ସେଲିବ୍ରିଟିଙ୍କ ସମ୍ମାନର କଥା : ଘର କଳି ଘରେ ରହୁ, ଓଲିଉଡ୍‌ ବଞ୍ଚିକି ଥାଉ

କେନ୍ୟୁଜ୍(ବ୍ୟୁରୋ):  ଆମ ଓଲିଉଡ୍‌ ବଲିଉଡ୍‌ରୁ କିଛି କମ୍‌ ନୁହେଁ । ସେ ନାଁରେ ହେଉ କି ବଦନାମରେ । ଗତକାଲି ଠାରୁ ଓଲିଉଡ୍‌ ହିରୋ ବାବୁଶାନ୍‌ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଯେଉଁ ଘଟଣା ସବୁ ଘଟି ଚାଲିଛି ସେଥିରେ ନାଁ’ତ ହେଉନି ବଦନାମୀ ମିଳୁଛି । ଇଏ ଗୋଟିଏ ଘଟଣା ନୁହେଁ, ଗତ କିଛି ମାସ ହେଲା ଓଲିଉଡ୍‌ରୁ କେବଳ ଖରାପ ଖବର ହିଁ ଆସିଛି । ସେ ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ କଳହ ହେଉ ଅବା ଅମ୍ଳାନଙ୍କର ପତ୍ନୀ ମହାନଦୀକୁ ଡେଇଁବା ଘଟଣା, ସବୁ ଘଟିଛି ପାରିବାରିକ ସମସ୍ୟା ଯୋଗୁଁ । ଏହା ବ୍ୟତୀତ ରାଇମୋହନଙ୍କ ଆତ୍ମହତ୍ୟା ଅବା ଅନ୍ୟ ଅଭିନେତାଙ୍କ ସ୍ୱାଭାବିକ ମୃତ୍ୟୁ, ଓଲିଉଡ୍‌କୁ ଝଟକା ପରେ ଝଟକା ଦେଇ ଚାଲିଛି ।

ଏପଟେ ବିଭିନ୍ନ କାରଣରୁ ଓଡ଼ିଆ ସିନେମା ଶିଳ୍ପ ତ ଆଉ ଆଗ ଭଳି ଦୌଡୁ ନାହିଁ । କାଁଭାଁ ଫିଲ୍ମ ତିଆରି ହେଉଛି । ସେ ସବୁ ସିନେମା କେତେଦିନ ସିନେମା ହଲ୍‌ରେ ଚାଲୁଛି ତାହା ଜାଣିବା ମୁସ୍କିଲ । ତେବେ ଏଭଳି ଏକ ସମସ୍ୟା ଜଡ଼ିତ ସମୟରେ ଓଲିଉଡ୍‌ର ସ୍ଥିତି ଆରି ଖରାପ ହେଉଛି । ଯଦି ଏଭଳି ଘଟଣା ସବୁ ଘଟି ଚାଲେ ତେବେ କୌଣସି ମା ବାପା ତାଙ୍କ ପିଲାମାନଙ୍କୁ ଓଲିଉଡ୍‌ରେ ପାଦ ଦେବାକୁ ଅନୁମତି ଦେବେ ନାହିଁ । କାରଣ ଆମର ଅଭିନେତାମାନେ ହେଉଛନ୍ତି ସେଲିବ୍ରିଟି ଏବଂ ସମାଜର ଜଣେ ଜଣେ ବାର୍ତ୍ତାବହ । ସେମାନଙ୍କ ରିଲ୍‌ ଲାଇଫ୍‌କୁ ଦେଖି ସାଧାରଣ ଲୋକେ ପ୍ରଭାବିତ ହୁଅନ୍ତି । ସେମାନେ ସବୁବେଳେ ଜଣେ ଜଣେ ଆଦର୍ଶ ବ୍ୟକ୍ତି ହୋଇ ରୁହନ୍ତୁ ବୋଲି ଦର୍ଶକ ଚାହାନ୍ତି । ଆଉ ସେମାନେ ଯଦି ଏଭଳି କାଣ୍ଡ କରି ବସିବେ, ସେଥିରେ ସେମାନଙ୍କ ସାମାଜିକ ସମ୍ମାନ ତ ହ୍ରାସ ହେବ ତା ସହିତ ସିନେମା ଶିଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହେବ ।

ଏମିତି ସିନେମା କିମ୍ବା ଟେଲିଭଜନରେ ଅଭିନୟ ପାଇଁ ଯେଉଁ ପିଲା ଏବଂ ଅଭିଭାବକମାନେ ଆଗ୍ରହୀ ଅଛନ୍ତି ସେମାନେ ବି ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆସିବେ ନାହିଁ । ଅଭିନୟ ଆଦି ଶିଖାଇବା ପାଇଁ ଯେଉଁ ଅନୁଷ୍ଠାନ ସବୁ ରହିଛି ସେମାନେ ବି କ୍ଷତି ସହିବେ । ଅତି ବେଶିରେ କେବଳ ଅଭିନେତାମାନଙ୍କ ପରିବାରରୁ ହିଁ ସିନେମାରେ ଅଭିନୟ ପାଇଁ ଆସିବେ ।

ସମସ୍ତଙ୍କ ଘରେ କିଛି ନା କିଛି ସମସ୍ୟା ଥାଏ । ପାରିବାରିକ କଳି ଝଗଡ଼ା ରହିଥାଏ । ତେବେ ଘର କଳି ଯେତେବେଳେ ପଦାରେ ପଡ଼େ ସେତେବେଳେ ସମସ୍ତେ ନିନ୍ଦାର ପାତ୍ର ହୁଅନ୍ତି । ଏଭଳି ଘଟଣା ଘଟିଲେ ବିଶେଷ କରି ସେଲିବ୍ରିଟିମାନଙ୍କ ସମ୍ମାନ ହାନି ହୁଏ । କାରଣ ଲୋକେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି । ସିନେମା ଏକ ବହୁତ ବଡ଼ ଗଣମାଧ୍ୟମ । ଯିଏ ଲୋକଙ୍କ ଉପରେ ଖୁବ୍‌ ପ୍ରଭାବ ପକାଇଥାଏ । ପରଦାକୁ ଆସୁଥିବା ପ୍ରତ୍ୟେକଟି ଚରିତ୍ରକୁ ଲୋକେ ପରଦା ବାହାରେ ମଧ୍ୟ ସେହି ଭାବେ ଦେଖିଥାନ୍ତି । ତେଣୁ ଏହି ସେଲିବ୍ରିଟିମାନଙ୍କର ସମାଜ ପ୍ରତି ଅଧିକ ଦାୟିତ୍ୱ ରହିଛି । ଆଉ ସେମାନେ ଯଦି ସାଧାରଣରେ ଏଭଳି ବ୍ୟବହାର କରନ୍ତି ତେବେ ଏହା ସମାଜ ପ୍ରତି ଓ ସେମାନଙ୍କ ପ୍ରତିଷ୍ଠାରେ ଆଞ୍ଚ ଆଣିବ । ଏଭଳି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବ ମାନେ । ତେଣୁ କେବଳ ପରଦାରେ ନୁହେଁ ସେମାନଙ୍କୁ ଅସଲ ଜୀବନରେ ମଧ୍ୟ ସମ୍ମାନ ରକ୍ଷା କରିବାକୁ ଅନେକ କିଛି କରିବାକୁ ପଡ଼ିବ, ସହିବାକୁ ପଡ଼ିବ ।

ସମାଜ ପାଇଁ ଆଦର୍ଶ ପାଲଟି ଲୋକଙ୍କୁ ମନୋରଞ୍ଜନ ବାଣ୍ଟୁଥିବା ଏହି ଅଭିନେତାମାନେ ଦର୍ଶକଙ୍କ ଆଖିରେ ଛୋଟ ହୋଇ ନଯାଆନ୍ତୁ, ଏହି କାମନା କରୁଛୁ ।

 

Leave A Reply

Your email address will not be published.