ଜାପାନୀ ଫିଲ୍ମ ପାଇଁ ମନୋନୀତ ହେଲା ଓଡ଼ିଆ ପୁଅର ଲିଖିତ କାହାଣୀ

ଘଟଗାଁ : ମଣିଷ ଯଦି କିଛି ସ୍ୱପ୍ନ ଦେଖେ, ତାକୁ ପୂରଣ କରିବାକୁ ଦୃଢ଼ ସଂକଳ୍ପ ନିଏ ତେବେ ସେହି ସ୍ୱପ୍ନକୁ ପୂରଣ କରିବାରେ ସେ ନିଶ୍ଚିତ ସଫଳ ହୁଏ । ସେଇଥି ଲାଗି ତ କୁହାଯାଏ, ଯେଉଁଠାରେ ଇଚ୍ଛା ଅଛି ସେଠାରେ ରାସ୍ତା ବି ଅଛି।

ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକା ଆଦି ରେ ପ୍ରକାଶିତ କାହାଣୀ ପଢ଼ିବା ଥିଲା ସଉକ। ଧିରେ ଧିରେ କାହାଣୀ ଲେଖିବା ଆରମ୍ଭ କଲେ । ଏହି ଲେଖାରେ ସେ ପାଲଟିଗଲେ ଜଣେ କଥାକାର । ଏବେ ଏହି କଥାକାରଙ୍କ କାହାଣୀ ଜାପାନ ଚଳଚ୍ଚିତ୍ର ପାଇଁ ମନୋନୀତ ହୋଇଛି । ଜାପାନୀ ଫିଲ୍ମ ନିର୍ମାତା ବେଞ୍ଜିରୋ ଓ ନିର୍ଦ୍ଦେଶକ ଅହିରୋ ତାଙ୍କ ଆଗାମୀ ଫିଲ୍ମ ପାଇଁ ଏହି ଯୁବ କଥାକାରଙ୍କ କାହାଣୀକୁ ବାଛିଛନ୍ତି। ଏହି ଯୁବ କଥାକାର ହେଉଛନ୍ତି ଓଡ଼ିଆ ପୁଅ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର କେଶବ ଚନ୍ଦ୍ର ମଲ୍ଲିକ ଓ କୁସୁମରାଣୀ ମଲ୍ଲିକଙ୍କ ସୁପୁତ୍ର ଦୁର୍ଗା ପ୍ରସାଦ ମଲ୍ଲିକ ।

hcjjଦୁର୍ଗାପ୍ରସାଦଙ୍କ ବାପା ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ହୋଇଥିବା ବେଳେ ମା ଗୃହିଣୀ । କମିକ୍ସ ପଢିବାକୁ ଭଲ ପାଉଥିବା ଦୁର୍ଗାପ୍ରସାଦ ପଞ୍ଚମ ଶ୍ରେଣୀରେ କେନ୍ଦୁଝର ଓ ବାଜିଆ ହୋଟେଲ ଉପରେ ପ୍ରଥମେ ଗୀତ ଲେଖିଥିଲେ। ପରେ ଯୁକ୍ତ ଦୁଇ ପଢ଼ିବା ସମୟରେ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ଏକ କାହାଣୀ ଲେଖି ଅଧିକ ଚର୍ଚ୍ଚାକୁ ଆସିଥିଲେ । ଏହା ସହ ପୂର୍ବରୁ ତାଙ୍କ ଦ୍ଵାରା ଲିଖିତ କାହାଣୀ ବରଫ ପାଣି, ମୁଖା, ବନ୍ଦୀ ଓ ଜାଡତାତି ଆଦି କାହାଣୀ ରାଜ୍ୟ ସ୍ତରରେ ପୁରସ୍କୃତ ଓ ପ୍ରଶଂସିତ ହୋଇଛି। ଓସିଏ ଯୁବ ନିର୍ଦ୍ଦେଶକ ତଥା ନାଟ୍ୟକାର ଗଳ୍ପ ଝର ସମ୍ମାନ , ଉଦୟରାଗ ସମ୍ମାନ ଆଦି ବହୁ ସମ୍ମାନର ସେ ଅଧିକାରୀ ହୋଇ ପାରିଛନ୍ତି। ଏବେ ତାଙ୍କ କାହାଣୀ ଜାପାନ ଚଳଚ୍ଚିତ୍ର ପାଇଁ ମନୋନୀତ ହୋଇଛି।

ଏହି ସାଇଫାଇ ଚଳଚ୍ଚିତ୍ରଟିର ବିଷୟ ବସ୍ତୁ ଅନ୍ୟ ଗ୍ରହର ଜୀବ ବା ଏଲିଅନ ର ସ୍ଥିତି ପ୍ରମାଣ କୁ ନେଇ ଗୋଟିଏ ସାଧାରଣ ପରିବାରର ସଙ୍ଘର୍ଷ ଉପରେ ପ୍ରସ୍ତୁତ ହୋଇଛି। ଏହାର କାହାଣୀ ଲେଖିବା ଦାୟିତ୍ଵ ଦୁର୍ଗାପ୍ରସାଦଙ୍କୁ ମିଳିଛି। ଏହି ଚଳଚ୍ଚିତ୍ରରେ ଚିବି, ଆମାୟା ଓ ଚିନାମି ପରି ଅନେକ କଳାକାରଙ୍କୁ ନେଇ ନିର୍ମାଣ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ସଫଳତା ପାଇଁ ଦୁର୍ଗାପ୍ରସାଦ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି। ଇଂରାଜୀ ରେ ପିଜି ପରେ ଏକ ଘରୋଇ ସ୍କୁଲ ରେ ଶିକ୍ଷକତା କରୁଥିବା ଦୁର୍ଗାପ୍ରସାଦ ରାମୋଜି ଫିଲ୍ମ ସିଟିରେ ଫିଲ୍ମ ମେକିଙ୍ଗ ଉପରେ ଡିପ୍ଲୋମା କରିଥିଲେ। ଗଳ୍ପ ଓ କାହାଣୀ ଲେଖା ପାଇଁ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

ମଣିଷର ଇଚ୍ଛା ଅନେକ, ହେଲେ ସବୁ ଇଚ୍ଛାକୁ ପୂରଣ କରିବା ଅସମ୍ଭବ । ହଁ ଯଦି ସେତିକି ମନପ୍ରାଣ ଦେଇ ସେହି ଇଚ୍ଛାକୁ ପୂରଣ କରିବାକୁ ଜଣେ ପରିଶ୍ରମ କରେ, ତେବେ ନିହାତୀ ଇଚ୍ଛା ପୂରଣ ହେବ ଏଥିରେ ଦ୍ବନ୍ଦ ନାହିଁ । ଏଇ ଯେମିତି ଓଡିଆ ପୁଅ ଦୁର୍ଗାପ୍ରସାଦଙ୍କ କାହାଣୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.