ବଲିଉଡ୍‌ ଡ୍ରଗ୍ସସ ଲିଙ୍କ୍‌: ଫିଲ୍ମ ପ୍ରଯୋଜକ ଫିରୋଜ ନାଡିୟାଡବାଲାଙ୍କ ଘରୁ ମିଳିଲା ବିପୁଳ ପରିମାଣର ଡ୍ରଗ୍ସ, ପତ୍ନୀ ଗିରଫ

ବଲିଉଡ୍‌ ଡ୍ରଗ୍ସ କନେକସନ୍‌ ମାମଲାରେ ରବିବାର ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଫିଲ୍ମ ପ୍ରଡ୍ୟୁସର ଫିରୋଜ ନାଡିୟାଡବାଲାଙ୍କ ପତ୍ନୀଙ୍କୁ ଗିରଫ କରିଛି। ମୁମ୍ବାଇ ଏନ୍‌ସିବି ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ଏନ୍‌ସିବି ଫିରୋଜ ନାଡିୟାଡବାଲାଙ୍କୁ ପଚରାଉଚରା ପାଇଁ ସମନ ମଧ୍ୟ ପଠାଇଛି। ଏହା ବ୍ୟତୀତ ଏନ୍‌ସିବି ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ମଙ୍ଗଳବାର ପଚରାଉଚରା ପାଇଁ ଡାକିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଏନ୍‌ସିବି ଫିରୋଜଙ୍କ ଘରେ ଚଢ଼ଉ କରିଥିଲା। ମିଡିଆ ରିପୋର୍ଟ ମୁତାବକ ଫିରୋଜ ନାଡିୟାଡବାଲାଙ୍କ ଘରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି। ସମୀର ଓ୍ଵାଙ୍ଖଡ଼େଙ୍କ ନେତୃତ୍ୱରେ ଏନ୍‌ସିବି ଟିମ୍‌ ଶନିବାର ମୁମ୍ବାଇର ୫ଟି ସ୍ଥାନରେ ଅଚାନକ ଚଢ଼ଉ କରିଥିଲା। ଏଥିରେ ଫିରୋଜଙ୍କ ଘର ମଧ୍ୟ ସାମିଲ ଥିଲା। ଏ ଅବସରରେ ଏନ୍‌ସିବି କିଛି ଲୋକଙ୍କୁ ଗିରଫ ମଧ୍ୟ କରିଛି।

ସୂଚନାଯୋଗ୍ୟ ଯେ ଫିରୋଜ ନାଡିୟାଡବାଲା ହେରାଫେରି, ଆଓ୍ଵାରା ପାଗଲ ଦିଓ୍ଵାନା ଓ ୱେଲକମ୍‌ ଭଳି ହିଟ୍‌ ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି। ଏହା ପୂର୍ବରୁ ଆୟକର ଫାଙ୍କିଥିବାରୁ ଫିରୋଜ ୩ ମାସ ଜେଲଦଣ୍ଡ ମଧ୍ୟ ଭୋଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.