କାର୍‌ ଦୁର୍ଘଟଣାରେ ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେଙ୍କ ମୃତ୍ୟୁ, ଗୋଆରେ ଛୁଟି କାଟିବାକୁ ଯାଇଥିବା ବେଳେ ଗଭୀର ପାଣି ଭିତରକୁ ଖସି ପଡ଼ିଥିଲା ଗାଡ଼ି; ଘଟଣାସ୍ଥଳରେ ସାଙ୍ଗର ବି ମୃତ୍ୟୁ

ମରାଠୀ ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେଙ୍କ ଏକ କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କାର୍‌ରେ ଥିବା ତାଙ୍କ ସାଙ୍ଗ ଶୁଭମ୍‌ ଦେଗଡ଼େଙ୍କର ବି ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୋମବାର ସକାଳେ ସେମାନଙ୍କ କାର୍‌ ଗୋଆର ଅରପୋରା ଇଞ୍ଚଳରେ ଗଭୀର ପାଣି ଭିତରକୁ ଖସି ପଡ଼ିଥିଲା। ପାଣିରେ ବୁଡ଼ି ଯିବାରୁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚି କାର୍‌ ଭିତରୁ ମୃତଦେହ ଦ୍ୱୟକୁ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କାର୍‌ ଦ୍ରୁତ ଗତିରେ ଯାଉଥିବାରୁ ହଠାତ୍‌ ନିୟନ୍ତ୍ରଣ ହରାଇ ପାଣିକୁ ଖସି ପଡ଼ିଥିଲା।

ସୂଚନାଥାଉ କି, ପୁଣେରେ ରହୁଥିବା ଈଶ୍ୱରୀ ଦେଶପାଣ୍ଡେ(୨୫) ନିଜ ସାଙ୍ଗ ଶୁଭମ୍‌(୨୮)ଙ୍କ ସହିତ ଗୋଆରେ ଛୁଟି କାଟିବାକୁ ଯାଇଥିଲେ। ସେମାନେ ଏଠାରେ ଏକ ହୋଟେଲରେ ରହୁଥିଲେ। ସୋମବାର ସକାଳେ ଗାଡ଼ି ନେଇ ବାହାରକୁ ବାହାରିଥିବା ବେଳେ ସେମାନଙ୍କ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲା। ସକାଳ ପାଖାପାଖି ୫ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଗାଡ଼ିରେ ସେଣ୍ଟ୍ରାଲ ଲକ୍‌ ହୋଇ ଯାଇଥିବା କାରଣରୁ ସେମାନେ ଡୋର୍‌ ଖୋଲିପାରି ନ ଥିଲେ ବୋଲି ପୋଲିସ କହିଛି।

କହି ରଖୁଛୁ, ଈଶ୍ୱରୀ ମରାଠୀ ଫିଲ୍ମରୁ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ପ୍ରେମାଛେ ସାଇଡ୍‌ ଇଫେକ୍ଟସ୍‌’। ସେ ନିକଟରେ ଏକ ହିନ୍ଦୀ ଏବଂ ଏକ ମରାଠୀ ଫିଲ୍ମରେ କାମ କରୁଥିଲେ।