ଫଟୋ ଭାଇରାଲ: ବାପାଙ୍କ ଅଟୋରେ ବସି ସମ୍ମାନ ସମାରୋହରେ ପହଞ୍ଚିଲେ ମିସ୍‌ ଇଣ୍ଡିଆ ରନର ଅପ୍‌, ସବୁ ଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ

କୁହାଯାଏ, ଭୂମି ଉପରେ ଗୋଡ଼ ରଖି ଯଦି ଆପଣ ଆକାଶରେ ଉଡ଼ାଣ ଭରିବେ, ତା’ହେଲେ କେବେ ବି ଗଳି ପଡ଼ିବେ ନାହିଁ। ଏବେ ଏମିତି ହିଁ କିଛି କରି ଦେଖାଇଛନ୍ତି ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ରନର ଅପ୍‌ ମାନ୍ୟା ସିଂ। ଯଦିଓ ସେ କ୍ରାଉନ୍‌ ଜିତିପାରି ନାହାନ୍ତି, କିନ୍ତୁ ମିସ୍‌ ଇଣ୍ଡିଆ ଟାଇଟଲର ବହୁ ନିକଟକୁ ଯାଇ ରନର୍ସ ଅପ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ମଙ୍ଗଳବାର ମାନ୍ୟା ଗୋଟିଏ ମୁହୂର୍ତ୍ତରେ ହିଁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ କିଣି ନେଇଛନ୍ତି।

ପ୍ରକୃତ କଥା ହେଲା, ଉତ୍ତର ପ୍ରଦେଶର ଦେବରିଆ ଜିଲାରେ ରହୁଥିବା ମାନ୍ୟାଙ୍କୁ ମୁମ୍ବାଇର ଏକ କଲେଜକୁ ଆମନ୍ତ୍ରିତ କରାଯାଇଥିଲା। ସେଠାରେ ତାଙ୍କ ମାଆ, ବାପାଙ୍କୁ ସମ୍ମାନିତ କରାଯିବାର ଥିଲା। ମାନ୍ୟାଙ୍କ ବାପା ହେଉଛନ୍ତି ଜଣେ ଅଟୋ ଚାଳକ। ମୁମ୍ବାଇ କାର୍ଯ୍ୟକ୍ରମରେ ମାନ୍ୟା ନିଜ ମାଆ, ବାପାଙ୍କ ସହିତ ତାଙ୍କ ଅଟୋରେ ବସି ପହଞ୍ଚିଥିଲେ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସମସ୍ତେ ମାନ୍ୟାଙ୍କ ଜୀବନର ଏହି ବାସ୍ତବତାକୁ ଦେଖି ଭାବୁକ ହୋଇପଡ଼ିଥିଲେ। ସେହି ମୁହୂର୍ତ୍ତର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମାନ୍ୟା ଏହି ସମୟରେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ନିଜ ଗାଉନ୍‌ ପିନ୍ଧିଥିଲେ। ସେ ତାଙ୍କ ମାଆଙ୍କ ସହ ପଛ ସିଟ୍‌ରେ ବସିଥିବା ବେଳେ ବାପା ଅଟୋ ଚଳାଉଥିଲେ। ତେବେ ମାନ୍ୟା ଜଣେ ଅଟୋ ଚାଳକଙ୍କ ଝିଅ ହୋଇଥିବାରୁ ଜୀବନରେ ବହୁ ଉତ୍‌ଥାନ ପତ୍ତନର ସାମ୍ନା କରିଛନ୍ତି। କିନ୍ତୁ ପରିସ୍ଥିତି ସହ ଲଢ଼ି ସେ କେବଳ ନିଜ ମାଆ, ବାପାଙ୍କର ନୁହେଁ, ବରଂ ପୂରା ଦେଶର ନାଁକୁ ଉଜ୍ଜ୍ୱଳ କରିପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.