ନେହା କକ୍କରଙ୍କ ସ୍ୱାମୀ ରୋହନପ୍ରୀତ ସିଂହଙ୍କ ଠାରୁ ଲୁଟ୍‌: ହୋଟେଲ ରୁମ୍‌ରୁ ନେଇଗଲେ ଆଇଫୋନ୍‌, ହୀରାମୁଦି ସମେତ ଲକ୍ଷାଧିକ ଟଙ୍କାର ଜିନିଷ

ଜଣାଶୁଣା କଣ୍ଠଶିଳ୍ପୀ ନେହା କକ୍କରଙ୍କ ସ୍ୱାମୀ ରୋହନପ୍ରୀତ ସିଂହଙ୍କୁ ଲୁଟ୍‌। ସୂଚନା ମୁତାବକ, ଦୁର୍ବୃତ୍ତମାନେ ରୋହନପ୍ରୀତ ସିଂହଙ୍କ ଠାରୁ କେତେକ ମୂଲ୍ୟବାନ୍‌ ସାମଗ୍ରୀ ଓ ଟଙ୍କା ପଇସା ଲୁଟି ନେଇଛନ୍ତି। ଏହି ଡକାୟତି ହିମାଚଳ ପ୍ରଦେଶର ମଣ୍ଡିର ଏକ ହୋଟେଲରେ ହୋଇଛି। ସେଠାକୁ ସେ ଛୁଟି କାଟିବାକୁ ଯାଇଥିବା ବେଳେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏ ନେଇ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ଯେ ରୋହନପ୍ରୀତ ସିଂହଙ୍କ ରୁମ୍‌ରୁ ହୀରା ମୁଦି, ଏକ ଆଇଫୋନ୍‌ ଓ ଏକ ଆପଲ ଘଣ୍ଟା ଗାଏବ ହୋଇଯାଇଛି।

ଏହି ଲୁଟ୍‌ ନେଇ ଜଣେ ପୋଲିସ ଅଧିକାରୀ ସ୍ପଷ୍ଟ କରିବା ସହ କହିଛନ୍ତି, ରୋହନ ପ୍ରୀତ ସିଂହଙ୍କ ଠାରୁ ଲୁଟ୍‌ ହୋଇଥିବା ନେଇ ଏକ ମାମଲା ରୁଜୁ ହୋଇଛି। ମଣ୍ଡିର ପୋଲିସ ଅଧୀକ୍ଷକ ଶାଲିନୀ ଅଗ୍ନିହୋତ୍ରୀ କହିଛନ୍ତି- ନଗଦ କିଛି ଟଙ୍କା, ଆଇଫୋନ୍‌, ସ୍ମାର୍ଟ ଓ୍ଵାଚ୍‌ ଓ ପଞ୍ଜାବୀ ଗାୟକ ରୋହନପ୍ରୀତ ସିଂହଙ୍କ ହୀରା ମୁଦି ସମେତ କେତେକ ବ୍ୟକ୍ତିଗତ ସାମଗ୍ରୀ ମଣ୍ଡିସ୍ଥିତ ଏକ ହୋଟେଲରୁ ଚୋରି ହୋଇଛି। ଏ ନେଇ ମାମଲା ରୁଜୁ ହେବା ପରେ ଯାଞ୍ଚ ଆରମ୍ଭ ହୋଇଛି।

ଏହି ଘଟଣାର ଠିକ୍‌ ପୂର୍ବରୁ ନେହା କକ୍କର ଓ ରୋହନପ୍ରୀତ ସିଂହ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ଉଭୟେ ଏକ ହୋଟେଲ ବେଡ୍‌ରେ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏହି ଦମ୍ପତି ନିଜ ନୂଆ ଗୀତରେ ଡ୍ୟାନ୍ସ କରୁଥିଲେ। ଏହି ପୋଷ୍ଟ ସେୟାର କରି ନେହା କ୍ୟାପସନ୍‌ରେ ଲେଖିଥିଲେ- ‘ଇସେ ଏକ ଲା କହା ଜାତା ହେ, ଲା ଲା ମର୍ଣ୍ଣିଂ’। ଗତ ସପ୍ତାହ ମେ ୮ରେ ଗାୟକ ଦମ୍ପତି ନିଜ ନୂଆ ଗୀତ ରିଲିଜ୍‌ କରିଥିଲେ।

ନେହା ଓ ରୋହନପ୍ରୀତ ଡିସେମ୍ବର ୨୦୨୦ରେ ପରିବାର ଓ ସାଙ୍ଗସାଥୀଙ୍କ ଉପସ୍ଥିତିରେ ଏକ ଭବ୍ୟ ସମାରୋହରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ନିଜ ପ୍ରଥମ ମ୍ୟୁଜିକ ଭିଡିଓ ‘ନେହୁ ଦା ବ୍ୟାହ’ର ସୁଟିଂ ବେଳେ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ତା’ ପରେ ଉଭୟେ ବିବାହ କରି ନେଇଥିଲେ।

Also Read: ଦିଲ୍ଲୀ ଅଗ୍ନିକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା: ମୁଣ୍ଡକା ବିଲ୍ଡିଂର ମାଲିକ ମନୀଷ ଲାକ୍ରା ଗିରଫ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.