ପୁଣି ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ବିବାଦ, ରିଲିଜ୍ ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ର ରିଲିଜ ଉପରେ ଲାଗିଲା ରୋକ। ଏହି ଫିଲ୍ମ ଆସନ୍ତାକାଲି ଆଉ ରିଲିଜ ହେବ ନାହିଁ। ଲୋକସଭା ନିର୍ବାଚନ ନସରିବା ପର‌୍ୟ୍ୟନ୍ତ ଏହାର ରିଲିଜ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ। ଆସନ୍ତାକାଲି ମୁକ୍ତିଲାଭ କରିବାର ଥିଲା ‘ପିଏମ୍ ନରେନ୍ଦ୍ର ମୋଦି’।

ଏହି ଫିଲ୍ମକୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ପକ୍ଷରୁ ୟୁ ସାର୍ଟିଫିକେଟ ଦିଆଯାଇଥିଲା। ସେହିପରି ପୂର୍ବରୁ ‘ପିଏମ୍ ନରେନ୍ଦ୍ର ମୋଦି’ ଫିଲ୍ମର ରିଲିଜରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଥିଲେ ସୁପ୍ରିମକୋର୍ଟ। ନିଷ୍ପତ୍ତି ନିର୍ବାଚନ କମିଶନଙ୍କ ହାତରେ ଛାଡ଼ିଥିଲେ। ଅଭିଯୋଗ ହୋଇଥିଲା ଏହି ଫିଲ୍ମ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି। ସୁପ୍ରିମକୋର୍ଟ ଓ ସିବିଏଫ୍ସି ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିଥିଲେ ବି ଅଟକାଇଲେ ନିର୍ବାଚନ କମିଶନ। ମୋଦିଙ୍କ ବାୟୋପିକ୍କୁ ନେଇ କଂଗ୍ରେସ ଆରମ୍ଭରୁ ହିଁ ବିରୋଧ କରୁଛି।