ଅଶ୍ଳୀଳ ନୃତ୍ୟ ପରିବେଷଣକୁ ବିରୋଧ: ଦର୍ଶକଙ୍କ ଚେୟାର ମାଡରେ ଫାଟିଲା ନିଶା ମହାରଣାଙ୍କ ମୁଣ୍ଡ

ଯାଜପୁର ରୋଡ: ପୁଣି ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ବିରୋଧ । ଦର୍ଶକଙ୍କ ଚେୟାର ମାଡରେ ଫାଟିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କ ମୁଣ୍ଡ । ଯାଜପୁର ଜିଲ୍ଲା କୋରେଇ ଥାନା ରଗଡି ଠାରେ ମାଆ କାମୁଡ଼େଇ ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ଅୟୋଜିତ ହୋଇଥିଲା ଯାତ୍ରା । ଉକ୍ତ ଯାତ୍ରାରେ ନୃତ୍ୟ ପରିବେଷଣ କରୁଥିବା ନିଶା ମହାରଣାଙ୍କୁ ଦର୍ଶକ ଚେୟାର ଫିଙ୍ଗିଥିବା ବେଳେ ଚେୟାରଟି ସିଧା ତାଙ୍କ ମୁଣ୍ଡରେ ଯାଇ ବାଜିଥିଲା । ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ଯାହାଫଳରେ ସେ ନୃତ୍ୟ ଅଧାରୁ ଯାତ୍ରା ପେଣ୍ଡାଲ ଛାଡି ଚାଲିଯାଇଥିଲେ ।
ତେବେ ଯାହା ସୂଚନା ମିଳିଛି କି, ଗତକାଲି ରାତିରେ ଅପେରା ସ୍ଵପ୍ନ ମହଲର ତୃତୀୟ ରଜନୀରେ ଅତିଥି କଳାକାର ଭାବେ ମେଲୋଡିରେ ଆସି ଆଇଟମ ସଙ୍ଗରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିବା ବେଳେ ଜଣେ ଦର୍ଶକ ତାଙ୍କ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ କରିଥିଲେ । ଯାହା ଭିଜୁଆଲ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ଚେୟାରଟି ତାଙ୍କ ମୁଣ୍ଡରେ ବାଜି ମୁଣ୍ଡ ଫାଟିଥିବା ବେଳେ ସେ ତୁରନ୍ତ ଯାତ୍ରା ମଞ୍ଚ ଉପରୁ ଗ୍ରୀନ୍ ରୁମ୍ କୁ ପଳାଇ ଯାଇଥିବାର ଦେଖିବାକୁ ମିଳୁଛି ।
ତେବେ ନିଶାଙ୍କୁ ଚେୟାର ମାଡ ପରେ କିଛି ସମୟ ପାଇଁ ମେଲୋଡି ପରିବେଷଣ ବନ୍ଦ ରହିବା ସହ ଏହି ଘଟଣାକୁ ନେଇ ଉଭୟ ମଞ୍ଚ ଉପରେ ଓ ବାହାରେ କିଛି ଉତ୍ତେଜନା ପ୍ରକାଶ ପାଇଥିଲା । ଏପଟେ କୋରେଇ ପୋଲିସ୍ ଓ ଯାତ୍ରା କମିଟି ସଦସ୍ୟ ମାନେ ଅଭିନେତ୍ରୀ ନିଶାଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ସେଠାରେ ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡିଛି । ନିଶା ମହାରଣାଙ୍କ ଡାହାଣ ପାର୍ଶ୍ଵର ଆଖିପତା ଉପରେ ଚେୟାରଟି ବାଜି କ୍ଷତ ହୋଇଥିବା ବେଳେ ମୁଣ୍ଡରେ ବ୍ୟାଣ୍ଡେଜ୍ ପଡିଥିବା ଦେଖିବାକୁ ମିଳିଛି । ତେବେ ଘଟଣାକୁ ନେଇ କିଛି ଏମିତି ପ୍ରତିକ୍ରିୟା ରଖିଛନ୍ତି ନିଶା । କହିଛନ୍ତି ଦର୍ଶକ ମୋ ଭଗବାନ । ମଞ୍ଚରେ ଗୋଟେ କଳାକାରକୁ କେତେବେଳେ ତାଳି ମିଳିଥାଏ ତ କେତେବେଳେ ଗାଳି । ଏସବୁକୁ ସାମ୍ନା କରି ଆଗରୁ ବଢିବାକୁ ପଡିବ । ଏହାସହ ସେ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିବା କାରଣରୁ ଏଭଳି ଏକ ଅପ୍ରୀତିକର ଘଟଣା ଘଟିଥିବା କଥାକୁ ଘୋଡାଇବାକୁ ଚେଷ୍ଟା କରିଥିଲେ ।
ଏପଟେ ଏହି ଘଟଣା ପରେ କୋରେଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିବା ବେଳେ ଯାତ୍ରା କମିଟି ପକ୍ଷରୁ ଏନେଇ କୌଣସି ମତାମତ ମିଳିପାରିନାହିଁ । ତେବେ ଓଡିଆ ଯାତ୍ରା ଲୋକମାନଙ୍କ ମନୋରଂଜନର ଏକ ମାଧ୍ୟମ । ଯାତ୍ରାପେଣ୍ଡାଲରେ କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ବାନ୍ଧି ରଖିଥାଏ । କିନ୍ତୁ ବିଗତ କିଛିଦିନ ହେବ ଏହି ଯାତ୍ରା ମଞ୍ଚରେ ବିଭିନ୍ନ ଆଇଟମ ଗାର୍ଲମାନଙ୍କ ବୋଲ୍ଡ ନୃତ୍ୟ ଯୁବପିଢିମାନଙ୍କ ପାଇଁ ଏକ ଭିନ୍ନ ଧରଣର ମନୋରଂଜନର ମାଧ୍ୟମ ପାଲଟିଥିବାବେଳେ, କିଛି ଦର୍ଶକ ଯାତ୍ରାରେ ଏଭଳି ଅଶ୍ଳୀଳ ନୃତ୍ୟକୁ ନାପସନ୍ଦ କରୁଛନ୍ତି । ଯାହାଫଳରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି ।