ଅର୍ଜୁନ-ମଲାଇକା ବ୍ରେକ୍‌ଅପ୍‌ ? ଏବେ ଚାଲିଛି ଜୋର୍‌ ଚର୍ଚ୍ଚା

ବଲିଉଡ୍‌ର ବିବାଦୀୟ ପ୍ରେମିକ ପ୍ରେମିକା ଏବେ ଅଲଗା ହୋଇ ଯାଇଛନ୍ତି । ମାନେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଛି ବୋଲି ଖୁବ୍‌ ଚର୍ଚ୍ଚା ଚାଲିଛି । ଆମେ କହୁଛୁ ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କ କଥା । ବୟସରେ ବହୁତ ତଫାତ ଥିଲେ ମଧ୍ୟ ଦୁହେଁ ଏମିତି ପ୍ରେମ ଡୋରରେ ବାନ୍ଧି ହେଲେ ଯେ ଯେମିତି ଜନ୍ମ ଜନ୍ମର ସାଥୀ । କାହାକୁ ଖାତିର କରି ନଥିଲେ କି ସେମାନଙ୍କ ସମ୍ପର୍କ ଯୋଗୁଁ କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇ ପାରେ ସେ କଥାକୁ ମଧ୍ୟ ଭ୍ରୁକ୍ଷେପ କରି ନଥିଲେ । ସୋସିଆଲ ମିଡିଆରେ ଦୁହିଙ୍କୁ ପ୍ରବଳ ଟ୍ରୋଲ କରାଯାଇଥିଲା । ଆଉ ଦୁହେଁ ବେଶ୍‌ ମୁହଁ ଟାଣ କରି ଜବାବ ଦେବାକୁ ମଧ୍ୟ ପଛାଉ ନଥିଲେ । ଏବେ କିନ୍ତୁ ଦୁହେଁ କୁଆଡ଼େ ଭିନ୍ନ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି । ତେବେ କିଛି ଲୋକଙ୍କୁ ଏମାନଙ୍କ ରିୟଲ ଲାଇଫ୍‌ ଯୋଡ଼ି ଭଲ ଲାଗୁଥିଲା । ସେମାନଙ୍କୁ ଏ ଦୁହିଙ୍କ ବ୍ରେକ୍‌ଅପ୍‌ ଝଟକା ଦେଇଛି ।

ଯାହା ଶୁଣିବାକୁ ମିଳୁଛି କି କିଛି ଦିନ ହେଲା ଦୁହିଙ୍କ ଭିତରେ ମନାନ୍ତର ଆରମ୍ଭ ହୋଇଥିଲା । ଏବେ ଅର୍ଜୁନ ଆଉ ମଲାଇକାଙ୍କ ପାଖରେ ରହୁ ନାହାନ୍ତି । ଏଥିରେ ଭୀଷଣ ଦୁଃଖୀ ହୋଇ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି ମଲାଇକା । ଆଉ ନିଜକୁ ଘରେ ବନ୍ଦ ରଖି ବାହାରକୁ ବାହାରୁ ନାହାନ୍ତି ।
ଆହୁରି ମଧ୍ୟ ସୂଚନା ମିଳିଛି କି ଅର୍ଜୁନ କପୁର ତାଙ୍କ ଲେଡିଲଭ୍‌କୁ ଦେଖଶ କରିବାକୁ ଯାଉ ନାହାନ୍ତି । କେଇ ଦିନ ତଳେ ସେ ତାଙ୍କ ଭଉଣୀ ରିୟାଙ୍କ ଘରକୁ ଡିନର କରିବାକୁ ଯାଇଥିଲେ । ରିୟାଙ୍କ ଘର ମଲାଇକାଙ୍କ ଘର ପାଖରେ । ଯଦିଓ ଅର୍ଜୁନ ରିୟାଙ୍କ ସହ ଡିନର କରି ଫେରି ଆସିଲେ ହେଲେ ସାଙ୍ଗରେ ମଲାଇକାଙ୍କୁ ଆଣି ନଥିଲେ କି ମଲାଇକାଙ୍କ ଘରକୁ ମଧ୍ୟ ଗଲେ ନାହିଁ ।

ଯଦିଓ ସେମାନଙ୍କ ତରଫରୁ ବ୍ରେକଅପ୍‌କୁ ନେଇ କୌଣସି ପ୍ରତିକ୍ରିୟା ଆସି ନାହିଁ ତଥାପି ଧୂଆଁ ନଥିଲେ ନିଆଁ ନଥାଏ ନ୍ୟାୟରେ ଏହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି । ଏକଥା ସମସ୍ତଙ୍କୁ ଜଣା କି ମଲାଇକା ହେଉଛନ୍ତି ସଲମନ ଖାନ୍‌ଙ୍କ ଭାଇ ଅରବାଜ ଖାନ୍‌ଙ୍କ ପୂର୍ବତନ ପତ୍ନୀ । ସେମାନଙ୍କର ଗୋଟିଏ ପୁଅ ଅଛି । ଅର୍ଜୁନ କପୁରଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ପରେ ତାଙ୍କର ଛାଡ଼ପତ୍ର ହୋଇଛି । ଅର୍ଜୁନଙ୍କୁ ୩୬ ବର୍ଷ ବୟସ ହୋଇଥିବା ବେଳେ ମଲାଇକାଙ୍କୁ ୪୮ ବର୍ଷ । ସେମାନଙ୍କ ଭିତରେ ୧୨ ବର୍ଷ ବ୍ୟବଧାନ ଯୋଗୁଁ ସେମାନଙ୍କୁ ଅନେକ ସମାଲୋଚନାର ସାମନା କରିବାକୁ ପଡ଼ିଥିଲା । ତେବେ ଏସବୁକୁ ସେମାନେ ଖାତିର ନକରି ବେଶ୍‌ ସ୍ୱଚ୍ଛନ୍ଦ ଓ ମୁକ୍ତ ଭାବରେ ବିଭିନ୍ନ ପାର୍ଟି, ରେଷ୍ଟୁରାଣ୍ଟ ଏବଂ ପର୍ଯ୍ୟଟନ ସ୍ଥଳ ବୁଲି ସୋସିଆଲ ମିଡିଆରେ ଫଟୋ ସେୟାର କରୁଥିଲା । ତେବେ ବର୍ତ୍ତମାନ କେଉଁ କାରଣ ଯୋଗୁଁ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।