ବଢିଲା ସଲମାନଙ୍କ ସୁରକ୍ଷା, ଜୀବନରୁ ମାରିଦେବାକୁ ଧମକ ମିଳିବା ପରେ ଏଭଳି ନିଷ୍ପତ୍ତି ନେଲା ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟ

ଜୀବନରୁ ମାରିଦେବାକୁ ଧମକ ମିଳିବା ପରେ ବଢିଲା ଭାଇଜାନଙ୍କ ସୁରକ୍ଷା । ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସଲମାନ ଖାନଙ୍କ ସୁରକ୍ଷା ବଢାଇବାର ନିଷ୍ପତ୍ତି ନେଇଛନ୍ତି। ସଲମାନଙ୍କ ବାପା ସଲିମ ଖାନଙ୍କୁ ୫ ଜୁନକୁ ଏକ ଚିଠି ମିଳିଥିଲା। ଯେଉଁଥିରେ ସଲମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା। ଏହି ଚିଠିରେ ଲେଖାଯାଇଥିଲା କି, ପଞ୍ଜାବୀ ସିଦ୍ଧୁ ମୁସେଓ୍ଵାଲାଙ୍କ ଭଳି ସଲମାନ ଖାନଙ୍କର ଅବସ୍ଥା ହେବ। ଏହି ଧମକପୂର୍ଣ୍ଣ ଚିଠିକୁ ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟ ଗମ୍ଭୀରତାର ସହ ନେଇ ସଲମାନଙ୍କ ସୁରକ୍ଷାକୁ ବଢାଇଦେଇଛନ୍ତି।

ସଲମାନଙ୍କ ବାପା ସଲିମ ଖାନ୍ ସବୁବେଳେ ସକାଳ ମର୍ଣ୍ଣିଂ ୱାକ୍ କରି ଯେଉଁଠି ବସିଥାନ୍ତି ସେହି ସ୍ଥାନରେ ଏହି ଚିଠି ପଡ଼ିଥିବାରୁ ତାଙ୍କ ସୁରକ୍ଷାକର୍ମୀ ପାଇଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି।

ସୂଚନା ଥାଉକି , ଗତ ମାସ ୨୯ ତାରିଖରେ ପଞ୍ଜାବୀ ଗାୟକ ତଥା ପଲିଟିସିଆନ ସିଦ୍ଧୁ ମୁସେୱାଲାଙ୍କୁ କିଛି ଗ୍ୟାଙ୍ଗଷ୍ଟର ଏକାଧିକ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିଲା । ଉକ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏହି କାରନାମା ଘଟାଇବା ପାଇଁ କିଛି ବର୍ଷ ପୂର୍ବରୁ ଯୋଜନା କରିଥିବା ଜଣାପଡ଼ିଥିଲା । ତେବେ ମୁସେୱାଲାଙ୍କ ପରି ସଲମାନଙ୍କ ଅବସ୍ଥା କରି ଦିଆଯିବ ବୋଲି ଅପରାଧୀମାନେ ଧମକ ଦେବା ପରେ ଅଭିନେତାଙ୍କ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି ।

salman-khan

ବିଷ୍ଣୋଇ ଗ୍ୟାଙ୍ଗର ସଲମାନଙ୍କୁ ହତ୍ୟା କରିବା ପଛରେ ରହିଛି କଳା ହରୀଣ ଶିକାର ଘଟଣା। ଯାହା ଏବେ ବି କୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଛି। ବିଷ୍ଣୋଇ ସମ୍ପ୍ରଦାୟ କଳା ହରିଣକୁ ଭଗବାନ ମାନନ୍ତି। ସଲମାନଙ୍କ ବିରୋଧରେ କଳା ହରିଣ ଶିକାର ମାମଲା ରହିଥିବାରୁ ବିଷ୍ଣୋଇ ଗ୍ୟାଙ୍ଗର ସଲମାନଙ୍କ ଉପରେ ରାଗ ରହିଛି।

ସଲମାନଙ୍କ ଫିଲ୍ମ ‘କଫି ଇଦ୍ କଫି ଦିୱାଲି’ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛି । ଉକ୍ତ ଫିଲ୍ମରେ ସଲମାନ ପୂଜା ହେଗଡ଼େଙ୍କ ସହିତ ପରଦାରେ ଦେଖାଦେବେ । ସଲମାନ ଫିଲ୍ମର ପ୍ରଥମ ଲୁକ୍ ନିଜର ଫ୍ୟାନ୍ସଙ୍କ ସହିତ ସେୟାର କରିଥିଲେ।