ଚୋରି ହୋଇଗଲା ମିଥୁନ ଚକ୍ରବର୍ତ୍ତୀଙ୍କ ପର୍ସ । ବଲିଉଡ୍ ଷ୍ଟାର ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର ରାଲି କରୁଥିବା ସମୟରେ ତାଙ୍କ ପର୍ସ ଚୋରି ହୋଇଯାଇଛି । ପ୍ରବଳ ଭିଡ଼ ମଧ୍ୟରେ କେହି ଜଣେ ତାଙ୍କ ପକେଟମାର୍ କରିଛନ୍ତି । ମିଥୁନଙ୍କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ସେଠାରେ ଭିଡ଼ ଜମାଇଥିଲେ ।
ତେବେ ଭିଡ଼କୁ ନିୟନ୍ତ୍ରଣ ପାଇଁ ନା କୌଣସି ବ୍ୟବସ୍ଥା ଥିଲା ନା କୌଣସି ପ୍ରକାର ସୁରକ୍ଷା ଅବଲମ୍ବନ କରାଯାଇଥିଲା, ଯେଉଁ କାରଣରୁ ଲୋକେ ମଞ୍ଚ ଯାଏ ପହଞ୍ଚିଯାଇଥିଲେ । ମିଥୁନ ଚକ୍ରବର୍ତ୍ତୀଙ୍କ ଟିକିଏ ଝଲକ୍ ପାଇବା ପାଇଁ ଏବଂ ତାଙ୍କ ସହ ଫଟୋ ଉଠାଇବା ପାଇଁ ଠେଲାପେଲା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଫଳରେ କିଛି ଅସାମାଜିକ ବ୍ୟକ୍ତି ପ୍ରବଳ ଗହଳିର ସୁଯୋଗ ନେଇ ପକେଟମାର୍ କରିଥିଲେ । ସେମାନେ ମିଥୁନଙ୍କ ପର୍ସ ମଧ୍ୟ ଚୋରି କରିନେଇଥିଲେ ।
ଯେତେବେଳେ ମିଥୁନ ଏହା ବିଷୟରେ ଜାଣି ଦଳୀୟ ନେତାମାନଙ୍କୁ ଜଣାଇଥିଲେ, ସେମାନେ ମଞ୍ଚ ଉପରୁ ହିଁ ମଥୁନ ଦା’ଙ୍କ ପର୍ସ ଫେରାଇ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ଅଭିନେତାଙ୍କ ପର୍ସ ଆଉ ମିଳି ନ ଥିଲା । ଏହି କାରଣରୁ ମିଥୁନ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମକୁ ଜଲଦି ଶେଷ କରି ଚାଲିଯାଇଥିଲେ ।
ସୂଚନା ରହିଛି କି, ବର୍ତ୍ତମାନ ମିଥୁନ ଚକ୍ରବର୍ତ୍ତୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ସିଆଇଏସଏଫ୍ ମିଥୁନ ଦା’ଙ୍କ ସୁରକ୍ଷା ବଢ଼ାଇଛି । ନିକଟରେ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଧମକ ମିଳିଥିଲା, ଯାହାକୁ ନଜରରେ ରଖି ସିଆଇଏସଏଫ୍ ତାଙ୍କ ସୁରକ୍ଷା ବଢ଼ାଇଛି ।