ପିଣ୍ଟୁଙ୍କ ଦ୍ୱାଦଶାହରେ ଲୁହରେ ଭିଜିଲା ସାଥୀ କଳାକାରଙ୍କ ଆଖି

ଭୁବନେଶ୍ୱର (କେନ୍ୟୁଜ୍‌) : ହୁଏତ ସମସ୍ତେ ଭୁଲିଯିବେ ହେଲେ କଣ ପରିବାର ଲୋକେ ଭୁଲି ପାରିବେ ତାଙ୍କୁ ? ହଁ ଏକଥା ସତ, ସିନେପ୍ରେମୀ ନିଶ୍ଚୟ ମନେ ରଖିବେ ତାଙ୍କର ଅଭିନୟକୁ । ସବୁ ପ୍ରକାର ଭୂମିକାରେ ଅଭିନୟ କରି ପାରୁଥିବା ତଥା ଲୋକପ୍ରିୟତା ହାସଲ କରିଥିବା ପିଣ୍ଟୁ ନନ୍ଦଙ୍କର ମୃତ୍ୟୁକୁ ଏହା ଭିତରେ ୧୨ ଦିନ ବିତିଗଲାଣି । ଗତକାଲି ଥିଲା ତାଙ୍କର ଦ୍ୱାଦଶାହ । ପିଣ୍ଟୁଙ୍କୁ ଏବେବି ଝୁରୁଛି ସାରା ଓଲିଉଡ଼ । ସାରା ଓଡ଼ିଶା ମନେ ପକାଉଛି ତାଙ୍କୁ। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ସବୁଦିନ ପାଇଁ ପରପାରିକୁ ଚାଲି ଯାଇଛନ୍ତି। ପିଣ୍ଟୁଙ୍କୁ ବଞ୍ଚାଇବା ପାଇଁ ଓଲିଉଡର ସାଥୀ କଳାକାର, ଓଡ଼ିଶାବାସୀ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥିଲେ। ଦେବାଦେବୀଙ୍କ ଆଗରେ ଦୀପ ଜାଳିଥିଲେ ଆଉ ମାନସିକ ବି କରିଥିଲେ । କିନ୍ତୁ ନିୟତି ଆଗରେ ସବୁ ହାର ମାନିଛି । ଅକାଳରେ ଚାଲି ଯାଇଛନ୍ତି ପିଣ୍ଟୁ । ଶୋକରେ ଭିଜୁଛନ୍ତି ସାଥୀ କଳାକାର।

pintu-2

ପିଣ୍ଟୁ ନନ୍ଦ ପ୍ରାୟ ୪୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସକଙ୍କ ମନ ଜିଣି ଥିଲେ । ତାଙ୍କୁ ଜଣେ ଅଲରାଉଣ୍ଡର କୁହା ଯାଉଥିଲା । ସବୁ ଚରିତ୍ରକୁ ବେଶ୍ ନିଖୁଣ ଭାବରେ ନିଜ ଅଭିନୟରେ ଫୁଟାଇ ପାରୁଥିଲେ । ଯାହା ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲେ । ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛି ସାଥି କଳାକାର ଓ ପରିବାର ଵର୍ଗ । ଭୁବନେଶ୍ୱର କାନନ ବିହାର ଠାରେ ଗତକାଲି ରାତିରେ ଏକାଠି ହୋଇଥିଲେ ଓଲିଉଡ୍‌ କଳାକାରମାନେ । ସମସ୍ତଙ୍କ ମୁହଁରେ ଶୋକର ଛାୟା ଥିଲା । କେବଳ ପିଣ୍ଟୁଙ୍କ ବିଷୟରେ ଆଲୋଚନା କରି ଫେରି ଯାଇଥିଲେ ସମସ୍ତେ । ସମସ୍ତଙ୍କ ମନ ଭାରିଥିଲା ଜଣେ ସାଥୀକୁ ହରାଇ ।