା ଓ ମହାଭାରତ ସିରିଏଲକୁ ଏବେବି ମନେ ରଖିଛନ୍ତି ଦର୍ଶକ । ମହାଭାରତ ସିରିଏଲରେ ସେ ଅନେକ ନୂଆ ପୁରୁଣା କଳାକାରଙ୍କୁ ବିଭିନ୍ନ ଚରିତ୍ର ମାଧ୍ୟମରେ ସୁଯୋଗ ଦେଇଥିଲେ । ସମସ୍ତେ ଘରେ ଘରେ ପରିଚିତ ହୋଇଗଲେ । ସେ ଶ୍ରୀକୃଷ୍ଣ ହୁଅନ୍ତୁ କି ଅର୍ଜୁନ ଅବା ଭୀମ ସମସ୍ତେ ଏତେ ଲୋକପ୍ରିୟ ହୋଇଗଲେ ଯେ ଯେଉଁଠିକୁ ଗଲେ ସୁପରଷ୍ଟାର ଭଳି ସ୍ୱାଗତ ପାଇଲେ । ସେହିଭଳି ଜଣେ ଚରିତ୍ର ଥିଲେ ଭୀମ । ତାଙ୍କର ଚେହେରା ଏବଂ ଅଭିନୟ ପୂରା ଖାପ ଖାଇ ଯାଉଥିଲା ପୁରାଣର ଭୀମଙ୍କ ସହ । ସେହି ଭୀମ ଭୂମିକାରେ ଅଭିନୟ କରିଥିଲେ ପ୍ରବୀଣ କୁମାର । ଆଜି ସେ ଆଉ ନାହାନ୍ତି । ଆଜି ୭୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇ ଯାଇଛି । ପ୍ରବୀଣ କୁମାର ଶୋବତି । ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ଆଦୌ ଭଲ ନଥିଲା । ଏମିତିକି ଚିକିତ୍ସା କରିବା ପାଇଁ ବି ଅର୍ଥ ସାଜିଥିଲା ବାଧକ । ଦିନେ ତାଙ୍କର ଅଭିନୟରେ ସମସ୍ତଙ୍କ ମନ ଜିଣିଥିବା ପ୍ରବୀଣ ଦାରିଦ୍ର୍ୟର ଅନ୍ଧକାର ଭିତରେ ଚାଲିଗଲେ ଆରପାରିକୁ ।

praveen kumar
Picture Credit – Asianet newshindi

ଏଇ କଳାକାର ଜଣକ ଦିନେ ଥିଲେ ଚାମ୍ପିଅନ୍‌ ଖେଳାଳି । ଖେଳ ଦୁନିଆରୁ ସ୍ୱର୍ଣ୍ଣ ପଦକ ଜିତିବା ପରେ ଆସିଥିଲେ ସିନେ ଜଗତକୁ । ସେ ଏସିଆନ୍‌ ଗେମ୍‌ସରେ ହାମର୍‌ ଥ୍ରୋ ଓ ସଟ୍‌ପୁଟ୍‌ରେ ସ୍ୱର୍ଣ୍ଣପଦକ ଜିଣିଥିଲେ । ଏମିତିକି ତାଙ୍କୁ ଅଲିମ୍ପିକ୍‌ ଖେଳିବାର ମଧ୍ୟ ସୁଯୋଗ ମିଳିଥିଲା । ସେହି ସଫଳତା ଯୋଗୁଁ ତାଙ୍କୁ ଚାକିରି ମିଳିଥିଲା । ତେବେ ଭାଗ୍ୟ ତାଙ୍କ ପାଇଁ ଅଲଗା କିଛି ଭାବିଥିଲା । ତେଣୁ ସେ ସିନେ ଦୁନିଆକୁ ଚାଲି ଆସିଥିଲେ । ତେବେ ବଲିଉଡ୍‌ ଫିଲ୍ମରେ ତାଙ୍କୁ କେବଳ ମିଳିଲା ସାଇଡ୍‌ ରୋଲ୍‌ । ଗୁଣ୍ଡା ଅବା ଭିଲେନ୍‌ଙ୍କ ଡାହାଣ ହାତ ଭଳି ଚରିତ୍ରରେ ସେ ଅଭିନୟ କଲେ । ହେଲେ ସେହି ସଂଘର୍ଷ ଭିତରେ ତାଙ୍କୁ ମିଳିଥିଲା ମହାଭାରତର ଭୀମ ଚରିତ୍ର । ବର୍ଷ ବର୍ଷ ଧରି ଚାଲିଲା ମହାଭାରତ । ଆଉ ଭୀମ ଚରିତ୍ରରେ ସମସ୍ତଙ୍କ ମନ ଜିଣିନେଲେ ପ୍ରବୀଣ କୁମାର । ସେ ଗଦା ଧରି ବାହାରିଲେ ଲାଗୁଥିଲା ସତରେ ଯେମିତି ଭୀମ ବାହାରିଲେ ।

() ପ୍ରବୀଣ କୁମାରଙ୍କ ଜନ୍ମ ଠିକ୍‌ ଭାରତ ସ୍ୱାଧୀନତା ପାଇବା ବର୍ଷରେ । ୧୯୪୭ ମସିହା ଡିସେମ୍ବର ୬ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମ ହୋଇଥିଲା। ତାଙ୍କ ଉଚ୍ଚତା ହେଉଛି ୬ ଫୁଟ ୭ ଇଞ୍ଚ। ତାଙ୍କ ବିଶାଳ ଶରୀର ଯିଏ ବି ଦେଖେ ସେ ଆଶ୍ଚର୍ଯ୍ୟ ହୋଇ ରହିଯାଏ। କାରଣ ସେ ଦେଖିବାକୁ ଯେମିତି ହଟ୍ଟାକଟା ଥିଲେ ତାଙ୍କର ଖାଇବା ଶୈଳୀ ମଧ୍ୟ ସେମିତି ଥିଲା। ମାତ୍ର ୧୮ ବର୍ଷ ବୟସରୁ ହିଁ ସେ ବଡିବିଲଡର ଭଳି ଦେଖା ଯାଉଥିଲେ । ତାଙ୍କ ଶରୀରର ଗଠନ ଖୁବ୍‌ ଆକର୍ଷଣୀୟ ଥିଲା। ଖେଳରେ ତାଙ୍କ ସହ ଟକର ଦେବା ପାଇଁ କେହି ବି ସମକକ୍ଷ ନଥିଲେ। ସେ ସବୁଦିନେ ରାତି ୩ଟାରୁ ଉଠି ଯାଉଥିଲେ । ଗାଁରେ ସେହି ସମୟରେ ଜିମ ନଥିଲା ଓ ବର୍ତ୍ତମାନ ଭଳି ଜିମରେ ଯେଉଁ ସବୁ ଉପକରଣ ରହୁଛି ତାହା ମଧ୍ୟ ନଥିଲା । ତାଙ୍କ ମାଆ ଘରେ ଯେଉଁ ପେଷା ବା ଚକି ଓ ସିଳୁପୁଆ ଥିଲା ସେଥିରେ ବ୍ୟାୟାମ କରୁଥିଲେ । ସେଇଥିରେ କରୁଥିଲେ ୱେଟ ଟ୍ରେନିଙ୍ଗ । ଏମିତିକି ସେ ନିଜର ଶରୀର ପାଇଁ ରାତି ୩ଟାରୁ ସକାଳ ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ନିଜେ ନିଜେ ଟ୍ରେନିଙ୍ଗ କରୁଥିଲେ । ତାଙ୍କୁ ପ୍ରାୟ ୩ ବର୍ଷ ଲାଗିଥିଲା ବଡଠି ବିଲଡିଂ ପାଇଁ । ସେତେବେଳେ ଲୋକ ତାଙ୍କୁ ଦେଖି ଚିହ୍ନି ପାରିନଥିଲେ।

ସ୍କୁଲରେ ଯେତେବେଳେ ହେଡମାଷ୍ଟର ପ୍ରବୀଣଙ୍କ ଶକ୍ତି ଦେଖିଥିଲେ ସେ ତାଙ୍କୁ ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ଏମିତିକି ପ୍ରେରଣା ଦେଇ ତାଙ୍କୁ ଖେଳିବାକୁ ମଧ୍ୟ ପଠାଉଥିଲେ। ପ୍ରବୀଣ କୁମାର ଅନେକ ପ୍ରତିଯୋଗିତା ଜିତିଲେ । ପରେ ୧୯୬୬ ମସିହାରେ କମନୱେଲ୍ଥ ଗେମ୍ସରେ ଡିସ୍କସ ଥ୍ରୋ ପାଇଁ ତାଙ୍କର ସିଲେକ୍ସନ୍ ହୋଇଥିଲା । କମନୱେଲଥ ଗେମ୍ସରେ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ୧୯୭୨ ମସିହାରେ ପ୍ରବୀଣ କୁମାର ଜର୍ମାନୀର ମ୍ୟୁନିକ ସହରରେ ଆୟୋଜିତ ହୋଇଥିବା ଅଲମ୍ପିକ୍ସରେ ଭାଗ ନେଇଥିଲେ। ଏଥିପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହାଛଡା ଏସିଆନ୍ ଗେମରେ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ମଧ୍ୟ ଜିତିଛନ୍ତି ପ୍ରବୀଣ କୁମାର ।

ତେବେ ସେ ଅଲମ୍ପିକ୍ସ ଖେଳୁଥିବା ସମୟରେ ତାଙ୍କୁ ଦେଶର ସୀମା ସୁରକ୍ଷା ପାଇଁ ଡେପୁଟି କମାଣ୍ଡାଣ୍ଟ ପଦବିରେ ନିଯୁକ୍ତି ପାଇଥିଲେ । କ୍ରୀଡା ଜଗତରେ ସୁନାମ ଅର୍ଜନ କରିବା ପରେ ସେ ବିଏସ୍ଏଫ୍‌ରେ ମଧ୍ୟ ଚାକିରି ପାଇଥିଲେ। ହେଲେ ସେ ଚାକିରି ଆରମ୍ଭ କରିବା ପୂର୍ବରୁ ହିଁ ତାଙ୍କୁ ସିରିଏଲ କରିବା ପାଇଁ ଚୟନ କରାଯାଇଥିଲା। ପ୍ରବୀଣଙ୍କ ଜଣେ ସାଙ୍ଗ ତାଙ୍କୁ କହିଥିଲେ ଯେ ବିଆର୍ ଚୋପ୍ରା, ମହାଭାରତ ସିରିଏଲରେ ଭୀମଙ୍କ ଚରିତ୍ର ପାଇଁ ଏକ ବଳଶାଳୀ ପିଲା ଖୋଜୁଛନ୍ତି ତେଣୁ ତାଙ୍କ ସହ ସେ ଦେଖା କରିବାକୁ ଚାହୁଛନ୍ତି। ତେବେ ଏହାପରେ ବିଆର୍ ଚୋପ୍ରାଙ୍କ ସହ ପ୍ରବୀଣ କୁମାରଙ୍କ ଦେଖା ହୋଇଥିଲା ଓ ସେ ତାଙ୍କୁ ପ୍ରଥମ ଦେଖାରେ ହିଁ ସିଲେକ୍ସନ୍ କରିଦେଇଥିଲେ।

ସେବେଠୁ ହିଁ ତାଙ୍କର ଭାଗ୍ୟ ବଦଳି ଯାଇଥିଲା। ସେ ମହାଭାରତ ଅପେକ୍ଷା ଚାଚା ଚୌଧୁରୀରେ ସାବୁ ଚରିତ୍ର କରିବା ସହ ପାଖା ପାଖି ୫୦ ଫିଲ୍ମରେ କାମ କରିଛନ୍ତି । ତେବେ ସେ ୧୦୦ ଟଙ୍କାରେ ଆରମ୍ଭ କରିଥିଲେ ତାଙ୍କର ଅଭିନୟ କ୍ୟାରିୟର। ହେଲେ ତାଙ୍କ ମୃତ୍ୟୁ ପୂର୍ବରୁ ସେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଏମିତିକି ସୋସିଆଲ ମିଡିଆରେ ଟ୍ୱିଟ କରି ସହାୟତା ବି କାମନା କରୁଥିଲେ । ହେଲେ ଶେଷରେ ତାଙ୍କୁ ଏଭଳି ଅବସ୍ଥାରେ ଏ ଦୁନିଆରୁ ବିଦାୟ ନେବାକୁ ହେଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.