ବାପ ଛେଉଣ୍ଡ ହେଲା ଓଲିଉଡ୍ : ପରଲୋକରେ ଦେବୁ ଦା

ଭୁବନେଶ୍ବର(କେନ୍ଯୁଜ୍) : ବାପ ଛେଉଣ୍ଡ ହେଲା ଓଲିଉଡ୍ । ପରଲୋକରେ ଦେବୁ ଦା । ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ଦେହାନ୍ତ ହୋଇଛି । ୭୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଦେବୁ ବୋଷ । ଗତ କିଛି ମାସ ହେବ ସେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଦେବୁ ବୋଷଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି ।

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ହରାଇଲା ଜଣେ ଭେଟେରାନ୍ କଳାକାରଙ୍କୁ । ଦୀର୍ଘ ଦଶନ୍ଧି ଧରି ଅଭିନୟକୁ ବ୍ରତ ଭାବରେ ଗ୍ରହଣ କରିଥିଲେ । ଦର୍ଶକଙ୍କୁ ଭେଟି ଦେଇଥିଲେ ଅନେକ ସୁପରହିଟ୍ ଫିଲ୍ମ । ୧୨୦ରୁ ଅଧିକ ଫିଲ୍ମ ଭେଟି ଦେଇଥିଲେ ଦର୍ଶକଙ୍କୁ । ବିଶେଷ କରି ବାପା ଭୂମିକାରେ ତାଙ୍କ ଅଭିନୟ ଅପାସୋରା । ୧୯୪୨ ମସିହା ଡିସେମ୍ବର ୨ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ ।

ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଓ ତାଙ୍କ ନିଆରା ଅଭିନୟ ସର୍ବଦା ସ୍ମରଣୀୟ ହୋଇରହିବ ବୋଲି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ସେହିପରି ଦେବୁ ବୋଷଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ଵିଟ୍‌ କରି ଧର୍ମେନ୍ଦ୍ର ଲେଖିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏହା ଅପୂରଣୀୟ କ୍ଷତି ।