ଏହି ଗୀତ ବୋଲିବା ସମୟରେ ମହମ୍ମଦ ରଫିଙ୍କୁ ମୁହଁରୁ ବାହାରିଥିଲା ରକ୍ତ, ଜାଣନ୍ତୁ ତାପରେ କଣ ନିଜ ସ୍ବର ହରାଇ ବସିଲେ କି ସଙ୍ଗୀତ ସମ୍ରାଟ ?

ସଙ୍ଗୀତ ଦୁନିଆର ମୁକୁଟ ବିହୀନ ସମ୍ରାଟ ମହମ୍ମଦ ରଫିଙ୍କର ଆଜି ୯୪ତମ ଜନ୍ମଦିନ । ନିଜର ରେଶମୀ ଭଏସରର ଯାଦୁରେ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ରଫିଙ୍କ ଜନ୍ମ ୨୪ ଡିସେମ୍ବର ୧୯୨୪ରେ ପଂଜାବର କୋଟଲା ସୁଲତାନ ସିଂ ଗ୍ରାମରେ ହୋଇଥିଲା । ବଲିଉଡରେ ଦୀର୍ଘ ତିନି ଦଶନ୍ଧି ଧରି ନିଜର କାୟା ବିସ୍ତାର କରି ରହିଥିଲେ ରଫି । ଆଉ ଏହି ସମୟ ଭିତରେ ଅନେକ ସୁପରହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଯାହା ମଧ୍ୟରେ ରହିଛି, କବାଲି, ସୁଫି, ଭକ୍ତି ତଥା ରୋମାଂଟିକ୍ ଗୀତ । ଆଜି ଯଦିଓ ମହମ୍ମଦ ରଫି ଆମ ଗହଣରେ ନାହାଁନ୍ତି ହେଲେ ତାଙ୍କ ଦ୍ବାରା ବୋଲାଯାଇଥିବା ଗୀତ ଆଜି ବି ଆମ ମନରେ ତାଜା ଅଛି । ଆଜି ରଫିଙ୍କ ଜନ୍ମଦିନ ଅବସରରେ ତାଙ୍କ ଜୀବନ ସହ ଜଡିତ ଏମିତି କିଛି ଘଟଣା ବିଷୟରେ ଜଣାଇବୁ ଯାହା ବୋଧେ କେହି ଜାଣିନାହାନ୍ତି ।
ଖୁବ୍ ଲୋକ ଜାଣନ୍ତି ମହମ୍ମଦ ରଫି ଦୁଇ ଥର ବିବାହ କରିଛନ୍ତି । ନିଜର ପ୍ରଥମ ବିବାହ କଥା ସମସ୍ତଙ୍କୁ ଲୁଚାଇ ରଖିଥିଲେ ରଫି । ଏହି ବିବାହ ବିଷୟରେ କେବଳ ତାଙ୍କ ପରିବାର ଲୋକ ହିଁ ଜାଣିଥିଲେ । ତେବେ ଏହି ପ୍ରଥମ ବିବାହ ବିଷୟରେ ଖୁଲାସା ତାଙ୍କ ବୋହୂ ୟାସନିନ୍ ରଫି ନିଜର ବହି ’ମହମ୍ମଦ ରଫି ମେରେ ଅବା- ଏକ ସ୍ମରଣମରେ କରିଥିଲେ । ଏହି ବହିରେ ୟସନିନ୍ କହିଛନ୍ତି ମହମ୍ମଦଙ୍କ ପ୍ରଥମ ବିବାହ ମାତ୍ର ୧୩ ବର୍ଷ ବୟସରେ ଦାଦାଙ୍କ ଝିଅ ବସିରା ବାନୋଙ୍କ ସହ ହୋଇଥିଲା ।
ହେଲେ ଏହି ବିବାହ ବେଶୀ ଦିନ ତିଷ୍ଠି ପାରିନଥିଲା । କାରଣ ଭାରତ- ପାକ୍ ବିଭାଜନ ସମୟରେ ବସିରା ଭାରତ ଆସିବାକୁ ମନା କରିଦେଇଥିଲେ , ଏବଂ ଲାହୋରରେ ରହିଥିଲେ । ଯେତେବେଳେ କି ରଫି ନିଜର କ୍ୟାରିୟର୍ ଗଢିବା ପାଇଁ ମୁମ୍ବାଇରେ ରହିଲେ । ଯାହା ଫଳରେ ଏହି ବିବାହ ବିଛେଦରେ ପରିଣତ ହୋଇଯାଇଥିଲା । ଏହା ପରେ ମହମ୍ମଦ ରଫିଙ୍କର ଦ୍ବିତୀୟ ବିବାହ ୧୯୪୪ରେ ବିଲକିସଙ୍କ ସହ ହୋଇଥିଲା । ସେ ସମୟରେ ରଫିଙ୍କ ବୟସ ମାତ୍ର ୨୦ ବର୍ଷ ହୋଇଥିଲା ।
କୁହାଯାଏ ଏକ ଷ୍ଟେଜ୍ ସୋରେ ହଠାତ୍ ବିଜୁଳି ଚାଲିଯାଇଥିଲା । ଯାହା ଫଳରେ ସେ ସମୟର ଲୋକପ୍ରିୟ ଗାୟକ କେଏଲ୍ ସେହଗଲ୍ ସେଠାରେ ଗୀତ ବୋଲିବାକୁ ମନା କରିଦେଇଥିଲେ । ଯାହା ଫଳରେ ସେଠାରେ ଉପସ୍ଥିତ ଥିବା ୧୩ ବର୍ଷର ରଫି ଷ୍ଟେଜକୁ ସମ୍ଭାଳିଥିଲେ ଏବଂ ଗୀତ ବୋଲିବା ଆରମ୍ଭ କରିଦେଇଥିଲେ । ବାସ୍ ଏଠାରୁ ହିଁ ଖୋଲିଯାଇଥିଲା ରଫିଙ୍କ ଭାଗ୍ୟ ।
ସେହିପରି ଆଉ ଏକ ଘଟଣା ହେଉଛି ଥରେ ଜଣେ ଅପରାଧୀଙ୍କୁ ଫାଶୀ ଦେବା ପୁର୍ବରୁ ତାଙ୍କର ଶେଷ ଇଚ୍ଛା ପଚରାଯାଇଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ଅପରାଧୀ ଜଣକ ନା କୌଣସି ଖାଦ୍ୟ ନା ନିଜ ଘର ଲୋକଙ୍କ ସହ ଦେଖା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ବରଂ ସେ ମହମ୍ମଦ ରଫିଙ୍କ କଣ୍ଠରେ ବୋଲାଯାଇଥିବା ‘ଓ ଦୁନିଆକେ ରଖୱାଲେ’ ଗୀତଟି ଶୁଣିବାକୁ ଚାହିଁଥିଲେ । ଆଉ ଏହି ଇଚ୍ଛା ଶୁଣି ଜେଲ୍ କର୍ମୀ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଅପରାଧୀ ଜଣକର ଶେଷ ଇଛା ପୁରା କରିବା ପାଇଁ ଏହି ଗୀତଟି ପ୍ଲେ କରାଯାଇଥିଲା ।
ହେଲେ ବୋଧେ ଆପଣ ଜାଣିନଥିବେ ଏହି ଗୀତକୁ ବୋଲିବା ପାଇଁ ୧୫ ଦିନ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ । ଏପରିକି ଗୀତ ବୋଲି ସାରିବା ପରେ ରଫିଙ୍କ ସ୍ୱର ସଂପୂର୍ଣ୍ଣ ଖରାପ ହୋଇ ରକ୍ତ ବାହାରିବାକୁ ଲାଗିଥିଲା । ଏପରିକି ଲୋକମାନେ କହିବା ଆରମ୍ଭ କରିଦେଇଥିଲେ ଯେ ରଫି ଆଉ ନିଜ ସ୍ୱର ଫେରିପାଇବେ ନାହିଁ । କିନ୍ତୁ ଏପରି ହୋଇନଥିଲା । କିଛି ବର୍ଷ ପରେ ରଫି ପୁଣି ଥରେ ଗୀତ ବୋଲିବା ଆରମ୍ଭ କରିଥିଲେ । ଆଉ ପୂର୍ବ ଠାରୁ ଆହୁରି ଭଲ ସ୍କେଲରେ ବୋଲିଲେ । ତାହା ବି ବିନା କୌଣସି ଅସୁବିଧାରେ ।
ସେ ହିନ୍ଦୀ ବ୍ୟତୀତ କେଙ୍କଣୀ, ଭୋଜପୁରୀ, ବଙ୍ଗାଳୀ, ମରାଠୀ ପରି ଅନେକ ଭାଷାରେ ଗୀତ ଗାଇଛନ୍ତି ମହମ୍ମଦ ରଫି । ଏହାସହ ତାଙ୍କୁ ଛଅ ଥର ଫିଲ୍ମ ଫେୟାର ଆୱାର୍ଡ ଓ ନ୍ୟାସନାଲ ଆୱାର୍ଡରେ ସମ୍ମାନୀତ କରାଯାଇଛି । ୧୯୬୭ରେ ରଫି ସାହେବଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । କିନ୍ତୁ ୩୧ ଜୁଲାଇ ୧୯୮୦ ମସିହାରେ ୫୫ ବର୍ଷ ବୟସରେ ହାର୍ଟ ଆର୍ଟାକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।