ସଲମାନଙ୍କୁ ମାରିବାକୁ ଧମକ ଦେଇଥିବା ଯୁବକକୁ ଯୋଧପୁରରୁ ଗିରଫ କଲା ପୋଲିସ
ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିବା ଯୁବକକୁ ଗିରଫ କରିଛି ପୋଲିସ । ଯୋଧପୁର ପୋଲିସ ୨୧ ବର୍ଷୀୟ ଯୁବକ ଧାକଡ ରାମ ବିଷ୍ଣୋଇଙ୍କୁ ଗିରଫ କରିଛି ।

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଯୁବକକୁ ଗିରଫ କରିଛି ପୋଲିସ । ମୁମ୍ବାଇ ପୋଲିସ ଏବଂ ଯୋଧପୁର ପୋଲିସ ମିଳିତ ଭାବେ ଉଦ୍ୟମ କରି ରାଜସ୍ଥାନରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଯୁବକ ଜଣକ ସଲମାନଙ୍କୁ ମାରିବା ପାଇଁ ଇମେଲରେ ଧମକ ଦେଇଥିଲେ । ଅଭିଯୁକ୍ତ ଧାକଡ ରାମ ବିଷ୍ଣୋଇଙ୍କୁ ଯୋଧପୁରରୁ ପୋଲିସ ଗିରଫ କରିଛି। ଏନେଇ ଏକ ମାମଲା ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ରୁଜୁ ହୋଇଥିଲା।
ଗିରଫ ପରେ ପୋଲିସ ରୋହିଚା କଳା ବାସିନ୍ଦା ୨୧ ବର୍ଷୀୟ ଧାକଡ ରାମଙ୍କୁ ମୁମ୍ବାଇ ନେଇଛି। ତାଙ୍କ ନାଁରେ ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତାଙ୍କୁ ଧମକ ମଧ୍ୟ ଅଭିଯୋଗ ରହିଛି। ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ମିଳିବା ପରେ ମାର୍ଚ୍ଚ ୧୮ରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଏତଲା ହୋଇଥିଲା।
ଏତଲା ହେବା ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଆଉ ରାଜସ୍ଥାନର ଯୋଧପୁରରୁ ଏହି ଇମେଲ ପଠାଯାଇଛି ବୋଲି ଜାଣିବାକୁ ପାଇଥିଲା । ପରେ ଏହି ଆଧାରରେ ପୋଲିସ ସୂଚନାକୁ ଯୋଧପୁର ପୋଲିସକୁ ପଠାଥିଲା । ଯୋଧପୁରର ସିଆଗୋ କି ଧାନୀରେ ରହୁଥିବା ଧାକଡରାମ ବିଷ୍ଣୋଇଙ୍କ ଦ୍ୱାରା ଏହି ଇମେଲ ପଠାଯାଇଛି ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହି ସୂଚନା ପାଇବା ପରେ ମୁମ୍ବାଇ ଓ ଯୋଧପୁର ପୋଲିସ ମିଳିତ ସର୍ଚ୍ଚ ଅପରେସନ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି।